
ଝାରସୁଗୁଡ଼ା, 11 ଅକ୍ଟୋବର (ହି.ସ.)ଚାଷଜମିକୁ ଠିକ୍ ସମୟରେ ଜଳସେଚନ ସୁବିଧା ମିଳୁନଥିବାରୁ ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକର ଚାଷୀମାନେ ଏବେ ଘୋର ସଙ୍କଟରେ। ହାତିଆନାଳା ଜଳସେଚନ କେନାଲର ଅବ୍ୟବସ୍ଥା ଯୋଗୁଁ ଚାଷଜମିକୁ ଆବଶ୍ୟକ ପରିମାଣର ପାଣି ପହଞ୍ଚିପାରୁନାହିଁ। ଜଳ ଅଭାବରେ ଜମି ଶୁଖି ଫାଟିବାକୁ ଲାଗିଥିବା ବେଳେ ଫସଲ ଉଜୁଡ଼ିଯିବା ଆଶଙ୍କା ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଚାଷକାର୍ଯ୍ୟ ପ୍ରଭାବିତ ହେଉଥିବାରୁ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
ବାବୁଛିପିଡ଼ିହି, ସାହାସପୁର, ଲଇକେରା ଓ ସାରଙ୍ଗଲୋଇ ପଞ୍ଚାୟତର ଚାଷଜମିକୁ ଜଳସେଚନ ସୁବିଧା ଯୋଗାଇଦେବା ଉଦ୍ଦେଶ୍ୟରେ ହାତିଆନାଳା କେନାଲ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ଏଥିପାଇଁ କୋଟି କୋଟି ଟଙ୍କା ବ୍ୟୟ ହୋଇଥିଲେ ମଧ୍ୟ ଏହାର ସୁପରିଚାଳନା ଅଭାବରୁ ଚାଷୀମାନେ ଆଶାନୁରୂପ ଜଳସେଚନ ସୁବିଧା ପାଇପାରୁନାହାନ୍ତି। ବିଶେଷକରି ଲଇକେରା ପଞ୍ଚାୟତର ତଳିଆ ଅଞ୍ଚଳର ଚାଷଜମିକୁ ପାଣି ପହଞ୍ଚୁନଥିବାରୁ ଚାଷକାର୍ଯ୍ୟ ଗୁରୁତର ଭାବେ ପ୍ରଭାବିତ ହେଉଛି।
ଚାଷୀଙ୍କ ଅଭିଯୋଗ ଅନୁଯାୟୀ, କେନାଲର ବିଭିନ୍ନ ସ୍ଥାନ ଭାଙ୍ଗିରୁଜି ଯାଇଥିବା ବେଳେ ଜଳ ନିୟନ୍ତ୍ରଣ ପାଇଁ ଲାଗିଥିବା ଫାଟକଗୁଡ଼ିକ ମଧ୍ୟ ଅଚଳ ହୋଇପଡ଼ିଛି। ଫଳରେ ଚାଷଜମିକୁ ଜଳ ଯୋଗାଣ ବ୍ୟବସ୍ଥା ବାଧାପ୍ରାପ୍ତ ହେଉଛି। ଆବଶ୍ୟକ ସମୟରେ ଜମିକୁ ପାଣି ନମିଳିବା ଯୋଗୁଁ ମାଟିରେ ଆର୍ଦ୍ରତା କମିବା ସହ ଫସଲର ବୃଦ୍ଧି ଓ ଉତ୍ପାଦନ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି। ଅନ୍ୟପକ୍ଷରେ, କେନାଲ ଦେଇ ପ୍ରବାହିତ ଜଳ ଚାଷଜମିକୁ ଯିବା ପରିବର୍ତ୍ତେ ନଦୀକୁ ବୋହିଯାଇ ଅପଚୟ ହେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
ଏହି ସମସ୍ୟାର ସମାଧାନ ପାଇଁ ଚାଷୀମାନେ ବାରମ୍ବାର କ୍ଷୁଦ୍ର ଜଳସେଚନ ବିଭାଗର ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଆଖିଦୃଶିଆ ପଦକ୍ଷେପ ନିଆଯାଇନଥିବା ସେମାନେ କହିଛନ୍ତି। ବିଭାଗୀୟ ଅଧିକାରୀଙ୍କ ନିଷ୍କ୍ରିୟତା ଓ କାର୍ଯ୍ୟାଳୟରେ ଅନୁପସ୍ଥିତିକୁ ନେଇ ଚାଷୀଙ୍କ ଅସନ୍ତୋଷ ଦିନକୁ ଦିନ ବଢ଼ିବାରେ ଲାଗିଛି।
ଚାଷୀଙ୍କ ସ୍ୱାର୍ଥ ଓ ଚାଷର ସୁରକ୍ଷା ଦୃଷ୍ଟିରୁ ତୁରନ୍ତ କେନାଲର ଭଙ୍ଗା ଅଂଶଗୁଡ଼ିକର ମରାମତି, ଅଚଳ ଫାଟକର ପୁନଃ କାର୍ଯ୍ୟକ୍ଷମ ଏବଂ ତଳିଆ ଅଞ୍ଚଳକୁ ସୁବ୍ୟବସ୍ଥିତ ଭାବେ ଜଳ ଯୋଗାଣ କରିବାକୁ ଚାଷୀମାନେ ଦାବି କରିଛନ୍ତି। ଏଥିସହ କେନାଲ ମରାମତି କାର୍ଯ୍ୟର ଗୁଣବତ୍ତା ଓ ଖର୍ଚ୍ଚ ହୋଇଥିବା ଅର୍ଥର ବିନିଯୋଗ ସମ୍ପର୍କରେ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ମଧ୍ୟ ସେମାନେ ପ୍ରଶାସନର ହସ୍ତକ୍ଷେପ ଲୋଡ଼ିଛନ୍ତି।
ଏ ସମ୍ପର୍କରେ କ୍ଷୁଦ୍ର ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଦେବଦତ୍ତ ଦାସଙ୍କ ସହ ଯୋଗାଯୋଗ କରିବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇପାରିନଥିଲା। ଏଭଳି ପରିସ୍ଥିତିରେ ଚାଷୀଙ୍କ ଫସଲକୁ ଜଳସଙ୍କଟରୁ ରକ୍ଷା କରିବା ପାଇଁ ବିଭାଗ କେବେ ତତ୍ପରତା ପ୍ରକାଶ କରୁଛି, ତାହାକୁ ନେଇ ଅଞ୍ଚଳବାସୀ ଅପେକ୍ଷା କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ