
ଝାରସୁଗୁଡ଼ା, ୧୧ ଅକ୍ଟୋବର (ହି.ସ.)ଆନ୍ତର୍ଜାତୀୟ କନ୍ୟା ଦିବସ ଅବସରରେ ଆଜି ଝାରସୁଗୁଡ଼ା ଜିଲ୍ଲାରେ ବାଲ୍ୟ ବିବାହ ନିରାକରଣ, କନ୍ୟାଶିଶୁଙ୍କ ଅଧିକାର ସୁରକ୍ଷା ଏବଂ ଶିକ୍ଷା ଓ ସୁରକ୍ଷା ସମ୍ପର୍କରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏକ ପଦଯାତ୍ରା ଆୟୋଜିତ ହୋଇଥିଲା। ରବିବାର ସକାଳ ୯ଟାରେ ପୁରୁଣା ବସ୍ଷ୍ଟାଣ୍ଡରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ମନମୋହନ ପଡ଼ିଆ ପର୍ଯ୍ୟନ୍ତ ଯାଇଥିଲା।
ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ, ବିଶେଷକରି ପୁଲିସ ବିଭାଗର ଆୟୋଜନ ଓ ନେତୃତ୍ୱରେ ଏହି ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଥିଲା। ଏଥିରେ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ଅନ୍ତର୍ଗତ DHEW ବିଭାଗ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ମହିଳା ହେଲ୍ପଲାଇନ୍, ଶିଶୁ ହେଲ୍ପଲାଇନ୍ ସମେତ ଆଦି ସବୁ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ସହଯୋଗ କରିଥିଲେ।
ପଦଯାତ୍ରା ସମୟରେ ଅଂଶଗ୍ରହଣକାରୀମାନେ ବାଲ୍ୟ ବିବାହ ବିରୋଧରେ ବିଭିନ୍ନ ସଚେତନତାମୂଳକ ସ୍ଲୋଗାନ ଦେଇ ଜନସାଧାରଣଙ୍କୁ ସଚେତନ କରିଥିଲେ। “ବାଲ୍ୟ ବିବାହ ଏକ ଅପରାଧ—ଏହାକୁ ରୋକିବା ଆମ ସମସ୍ତଙ୍କ ଦାୟିତ୍ୱ”, “ଝିଅକୁ ପଢ଼ାନ୍ତୁ, ତା’ର ଭବିଷ୍ୟତ ଗଢ଼ନ୍ତୁ”, “ବାଲ୍ୟ ବିବାହକୁ ନା, ଶିକ୍ଷା ଓ ସଶକ୍ତିକରଣକୁ ହଁ” ଏବଂ “କନ୍ୟାଶିଶୁଙ୍କ ଅଧିକାର, ସୁରକ୍ଷା ଓ ସମ୍ମାନ—ସମୃଦ୍ଧ ସମାଜର ପରିଚୟ” ଭଳି ସ୍ଲୋଗାନ ମାଧ୍ୟମରେ ଏହି ବାର୍ତ୍ତା ପ୍ରସାର କରାଯାଇଥିଲା।
କନ୍ୟାଶିଶୁମାନେ ସମାଜର ଭବିଷ୍ୟତ। ସେମାନଙ୍କୁ ଉପଯୁକ୍ତ ଶିକ୍ଷା, ସୁରକ୍ଷା, ସମାନ ଅଧିକାର ଓ ଉନ୍ନତିର ସୁଯୋଗ ଯୋଗାଇଦେବା ସହ ବାଲ୍ୟ ବିବାହ ଭଳି ସାମାଜିକ କୁପ୍ରଥାର ମୂଳୋତ୍ପାଟନ କରିବା ଆମ ସମସ୍ତଙ୍କ କର୍ତ୍ତବ୍ୟ। ଏଥିପାଇଁ ପରିବାର, ସମାଜ, ଶିକ୍ଷାନୁଷ୍ଠାନ ଓ ସମସ୍ତ ସରକାରୀ ବିଭାଗର ସମନ୍ୱିତ ପ୍ରୟାସ ଅତ୍ୟନ୍ତ ଆବଶ୍ୟକ। ଏହି ପଦଯାତ୍ରା ମାଧ୍ୟମରେ କନ୍ୟାଶିଶୁଙ୍କ ସୁରକ୍ଷା, ଶିକ୍ଷା, ମର୍ଯ୍ୟାଦା ଏବଂ ବାଲ୍ୟ ବିବାହମୁକ୍ତ ସମାଜ ଗଠନ ପାଇଁ ଜନସାଧାରଣଙ୍କୁ ସଚେତନ ଓ ସହଭାଗୀ କରିବାର ବାର୍ତ୍ତା ଦିଆଯାଇଥିଲା
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ