
ଫୁଲବାଣୀରେ କୁଇ କ୍ଲାମ୍ବୁ ମୁଖିଆଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ, ୧୪୮ ମୁଖିଆ ସମ୍ବର୍ଦ୍ଧିତ
ଭୁବନେଶ୍ୱର, ୧୧ ଅକ୍ଟୋବର (ହି.ସ.)। କୁଇ ସମାଜର ପ୍ରାଚୀନ ସଂସ୍କୃତି, ପରମ୍ପରା ଓ ସାମାଜିକ ବ୍ୟବସ୍ଥାର ସୁରକ୍ଷା ସହ ଏହାକୁ ଆଗାମୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବା ଆମ ସମସ୍ତଙ୍କ ସାମୂହିକ ଦାୟିତ୍ୱ ବୋଲି କହିଛନ୍ତି ଓଡ଼ିଶାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।
ଫୁଲବାଣୀଠାରେ ଆୟୋଜିତ କୁଇ କ୍ଲାମ୍ବୁ ମୁଖିଆ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଗଣ୍ଡ କ୍ଲାମ୍ବୁର ମୁଖିଆମାନଙ୍କ ସହ ସାକ୍ଷାତ ଓ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ମୋଟ ୧୪୮ ଜଣ କ୍ଲାମ୍ବୁ ମୁଖିଆ ଯୋଗଦେଇଥିବା ବେଳେ ସମସ୍ତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଏକ ମଞ୍ଚରେ ସମସ୍ତ ମୁଖିଆଙ୍କୁ ଭେଟିବା ଓ ସେମାନଙ୍କ ସହ ସମୟ ବିତାଇବା ତାଙ୍କ ପାଇଁ ଆନନ୍ଦ ଓ ଗର୍ବର ବିଷୟ ବୋଲି ମନ୍ତ୍ରୀ ନିଜ ସୋସିଆଲ ମିଡିଆ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ଏଭଳି ମିଳନ କେବଳ ଏକ ସାଧାରଣ ସାକ୍ଷାତ ନୁହେଁ, ବରଂ ସମାଜର ଏକତା, ପରସ୍ପର ପ୍ରତି ବିଶ୍ୱାସ ଓ ସହଯୋଗର ପ୍ରତୀକ ବୋଲି ସେ କହିଛନ୍ତି।
ମନ୍ତ୍ରୀ କହିଛନ୍ତି ଯେ ସଂସ୍କୃତି ଓ ପରମ୍ପରା ହିଁ ଏକ ସମାଜର ପ୍ରକୃତ ପରିଚୟ। ଏହି ପରିଚୟକୁ ଭୁଲିଗଲେ କୁଇ ସମାଜ ନିଜର ମୂଳଠାରୁ ଦୂରେଇଯିବାର ଆଶଙ୍କା ରହିଛି। ତେଣୁ ପୂର୍ବପୁରୁଷଙ୍କ ଦ୍ୱାରା ଗଢ଼ି ଉଠିଥିବା ପ୍ରାଚୀନ ଓ ସମୃଦ୍ଧ ପରମ୍ପରାକୁ ବଞ୍ଚାଇ ରଖିବା ସହ ଏହାର ସୁରକ୍ଷା ପାଇଁ ସମସ୍ତେ ଆଗେଇ ଆସିବା ଆବଶ୍ୟକ।
ଆଗାମୀ ପିଢ଼ିକୁ ନିଜ ସମାଜର ସଂସ୍କୃତି ଓ ପରମ୍ପରା ସମ୍ପର୍କରେ ଅବଗତ କରାଇବା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଛନ୍ତି। ନୂତନ ପିଢ଼ିକୁ ଏହି ପରମ୍ପରାର ମହତ୍ତ୍ୱ ବୁଝାଇବା ସହ ଏହା ସମ୍ପର୍କରେ ସଠିକ୍ ଜ୍ଞାନ ଦେବା ଆମର କର୍ତ୍ତବ୍ୟ। ଏଥିପାଇଁ ବର୍ତ୍ତମାନର ପିଢ଼ିକୁ ଶିକ୍ଷା ଓ ସଚେତନତା ମାଧ୍ୟମରେ ଏହି ଐତିହ୍ୟକୁ ଜୀବନ୍ତ ରଖିବାକୁ ହେବ ବୋଲି ସେ ମତ ଦେଇଛନ୍ତି।
ବିଶେଷକରି କ୍ଲାମ୍ବୁ ଓ ଗୋତ୍ର ବ୍ୟବସ୍ଥା ସମ୍ପର୍କରେ ଆଗାମୀ ପିଢ଼ିକୁ ସଠିକ୍ ଜ୍ଞାନ ପ୍ରଦାନ କରିବା ଅତ୍ୟନ୍ତ ଜରୁରୀ ବୋଲି ମନ୍ତ୍ରୀ କହିଛନ୍ତି। ଏହାଦ୍ୱାରା କୁଇ ସମାଜର ପରମ୍ପରା ଓ ସାଂସ୍କୃତିକ ପରିଚୟ ଭବିଷ୍ୟତରେ ମଧ୍ୟ ଅକ୍ଷୁଣ୍ଣ ରହିପାରିବ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ