
ଭୁବନେଶ୍ୱର, 11 ଅକ୍ଟୋବର (ହି.ସ.) ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବରଖାସ୍ତ ଦାବିରେ ଗତ ୧୦ ତାରିଖରେ ଦିଲ୍ଲୀର ଜନ୍ତରମନ୍ତରଠାରେ ଆୟୋଜିତ ଆନ୍ଦୋଳନକାରୀଙ୍କ ବିରୋଧରେ ପୋଲିସର କଥିତ ଦମନମୂଳକ କାର୍ଯ୍ୟାନୁଷ୍ଠାନକୁ ନେଇ ଭୁବନେଶ୍ୱରରେ ଇଣ୍ଡିଆ ବ୍ଲକ୍ର ସହଯୋଗୀ ଦଳଗୁଡ଼ିକ ମିଳିତ ପ୍ରତିବାଦ କରିଛନ୍ତି। ରବିବାର ମାଷ୍ଟରକ୍ୟାଣ୍ଟିନଠାରୁ ଏକ ଶୋଭାଯାତ୍ରା ବାହାରି ଲୋୟର ପିଏମ୍ଜିରେ ପହଞ୍ଚିଥିଲା। ସେଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।
ଏହି ଆନ୍ଦୋଳନରେ କଂଗ୍ରେସ, ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ), ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ), ସିପିଆଇ (ଏମ୍ଏଲ୍) ଲିବରେସନ, ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍, ସମାଜବାଦୀ ପାର୍ଟି, ଏନ୍ସିପି ଓ ଆର୍ଜେଡି ସମେତ ଇଣ୍ଡିଆ ବ୍ଲକ୍ର ବିଭିନ୍ନ ସହଯୋଗୀ ଦଳର ନେତା ଓ କର୍ମୀ ସାମିଲ ହୋଇଥିଲେ।
ପ୍ରତିବାଦ ସଭାରେ ବକ୍ତାମାନେ ଅଭିଯୋଗ କରିଥିଲେ ଯେ, ଗଣତାନ୍ତ୍ରିକ ଆନ୍ଦୋଳନକୁ ଦମନ କରିବା ପାଇଁ ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ବିଭିନ୍ନ ରାସ୍ତାରେ ବ୍ୟାରିକେଡ୍ ଲଗାଯାଇଥିଲା। ବିଭିନ୍ନ ରାଜନୈତିକ ଦଳର କାର୍ଯ୍ୟାଳୟକୁ ପୋଲିସ ଘେରାଉ କରିଥିବା ସହ ଟ୍ରେନ୍, ମେଟ୍ରୋ ଓ ବିମାନରେ ଦିଲ୍ଲୀରେ ପହଞ୍ଚିଥିବା ଲୋକଙ୍କୁ ମଧ୍ୟ ଅଟକ ରଖାଯାଇଥିବା ସେମାନେ କହିଥିଲେ।
ବିଭିନ୍ନ ସ୍ଥାନରେ ଲାଠିଚାଳନା ଓ ଲୁହବୁହା ଗ୍ୟାସ୍ ପ୍ରୟୋଗ କରାଯାଇଥିବା ଏବଂ ଛାତ୍ରଛାତ୍ରୀ, ସାମାଜିକ ସଂଗଠନର କର୍ମୀ ଓ ରାଜନୈତିକ ନେତାଙ୍କ ସମେତ ୭ ହଜାରରୁ ଅଧିକ ଲୋକଙ୍କୁ ଗିରଫ କିମ୍ବା ଅଟକ ରଖାଯାଇଥିବା ନେଇ ବକ୍ତାମାନେ ଅଭିଯୋଗ କରିଥିଲେ।
ଏହାକୁ ଗଣତାନ୍ତ୍ରିକ ଅଧିକାର ଉପରେ ଆକ୍ରମଣ ବୋଲି ଅଭିହିତ କରି ଇଣ୍ଡିଆ ବ୍ଲକ୍ର ନେତାମାନେ ଜ୍ଞାନେଶ କୁମାରଙ୍କ ବରଖାସ୍ତ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ଆହ୍ୱାନ ଦେଇଥିଲେ।
ବକ୍ତାମାନେ କହିଥିଲେ ଯେ, ସମ୍ବିଧାନ ଅନୁଯାୟୀ ପ୍ରତ୍ୟେକ ଯୋଗ୍ୟ ସାବାଳକ ନାଗରିକଙ୍କ ମତଦାନ ଅଧିକାର ସୁନିଶ୍ଚିତ ହେବା ଆବଶ୍ୟକ। ଭୋଟର ତାଲିକାର ସଠିକତା ବଜାୟ ରଖିବା ପାଇଁ ସଘନ ଭୋଟର ତାଲିକା ସଂଶୋଧନ (ଏସ୍ଆଇଆର୍) କରାଯାଉଥିବାବେଳେ ଏହା ଯେପରି କୌଣସି ଯୋଗ୍ୟ ନାଗରିକଙ୍କ ମତଦାନ ଅଧିକାରକୁ କ୍ଷୁଣ୍ଣ ନକରେ, ସେଥିପ୍ରତି ନିର୍ବାଚନ ଆୟୋଗ ଧ୍ୟାନ ଦେବା ଦରକାର।
ବକ୍ତାମାନେ ଆହୁରି ଅଭିଯୋଗ କରିଥିଲେ ଯେ, ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ତିନିଜଣିଆ ନିର୍ବାଚନ ଆୟୋଗର ଅନ୍ୟ ଦୁଇ ସଦସ୍ୟଙ୍କ ମତାମତକୁ ଅଣଦେଖା କରି ଏସ୍ଆଇଆର୍ର ଅପବ୍ୟବହାର କରିଛନ୍ତି। ଏହି ପ୍ରସଙ୍ଗରେ ଇଣ୍ଡିଆନ୍ ଏକ୍ସପ୍ରେସ୍ର ଏକ ଅନୁସନ୍ଧାନମୂଳକ ରିପୋର୍ଟ ସାମ୍ନାକୁ ଆସିବା ପରେ ଦେଶବ୍ୟାପୀ ପ୍ରତିବାଦ ତୀବ୍ର ହୋଇଥିବା ସେମାନେ ଦାବି କରିଥିଲେ।
କେନ୍ଦ୍ରର ମୋଦି-ଶାହା ନେତୃତ୍ୱାଧୀନ ସରକାର ବିରୋଧରେ ମଧ୍ୟ ବକ୍ତାମାନେ ଅଭିଯୋଗ ଆଣିଥିଲେ। ବିଧାୟକ ଓ ସାଂସଦଙ୍କୁ କିଣି ସରକାର ଗଠନ କରିବାଠାରୁ ଆରମ୍ଭ କରି ଭୋଟ ଚୋରି ପର୍ଯ୍ୟନ୍ତ ବିଭିନ୍ନ ଅଗଣତାନ୍ତ୍ରିକ କାର୍ଯ୍ୟ ହେଉଥିବା ସେମାନେ କହିଥିଲେ।
ପ୍ରତିବାଦ ସଭାରେ ଓଡ଼ିଶା କଂଗ୍ରେସର ରାଜ୍ୟ ଉପସଭାପତି ସନ୍ତୋଷ ସିଂହ ସାଲୁଜା, ସିପିଆଇର ରାଜ୍ୟ ସମ୍ପାଦକ ଡ. ପ୍ରଶାନ୍ତ କୁମାର ମିଶ୍ର, ସିପିଆଇ(ଏମ୍)ର ରାଜ୍ୟ ସମ୍ପାଦକମଣ୍ଡଳୀ ସଦସ୍ୟ ଦୁଷ୍ମନ୍ତ ଦାସ, ସିପିଆଇ(ଏମ୍ଏଲ୍) ଲିବରେସନର ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର, ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍ର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତିରଞ୍ଜନ ମହାପାତ୍ର ଓ ସମାଜବାଦୀ ପାର୍ଟିର ରମାକାନ୍ତ ହାତୀ ପ୍ରମୁଖ ଯୋଗ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ପିସିସି ମୁଖପାତ୍ର ଅରବିନ୍ଦ ଦାସ, ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ପ୍ରକାଶ ଚନ୍ଦ୍ର ଜେନା, ସିପିଆଇର ଜୟନ୍ତ ଦାସ, ସୁର ଜେନା ଓ କୈଳାସ କୁହାଣ, ସିପିଆଇ(ଏମ୍)ର ପୁଷ୍ପା ଦାଶ, ଉଲ୍ଲାସ ସ୍ୱାଇଁ ଓ ପ୍ରଦୀପ୍ତ ନାୟକ, ସିପିଆଇ(ଏମ୍ଏଲ୍) ଲିବରେସନର ରାଧାକାନ୍ତ ସେଠୀ, ମହେନ୍ଦ୍ର ପରିଡ଼ା ଓ ଅଶୋକ ପ୍ରଧାନ, ଫରୱାର୍ଡ ବ୍ଲକ୍ର ପ୍ରତାପ ନାୟକ ଓ ଲକ୍ଷ୍ମୀ ଦୋରା ଏବଂ ସମାଜବାଦୀ ପାର୍ଟିର ବିଜୟ ବେହେରା ପ୍ରମୁଖ ଆନ୍ଦୋଳନରେ ସାମିଲ ହୋଇଥିଲେ।
ଇଣ୍ଡିଆ ବ୍ଲକ୍ ପକ୍ଷରୁ ଘୋଷଣା କରାଯାଇଛି ଯେ, ଦାବି ପୂରଣ ନହେବା ପର୍ଯ୍ୟନ୍ତ ଦେଶବ୍ୟାପୀ ଆନ୍ଦୋଳନ ଜାରି ରହିବ। ଆସନ୍ତା ୧୨ ଅକ୍ଟୋବରରେ ଦିଲ୍ଲୀରେ ଏକ ବିଶାଳ ମହାସମାବେଶ ଆୟୋଜନ କରାଯିବ ବୋଲି ମଧ୍ୟ ନେତାମାନେ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ