
ଗଞ୍ଜାମ, ୧୧ ଅକ୍ଟୋବର (ହି.ସ.)- ଗ୍ରାମାଞ୍ଚଳର ଜନସାଧାରଣଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଓ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଡକ୍ଟର୍ସ ଫୋରମ୍, ବ୍ରହ୍ମପୁର ପକ୍ଷରୁ ଗୁରୁଣ୍ଠୀ ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି। ଏହି ଶିବିରରେ ପ୍ରାୟ ୨୫୦ ଜଣ ରୋଗୀ ବିଭିନ୍ନ ବିଭାଗର ଅଭିଜ୍ଞ ଡାକ୍ତରମାନଙ୍କ ଠାରୁ ଚିକିତ୍ସା ପରାମର୍ଶ ପାଇ ଉପକୃତ ହୋଇଥିଲେ।
ରବିବାର ସକାଳ ୮ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଆୟୋଜିତ ଏହି ଶିବିରକୁ ସରସ୍ୱତୀ ଶିଶୁ ମନ୍ଦିର, ଗୁରୁଣ୍ଠୀ ସହଯୋଗ କରିଥିଲା। ଶିବିରରେ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ଶଙ୍କର୍ଷଣ ପାତ୍ର, କର୍ଣ୍ଣ, ନାସା ଓ ଗଳା ବିଶେଷଜ୍ଞ ଡାକ୍ତର ଗୌରଚନ୍ଦ୍ର ପଟ୍ଟନାୟକ, ଆୟୁର୍ବେଦିକ ଚିକିତ୍ସକ ଡାକ୍ତର ଅତୁଲ୍ୟ କୁମାର ପଟ୍ଟନାୟକ ଓ ଡାକ୍ତର ରବୀନ୍ଦ୍ରନାଥ ଗନ୍ତାୟତ, ଡାକ୍ତର ପ୍ରଶାନ୍ତ କୁମାର ସାହୁ, ଦନ୍ତ ଚିକିତ୍ସକ ଡାକ୍ତର ସଂସ୍କୃତି କୁମାରୀ ସାହୁ ଏବଂ ହୋମିଓପାଥିକ ଚିକିତ୍ସକ ଡାକ୍ତର ସୁଦ୍ଧାରାଣୀ ନାୟକ, ଡାକ୍ତର ପୀତବାସ ସାହୁ ଓ ଡାକ୍ତର ଅଜୟ କୁମାର ପାତ୍ର ପ୍ରମୁଖ ଯୋଗଦେଇ ରୋଗୀମାନଙ୍କୁ ସ୍ୱାସ୍ଥ୍ୟ ପରାମର୍ଶ ଦେଇଥିଲେ।
ସରସ୍ୱତୀ ଶିଶୁ ମନ୍ଦିର, ଗୁରୁଣ୍ଠୀର ଉପସଭାପତି ଡାକ୍ତର ବିପିନ ବିହାରୀ ସାହୁ ଓ ସାଧାରଣ ସମ୍ପାଦକ ଡାକ୍ତର ପ୍ରସନ୍ନ କୁମାର କରଙ୍କ ସହ ସରସ୍ୱତୀ ଶିଶୁ ମନ୍ଦିରର ଅନ୍ୟାନ୍ୟ ସଦସ୍ୟମାନେ ଏହି ସେବାମୂଳକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ସରସ୍ୱତୀ ଶିଶୁ ମନ୍ଦିର, ଗୁରୁଣ୍ଠୀର ସମସ୍ତ କାର୍ଯ୍ୟକର୍ତ୍ତା ମଧ୍ୟ ଶିବିରର ସଫଳ ଆୟୋଜନରେ ସକ୍ରିୟ ସହଯୋଗ କରିଥିଲେ।
ଏହି ସ୍ୱାସ୍ଥ୍ୟ ଶିବିରକୁ ଡକ୍ଟର୍ସ ଫୋରମ୍ ର କୋଷାଧ୍ୟକ୍ଷ ଡାକ୍ତର ସମରେନ୍ଦ୍ର କୁମାର ସାହୁ ସୁଚାରୁରୂପେ ପରିଚାଳନା କରିଥିଲେ। ଡାକ୍ତରମାନଙ୍କର ଏହି ସେବାମୂଳକ ପ୍ରୟାସ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାର ପ୍ରସାର ଓ ଜନସାଧାରଣଙ୍କ ମଧ୍ୟରେ ରୋଗ ନିରାକରଣ ସମ୍ପର୍କିତ ସଚେତନତା ବୃଦ୍ଧି ଦିଗରେ ଏକ ପ୍ରଶଂସନୀୟ ପଦକ୍ଷେପ ଭାବେ ବିବେଚିତ ହୋଇଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ