


ପୁରୀ, ୧୧ ଅକ୍ଟୋବର (ହି.ସ.) - ବ୍ରହ୍ମଗିରି ତହସିଲ ଅଧୀନରେ ଥିବା ଅନେକ ବାଲିବନ୍ତ ବାଲିମାଫିଆଙ୍କ ଦ୍ୱାରା ଚୋରି ହୋଇ ଏବେ ପୋଖରୀ ସୃଷ୍ଟି ହୋଇଗଲାଣି | ବ୍ରହ୍ମଗିରି ବ୍ଲକ ପ୍ରଶାସନ, ପୋଲିସ ପ୍ରଶାସନ, ତହସିଲଦାର, ଜିଲ୍ଲା ଖଣି ଅଧିକାରୀ ସମସ୍ତେ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ମହାଭାରତର ଧୃତରାଷ୍ଟ୍ର ପରି ବସିଛନ୍ତି ବୋଲି ବ୍ରହ୍ମଗିରି ଅଞ୍ଚଳରେ ପ୍ରବଳ ଆଲୋଚନା ହେଉଛି |
ବ୍ରହ୍ମଗିରି ତହସିଲ ଅଧୀନରେ ଥିବା ସିପସୁରୁବୁଲି ମୌଜା ଅନ୍ତର୍ଗତ ଗୋପୀନାଥପୁର ନରସିଂହପାଟଣା ଅଞ୍ଚଳରୁ ପ୍ରତିଦିନ ଶହ ଶହ ଟ୍ରାକ୍ଟର ଯୋଗେ ବାଲିବନ୍ତରୁ ଜେସିବି ଲଗାଇ ବାଲିଚୋରି ହେଉଥିଲେ ମଧ୍ୟ ପ୍ରଶାସନ ଚୁପ ରହିବା ଅଞ୍ଚଳବାସୀମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି | ପୁରାଣ ପ୍ରସିଦ୍ଧ ହରିସହଦେବ ମନ୍ଦିର ଚାରିପଟୁ ଦଶ ଫୁଟ ଗଭୀର ଖାଲ କରି ବାଲି ଚୋରେଇ ନେଇଥିବା ଏବେ ଦେଖିବାକୁ ମିଳିଛି | ସ୍ଥାନୀୟ ଆର. ଆଇ. କିଛି ଜାଣିନାହାଁନ୍ତି ବୋଲି ଲୋକଙ୍କୁ କହୁଛନ୍ତି | ଐତିହ୍ୟ ମନ୍ଦିରର ଦୁଇଶହ ଫୁଟ ପର୍ଯ୍ୟନ୍ତ କୌଣସି ନିର୍ମାଣ ପ୍ରଶାସନର ବିନା ଅନୁମତିରେ ହୋଇପାରିବ ନାହିଁ ବୋଲି ଆଇନ ଥିବାବେଳେ ବାଲିମାଫିଆ ଏହାକୁ ଫୁ.. କରିଛନ୍ତି |
ସାଧାରଣ ଲୋକ ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁନାହିଁ । ବାଲି, ମୋରମ ଏବଂ ଖଣିଜ ପଦାର୍ଥ ବେଆଇନ ଚୋରା ଚାଲାଣ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଖଣି ବିଭାଗ ରହିଥିଲେ ମଧ୍ୟ କୌଣସି ଟ୍ରାକ୍ଟର ସିଜ଼ କରିପାରୁନାହାଁନ୍ତି ।
ବ୍ରହ୍ମଗିରିରେ ବାଲି ଚୋରା ଚାଲାଣ ରୋକିବା ପାଇଁ ଉପକୂଳୀୟ ଜମିଜଙ୍ଗଲ ସୁରକ୍ଷା ସମିତି ପକ୍ଷରୁ ବାରମ୍ବାର ଆନ୍ଦୋଳନ ଓ ଧାରଣା ଜାରି ରହିଥିଲେ ମଧ୍ୟ ପ୍ରଶାସନ ସେଥିପ୍ରତି କର୍ଣ୍ଣପାତ କରୁନାହିଁ ବୋଲି ଅଭିଯୋଗ ହେଉଛି | ବାଲିବନ୍ତ ଓ ଝାଉଁ ଜଙ୍ଗଲ ନଷ୍ଟ ଯୋଗୁଁ ସମୁଦ୍ରର ଆଁ ରେ ଗାଁ ବୁଡିଯିବାର ସମ୍ଭାବନା ରହିଛି ବୋଲି ପରିବେଶବିତ କହୁଛନ୍ତି | ପ୍ରାକୃତିକ ବିପର୍ଯ୍ୟସ୍ତ ସମୟରେ ବାଲିବନ୍ତ ଓ ଝାଉଁ ଜଙ୍ଗଲ ରକ୍ଷା କବଚ ପାଲଟିଥାଏ | ସରକାର ବିଧାନସଭାରେ ୨୦୨୦ ମସିହାରେ ଏକ ନିୟମ ଜାରି କରି କରିବା ପରେ ଜେନାପୁର ମୌଜାରେ ରହିଥିବା ହରିସହଦେବ ବାଲିବନ୍ତରୁ ବାଲି ଚୋରା ଚାଲାଣ ବନ୍ଦ ରହିଥିଲା । ଏବେ କିଛି ବ୍ୟକ୍ତି ସେହି ବାଲିବନ୍ତରୁ ଦୈନଦିନ ବାଲି ଚୋରା ଚାଲାଣ କରୁଥିବା ସ୍ଥାନୀୟ ଅଧିବାସୀ ଅଭିଯୋଗ କରିଛନ୍ତି। ସେହିପରି କିଛି ବ୍ୟକ୍ତି ମନ୍ଦିର ପରିସରରେ ସ୍ଥାୟୀ ଗୃହ ନିର୍ମାଣ କରୁଥିବା ଅଭିଯୋଗ ହେଉଛି । ତୁରନ୍ତ ଏହି ଐତିହ୍ୟ ପୀଠରୁ ବାଲି ଚୋରାଚାଲାଣ ବନ୍ଦ କରିବା ସହ ଏଥିରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଆଇନଜୀବୀ ଦିଗମ୍ବର ବେହେରା, ରଞ୍ଜନ କୁମାର ଦଳାଇ, ବୁଲୁ ଦଳାଇଙ୍କ ସମେତ ସ୍ଥାନୀୟ ଅଧିବାସୀମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ବିଜୟ