

ବଲାଙ୍ଗୀର, ୧୧ ଅକ୍ଟୋବର(ହି.ସ.) – ଏ ପୃଥିବୀରେ ପୁସ୍ତକଠୁ ବଳି ଘନିଷ୍ଠ ଓ ବିଶ୍ୱସ୍ତ ବନ୍ଧୁ କେହି ନାହିଁ। ପୁସ୍ତକ ସହ ନିଷ୍ଠାପର ସମ୍ପର୍କ ରହିଲେ ଜୀବନର ବହୁ ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତିରେ ଉଚିତ ମାର୍ଗଦର୍ଶନ ମିଳିଥାଏ। ଶିକ୍ଷା କେବଳ ପାଠ୍ୟ ପୁସ୍ତକ ଓ ନିର୍ଦ୍ଦିଷ୍ଟ ବୟସ ଭିତରେ ସୀମିତ ନୁହେଁ, ବିଭିନ୍ନ ବିଷୟକୁ ନେଇ ରଚିତ ନାନାଦି ପୁସ୍ତକ ମଣିଷକୁ ସାରାଜୀବନ ଅସୀମ ଶିକ୍ଷା ଦେଇଥାଏ। ସ୍ଥାନୀୟ ସଂସ୍କୃତି ଭବନ ସଭାକକ୍ଷରେ ବଲାଙ୍ଗୀରର ଅଗ୍ରଣୀ ସାହିତ୍ୟିକ, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ରଚନା' ଦ୍ୱାରା ଆୟୋଜିତ ମୋତେ ପ୍ରଭାବିତ କରିଥିବା ବହିଟିଏ' ଶୀର୍ଷକ ଆଲୋଚନାଚକ୍ରରେ ଏଭଳି ମତ ପ୍ରକାଶ ପାଇଛି। ଏଥିରେ ଅତିଥି ବକ୍ତା ଭାବରେ ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମି ରଞ୍ଜନ ମିଶ୍ର, ବିଶିଷ୍ଟ ସାହିତ୍ୟିକ ପ୍ରଦୀପ କୁମାର ମିଶ୍ର, ସୃଜନ ସଳିତା ନବନୀତା ପତ୍ରିକାର ପ୍ରକାଶକ ଓ ସମ୍ପାଦକ ରାଜେଶ ଝାଙ୍କର, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଗବେଷକ ଶୁଭ୍ରାଂଶୁ ବେହେରା, ବୀଣାପାଣି ଶିକ୍ଷା ସୌଧର ଶିକ୍ଷୟିତ୍ରୀ ଶୁଭଶ୍ରୀ ବିଶ୍ୱାଳ, ଯୁଧିଷ୍ଠିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ସନ୍ଧ୍ୟାରାଣୀ ତ୍ରିପାଠୀ ଯୋଗଦେଇ ନିଜକୁ ପ୍ରଭାବିତ କରିଥିବା ପୁସ୍ତକ ସମ୍ପର୍କରେ କହିବା ସହିତ ପୁସ୍ତକ କିପରି ମଣିଷର ଜୀବନଦର୍ଶନକୁ ପରିବର୍ତନ କରେ, ସମାଜରେ ଥିବା କୁସଂସ୍କାର ଓ ଅନ୍ଧବିଶ୍ୱାସକୁ ଦୂର କରିବାରେ ସହାୟକ ହୋଇଥାଏ ସେ ସମ୍ପର୍କରେ ନିଜ ନିଜ ମତ ରଖିଥିଲେ। ସଭା ଆରମ୍ଭରେ ବଲାଙ୍ଗୀର ମାଟିର ବରପୁତ୍ର ବେଦବିଦ୍ୱାନ ବ୍ରଜବିହାରୀଙ୍କ ଜନ୍ମଦିନ ଅବସରରେ ତାଙ୍କର ଚିନ୍ତା' ପ୍ରବନ୍ଧ ସଂକଳନରୁ କିଛି ପାଠ କରାଯାଇ ତାଙ୍କୁ ସ୍ମରଣ କରାଯାଇଥିଲା। କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ରଚନା'ର ସହସମ୍ପାଦକ ରତ୍ନମୟ ତ୍ରିପାଠୀ ଏବଂ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ରଚନାର ବରିଷ୍ଠ ସଦସ୍ୟ ଅଧ୍ୟାପକ ଜୟକୁମାର ଆଚାର୍ଯ୍ୟ। ଏଥିରେ ସହରର ଅନେକ ବୁଦ୍ଧିଜୀବୀ, ପୁସ୍ତକପ୍ରେମୀ, ଜିଲ୍ଲା ପାଠାଗାରର ଛାତ୍ରଛାତ୍ରୀ ଓ ସାହିତ୍ୟିକ ଯୋଗଦେଇଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ