ବ୍ରଜରାଜନଗରରେ ବହୁବିଧ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କଲେ ରାଜସ୍ବ ମନ୍ତ୍ରୀ
Minister inagurate different devlopment works
ବ୍ରଜରାଜନଗରରେ ବହୁବିଧ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଓ


ଝାରସୁଗୁଡ଼ା, , 11 ଅକ୍ଟୋବର (ହି.ସ.) ବ୍ରଜରାଜନଗର ପୌରପରିଷଦ ଅଞ୍ଚଳର ଭିତ୍ତିଭୂମି ବିକାଶ ତଥା ସାମଗ୍ରିକ ଉନ୍ନତି ପାଇଁ ଆଜି ଏକାଧିକ ଜନହିତକର ପ୍ରକଳ୍ପର ଶୁଭ ଉଦଘାଟନ, ଶିଳାନ୍ୟାସ ଓ ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରାୟ ୮ କୋଟି ଟଙ୍କା ବ୍ୟୟଅଟକଳର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି। ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବିକୁ ପୂରଣ କରି ୩.୬୦ କୋଟି ଟଙ୍କା ବିନିମୟରେ ନୂତନ ଆମିଷ ମାର୍କେଟ କମ୍ପ୍ଲେକ୍ସ ଏବଂ ୩.୪୨ କୋଟି ଟଙ୍କା ବ୍ୟୟରେ ଏକ ଭବ୍ୟ ପାଠାଗାର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି ଅତ୍ୟାଧୁନିକ ପାଠାଗାର ନିର୍ମାଣ ଦ୍ୱାରା ସ୍ଥାନୀୟ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇପାରିବେ ଏବଂ ସାଧାରଣ ପାଠକମାନେ ମଧ୍ୟ ବିଶେଷ ଭାବରେ ଉପକୃତ ହେବେ। ଏହା ସହିତ ଲଜକୁରା ଠାରେ ୪୮ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ପ୍ରଥମ ପର୍ଯ୍ୟାୟ ଗୋଶାଳାର ଶୁଭ ଉଦଘାଟନ ହୋଇଛି। ସେହିପରି ଗୋଲ ଛକ ଠାରେ ୪୦ ଲକ୍ଷ ଟଙ୍କା ବିନିମୟରେ ଆଧୁନିକୀକରଣ କରାଯାଇଥିବା ଡ୍ରାମା ପେଣ୍ଡାଲ ଏବଂ ଗାନ୍ଧୀ ଛକ ଠାରେ ୨୩.୫ ଲକ୍ଷ ଟଙ୍କା ବ୍ୟୟରେ ନବୀକରଣ ହୋଇଥିବା ନୂତନ ଗୋଷ୍ଠୀ କେନ୍ଦ୍ର ତଥା ପେଣ୍ଡାଲକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରାଯାଇଛି। ଡ୍ରାମା ପେଣ୍ଡାଲର ଉନ୍ନତୀକରଣ ଫଳରେ ଅଞ୍ଚଳର କଳା, ସଂସ୍କୃତି ଓ ନାଟ୍ୟପ୍ରେମୀଙ୍କ ପାଇଁ ଏକ ଉପଯୁକ୍ତ ମଞ୍ଚ ସୃଷ୍ଟି ହୋଇପାରିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

ଏହି ସମାରୋହରେ ସମ୍ମାନିତ ଅତିଥି ଭାବେ ସାଂସଦଙ୍କ ପ୍ରତିନିଧି ସୁନୀଲ କୁମାର ଦାଶ, ବ୍ରଜରାଜନଗର ପୌରପାଳିକାର ଭାରପ୍ରାପ୍ତ ନଗରପାଳ କ୍ରିଷ୍ଣାଗୋପାଲ ସିତାନି, କାର୍ଯ୍ୟନିର୍ବାହୀ ଅଧିକାରୀ ଚନ୍ଦ୍ରମଣି ସ୍ୱାଇଁ ଏବଂ ଏସଡିପିଓ ଚିନ୍ତାମଣି ପ୍ରଧାନ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ କାଉନସିଲର ରୁଦ୍ର ନାରାୟଣ ଭୋଇ, ଗିରିଶ ଡନସନା, ମୀନା ନାୟକ, ଦ୍ରୌପଦୀ ମେହେର, ନିକିତା ସେଠ୍ ଏବଂ ରୁନୁ ବାଗଙ୍କ ସମେତ ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନସାଧାରଣ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande