
ରାଷ୍ଟ୍ର ନିର୍ମାଣ ଓ ସମୃଦ୍ଧ ଐତିହ୍ୟ ସହ ଯୋଡ଼ି ହୁଅନ୍ତୁ ଯୁବପିଢ଼ି- ଧର୍ମେନ୍ଦ୍ର ପ୍ରଧାନ
ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଦିଲ୍ଲୀ, ମଧ୍ୟପ୍ରଦେଶ, ମିଜୋରାମ ଓ ପଶ୍ଚିମବଙ୍ଗରୁ ଯୋଗଦେଲେ ଯୁବ ପ୍ରତିନିଧି
‘ବନ୍ଦେ ମାତରମ୍’ ମନ୍ତ୍ର ସ୍ୱାଧୀନତା ସଂଗ୍ରାମ ସମୟରେ ଦେଶବାସୀଙ୍କୁ ମାତୃଭୂମି ପ୍ରତି ଅଗାଧ ପ୍ରେମ ଏବଂ ସମର୍ପଣ ଭାବରେ ଏକାଠି କରିବାରେ ପ୍ରେରଣା ଯୋଗାଇଥିଲା
‘ବିକଶିତ ଭାରତ’ର ସଂକଳ୍ପକୁ ସାକାର କରିବାରେ ଆମ ଯୁବକମାନଙ୍କ ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।
ସମ୍ବଲପୁର, ୧୦ ଅକ୍ଟୋବର (ହି.ସ)– ସମ୍ବଲପୁର ମାଟିର ବୀରତ୍ୱ, ସଂସ୍କୃତି ଓ ସାହିତ୍ୟ ଆମ ସମୃଦ୍ଧ ଐତିହ୍ୟର ଅମୂଲ୍ୟ ଅଧ୍ୟାୟ । ଏହାକୁ ଭାରତର ପ୍ରତ୍ୟେକ ଯୁବପିଢି ଅନ୍ୱେଷଣ କରିବା ସହ ସବୁ ବିଷୟର ଅନୁଭବ ନେବା ଦରକାର ବୋଲି ରବିବାର ସମ୍ବଲପୁରରେ ‘ମାଇଁ ଭାରତ’ ଦ୍ୱାରା ଆୟୋଜିତ ‘ବନ୍ଦେ ମାତରମ୍ ଶିବିର’ରେ ଯୋଗଦେଇ କହିଛନ୍ତି ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ରାଷ୍ଟ୍ର ନିର୍ମାଣ ଓ ସମୃଦ୍ଧ ଐତିହ୍ୟ ସହ ଯୋଡ଼ି ହେବା ପାଇଁ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇଛନ୍ତି ଶ୍ରୀ ପ୍ରଧାନ ।
ଶ୍ରୀ ପ୍ରଧାନ ସମସ୍ତଙ୍କୁ ନବରାତ୍ରୀର ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ‘ବନ୍ଦେ ମାତରମ୍’ ମନ୍ତ୍ର ସ୍ୱାଧୀନତା ସଂଗ୍ରାମ ସମୟରେ ଦେଶବାସୀଙ୍କୁ ମାତୃଭୂମି ପ୍ରତି ଅଗାଧ ପ୍ରେମ ଏବଂ ସମର୍ପଣ ଭାବରେ ଏକାଠି କରିବାରେ ପ୍ରେରଣା ଯୋଗାଇଥିଲା । ଆଜି ମଧ୍ୟ ଏହା ଆମର ଜାତୀୟ ଗୌରବ ଏବଂ ଏକତାର ପ୍ରତୀକ ଅଟେ। ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ଭାବନାକୁ ସାକାର କରିବା ଦିଗରେ ଏହି ଶିବିର ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ।
ସମ୍ବଲପୁରର ଐତିହାସିକ ମହତ୍ତ୍ୱ ବର୍ଣ୍ଣନା କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ମାଟିରେ ମନୁଷ୍ୟ ସଭ୍ୟତାର ପ୍ରମାଣ ୧୦ ହଜାର ବର୍ଷ ପୂର୍ବରୁ ରହିଛି । ଜିଲ୍ଲାର ‘ଭୀମ ମଣ୍ଡଳୀ’ର ରକ୍ ଆର୍ଟ ଏହାର ମୁକସାକ୍ଷୀ । ବ୍ରିଟିଶମାନଙ୍କ ବିରୁଦ୍ଧରେ ସଂଗ୍ରାମ କରିଥିବା ମହାନ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ, ତାଙ୍କ ଭାଇ ଛବିଳ ସାଏ ଏବଂ୩୭ ବର୍ଷ କାଳ କାରାଦଣ୍ଡ ଭୋଗିଥିବା ସ୍ୱାଧୀନତା ସଂଗ୍ରାମୀ ଉଦନ୍ତ ସାଏଙ୍କ ବଳିଦାନ ଗାଥା ଏହି ମାଟିର ଗୌରବକୁ ଦ୍ୱିଗୁଣିତ କରିଛି । ସେ କହିଛନ୍ତି ସମ୍ବଲପୁର ମାଟି କଳା, ସାହିତ୍ୟ ଏବଂ ଆଧ୍ୟାତ୍ମର କେନ୍ଦ୍ର ମଧ୍ୟ ଅଟେ । ଏହି ପବିତ୍ର ଭୂମିରେ ସନ୍ଥକବି ଭୀମ ଭୋଇଙ୍କ ସମାଜ କଲ୍ୟାଣକାରୀ ବାଣୀ - ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ, ଦେଖୁ ଦେଖୁ କେବା ସହୁ... ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ ଆଜି ବିଶ୍ୱ ସ୍ତରରେ ଜାତିସଂଘ ପର୍ଯ୍ୟନ୍ତ ଆଦୃତ ହୋଇଛି । ସେହିପରି ମାତୃଭାଷା ଓ ସାହିତ୍ୟର ପ୍ରଖର ପ୍ରବକ୍ତା ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ଅବଦାନ ମଧ୍ୟ ଅମୂଲ୍ୟ।
ହୀରାକୁଦ ଜଳଭଣ୍ଡାର ଉପରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହା ଆଧୁନିକ ଭାରତର ସବୁଠାରୁ ବଡ଼ ଇଞ୍ଜିନିୟରିଂ ମାର୍ଭେଲ୍ ଏବଂ ଦୁନିଆର ସବୁଠାରୁ ବଡ଼ ମାଟି ବାନ୍ଧ ଅଟେ । ଡକ୍ଟର ବାବାସାହେବ ଆମ୍ବେଦକର ଏବଂ ସାର୍ ଏମ୍. ଭିଶେଶ୍ୱରୀୟାଙ୍କ ପରିକଳ୍ପନାରେ ଏହା ଗଢ଼ିଉଠିଛି । ସମ୍ବଲପୁର ସହରରେ ଭିସୁଟ୍, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ଆଇ.ଆଇ.ଏମ୍. ସମେତ ଅନେକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ରହିଛି, ଯାହା ଦେଶର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି । ଏଠାକାର ବିଦ୍ୱାନ ଏବଂ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ଡ୍ରୋନ୍ ଜାତୀୟ ସୁରକ୍ଷାରେ ମଧ୍ୟ ବ୍ୟବହାର କରାଯାଉଛି। ଏହାବ୍ୟତୀତ ସମ୍ବଲପୁରୀ ହସ୍ତତନ୍ତ ଏବଂ ଖାଦି ଆମର ସାଂସ୍କୃତିକ ପରିଚୟ ଏବଂ ସ୍ୱଦେଶୀ ଭାବନାର ପ୍ରତୀକ ଅଟେ। ଏହା କେବଳ ଏକ ପୋଷାକ ନୁହେଁ, ବରଂ ଗ୍ରାମାଞ୍ଚଳର ବୁଣାକାର ଓ କୃଷକ ପରିବାରର ସୃଜନଶୀଳତାର ଅନନ୍ୟ ପ୍ରତିଫଳନ ବୋଲି ସେ ପ୍ରଶଂସା କରିଥିଲେ।
ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ଭାରତ ପାଖରେ ବିଶ୍ୱର ସବୁଠାରୁ ବଡ଼ ଯୁବ ଶକ୍ତି ରହିଛି ବୋଲି ପ୍ରକାଶ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ କାହାରି ଧମକ କିମ୍ବା ଆଗରେ କେବେ ମୁଣ୍ଡ ନୁଆଁଇ ନାହିଁ, ନା ଆଜି ନୁଆଁଉଛି, ନା ଆଗକୁ ନୁଆଁଇବ । ଆଜି ଭାରତୀୟ ଯୁବକମାନେ ଆଇ.ଟି., ବିଜ୍ଞାନ, ଇନେଭୋସନ ଏବଂ ଗ୍ଲୋବାଲ କ୍ୟାପାବିଲିଟି ସେଣ୍ଟର ମାଧ୍ୟମରେ ବିଶ୍ୱର ନେତୃତ୍ୱ ନେଉଛନ୍ତି । ‘ବସୁଧୈବ କୁଟୁମ୍ବକମ୍’ର ଭାବନାକୁ ଆପଣାଇ ସମାଜର ଶେଷ ଧାଡ଼ିର ମଣିଷ ପାଇଁ କାମ କରିବାକୁ ସେ ଯୁବପିଢ଼ିଙ୍କୁ ଆହ୍ୱାନ ଜଣାଇଥିଲେ।
ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଗ୍ରାମୀଣ ବିକାଶ ତଥା ପଞ୍ଚାୟତରାଜ ବିଭାଗର ମନ୍ତ୍ରୀ ଶ୍ରୀ ରବିନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ବନ୍ଦେ ମାତାରମ ଶିବିରରେ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଦିଲ୍ଲୀ, ମଧ୍ୟପ୍ରଦେଶ, ମିଜୋରାମ ଏବଂ ପଶ୍ଚିମବଙ୍ଗ ଅଞ୍ଚଳରୁ ଅନେକ ଯୁବ ପ୍ରତିନିଧି ସାମିଲ ହୋଇଥିଲେ । ବନ୍ଦେ ମାତରମ୍ ଶିବିର ହେଉଛି ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନସ୍ଥ ମେରା ଯୁବା ଭାରତର ଏକ ପ୍ରମୁଖ ଜାତୀୟ ସ୍ତରୀୟ ଯୁବ କାର୍ଯ୍ୟକ୍ରମ। ଏକ ଭାରତ, ଶ୍ରେଷ୍ଠ ଭାରତ ଏବଂ ବିକଶିତ ଭାରତ ୨୦୪୭ର ପରିକଳ୍ପନା ଅନୁଯାୟୀ ଯୁବପିଢ଼ିଙ୍କ ମଧ୍ୟରେ ଜାତୀୟ ଏକତା, ଦେଶପ୍ରେମ, ସାମ୍ବିଧାନିକ ମୂଲ୍ୟବୋଧ, ସାଂସ୍କୃତିକ ଆଦାନପ୍ରଦାନ ଏବଂ ନେତୃତ୍ୱ ଦକ୍ଷତାର ବିକାଶ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ।
ସମଗ୍ର ଦେଶରେ ମୋଟ ୨୦ଟି ବନ୍ଦେ ମାତରମ୍ ଶିବିର ଆୟୋଜନ କରାଯାଉଥିବା ବେଳେ ଓଡ଼ିଶାର ସମ୍ବଲପୁର ଏହାର ଅନ୍ୟତମ ଆୟୋଜନ ସ୍ଥଳ ଭାବେ ମନୋନୀତ ହୋଇଛି । ଏହି ଶିବିର ଅବସରରେ ପ୍ରତିନିଧିମାନଙ୍କୁ ପଶ୍ଚିମ ଓଡ଼ିଶାର ଐତିହାସିକ, ସାଂସ୍କୃତିକ ଓ ପ୍ରାକୃତିକ ଐତିହ୍ୟ ସହ ପରିଚିତ କରାଇବା ଉଦ୍ଦେଶ୍ୟରେ ବୀର ସୁରେନ୍ଦ୍ର ସାଏ ସଂଗ୍ରହାଳୟ, ହୀରାକୁଦ ନଦୀବନ୍ଧ, ଦେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟ, ମା' ସମଲେଶ୍ୱରୀ ମନ୍ଦିର, ଘଣ୍ଟେଶ୍ୱରୀ ମନ୍ଦିର ଏବଂ କର୍ଡୋଲା ଗ୍ରାମ ପରିଦର୍ଶନର ବ୍ୟବସ୍ଥା ରହିଛି। କାରଡୋଲା ପରିଦର୍ଶନ ସମୟରେ ଯୁବ ପ୍ରତିନିଧିମାନେ ପାରମ୍ପରିକ ସମ୍ବଲପୁରୀ ଶାଢ଼ି ବୁଣା ପ୍ରକ୍ରିୟା ଏବଂ ସ୍ଥାନୀୟ କାରିଗରମାନଙ୍କ ଦକ୍ଷତା ଓ ଜୀବିକା ପରମ୍ପରା ସମ୍ପର୍କରେ ଅବଗତ ହେବେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା