ଭେଡେନ ନଦୀରେ ୧୨୬ କୋଟି ଟଙ୍କାର ବ୍ୟାରେଜ୍ ନିର୍ମାଣ ପାଇଁ ଟେଣ୍ଡର ଆରମ୍ଭ, ବିଧାୟକଙ୍କୁ ସମ୍ବର୍ଦ୍ଧିତ କଲା କୃଷକ ସଂଘ
Farmers association feliciate MLA
ଭେଡେନ ନଦୀରେ ୧୨୬ କୋଟି ଟଙ୍କାର ବ୍ୟାରେଜ୍ ନିର୍ମାଣ ପାଇଁ ଟେଣ୍ଡର ଆରମ୍ଭ


ଝାରସୁଗୁଡ଼ା, 11 ଅକ୍ଟୋବର (ହି.ସ.), : ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ଅନ୍ତର୍ଗତ ସମାସିଂହା-ସୋଡାମାଳ ରାସ୍ତାର ଭେଡେନ ନଦୀ ଉପରେ ୧୨୬ କୋଟି ଟଙ୍କା ବ୍ୟୟରେ ବ୍ୟାରେଜ୍ ନିର୍ମାଣ ପାଇଁ ରାଜ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପ୍ରକଳ୍ପ ପାଇଁ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଉଦ୍ୟମକୁ ପ୍ରଶଂସା କରି ସମାସିଂହା ପଞ୍ଚାୟତର ଶିବଶକ୍ତି କୃଷକ ସଂଘ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

ଏହି ଅବସରରେ ରବିବାର ଭେଡେନ ନଦୀ ବ୍ରିଜ୍ ନିକଟସ୍ଥ ଶିବ ମନ୍ଦିର ପ୍ରାଙ୍ଗଣରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। କୃଷକ ସଂଘର ସଭାପତି ଚେତାନନ୍ଦ ପଟେଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ନିଜ ବକ୍ତବ୍ୟରେ ବିଧାୟକ ଶ୍ରୀ ତ୍ରିପାଠୀ ବ୍ୟାରେଜ୍ ନିର୍ମାଣ ପ୍ରକ୍ରିୟାରେ ଶିବଶକ୍ତି କୃଷକ ସଂଘର ଅବଦାନକୁ ପ୍ରଶଂସା କରିଥିଲେ। ଅଞ୍ଚଳର ଚାଷୀମାନଙ୍କ ଆନ୍ତରିକ ସହଯୋଗ ଓ ପ୍ରକଳ୍ପ ପ୍ରତି ଆଗ୍ରହ ଯୋଗୁଁ ଏହି ଗୁରୁତ୍ୱପୂର୍ଣ୍ଣ ଜଳସମ୍ପଦ ପ୍ରକଳ୍ପ ଆଗେଇ ପାରିଛି ବୋଲି ସେ କହିଥିଲେ।

ଏହି ବ୍ୟାରେଜ୍ ନିର୍ମାଣ ହେଲେ ସମାସିଂହା ଓ ସୋଡାମାଳ ପଞ୍ଚାୟତ ସମେତ କୋଲାବିରା ପଞ୍ଚାୟତର ତରେଇକେଳା, ସାହ୍ଲେପାଲି ଏବଂ ନଦୀଖଣ୍ଡି ଅଞ୍ଚଳର ବିଭିନ୍ନ ଗ୍ରାମର ଲୋକେ ଉପକୃତ ହୋଇପାରିବେ। ବିଶେଷକରି ଅଞ୍ଚଳର କୃଷି ଓ ଜଳସେଚନ କ୍ଷେତ୍ରରେ ଏହି ପ୍ରକଳ୍ପ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ଆଶା ପ୍ରକାଶ ପାଇଛି।

ସଭାରେ ବରିଷ୍ଠ ଚାଷୀ ଗୌତମ ନାଏକ, କେଦାର ପଟେଲ, ମଦନ ମୋହନ ପଟେଲ, ଲିଙ୍ଗରାଜ ପଟେଲ, ବିଜେପି ମଣ୍ଡଳ ସଭାପତି ରାଜେଶ ଦାଶ ଓ ବିଜେପି ପଞ୍ଚାୟତ ସଭାପତି ଟୋକାରାମ ରୋହିଦାସ ପ୍ରମୁଖ ମଞ୍ଚାସୀନ ଥିଲେl

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande