
ଭୁବନେଶ୍ୱର, 15 ଅକ୍ଟୋବର (ହି.ସ.) : ଓଡ଼ିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମପତି ଭାରତ ରତ୍ନ ତଥା ଦେଶର ପୂର୍ବତନ ରାଷ୍ଟ୍ରପତି ଡ. ଏପିଜେ ଅବଦୁଲ କଲାମଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାପୂର୍ବକ ସ୍ମରଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଡ. କଲାମଙ୍କୁ ‘ଭାରତର ମିସାଇଲ୍ ମ୍ୟାନ୍’ ଭାବେ ମଧ୍ୟ ଜଣାଯାଏ।
ରାଜ୍ୟପାଳ ଡ. କଲାମଙ୍କୁ ଜଣେ ଦୂରଦର୍ଶୀ ବୈଜ୍ଞାନିକ, ପ୍ରେରଣାଦାୟୀ ଶିକ୍ଷକ ଏବଂ ସମର୍ପିତ ରାଷ୍ଟ୍ରଭକ୍ତ ଭାବେ ବର୍ଣ୍ଣନା କରି କହିଛନ୍ତି ଯେ, ତାଙ୍କ ଜୀବନ ଜ୍ଞାନ, ନବସୃଜନ ଓ ରାଷ୍ଟ୍ରସେବା ପ୍ରତି ଅତୁଟ ପ୍ରତିବଦ୍ଧତାର ଏକ ଉତ୍କୃଷ୍ଟ ଉଦାହରଣ।
ଡ. କଲାମଙ୍କ ଜୀବନ ଓ ତାଙ୍କ ବିଚାର ଆଜି ମଧ୍ୟ ଦେଶର ଯୁବପିଢ଼ିକୁ ପ୍ରେରଣା ଯୋଗାଉଛି। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ତାଙ୍କର ଅବଦାନ ଏବଂ ରାଷ୍ଟ୍ର ନିର୍ମାଣ ପ୍ରତି ତାଙ୍କର ସମର୍ପଣ ସର୍ବଦା ସ୍ମରଣୀୟ ହୋଇ ରହିବ। ତାଙ୍କର ମହାନ ଉତ୍ତରାଧିକାର ଆଗାମୀ ପିଢ଼ିକୁ ଦେଶର ପ୍ରଗତି ଓ ବିକାଶରେ ଅବଦାନ ରଖିବା ପାଇଁ ପ୍ରେରିତ କରିଚାଲିବ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ମହାନ ବୈଜ୍ଞାନିକ, ବିଶିଷ୍ଟ ଶିକ୍ଷାବିତ୍ ତଥା ଭାରତର ପୂର୍ବତନ ରାଷ୍ଟ୍ରପତି ଡ. ଏ.ପି.ଜେ. ଅବଦୁଲ କଲାମଙ୍କ ଜୟନ୍ତୀରେ ଭକ୍ତିପୂତ ପ୍ରଣାମ।
ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ‘ଭାରତର ମିସାଇଲ୍ ମ୍ୟାନ୍’ ଭାବେ ପରିଚିତ ଭାରତ ରତ୍ନ ଡଃ ଏ.ପି.ଜେ. ଅବଦୁଲ କଲାମଙ୍କ ଜୟନ୍ତୀ ଅବସରରେ ତାଙ୍କ ପ୍ରତି ମୋର ବିନମ୍ର ଶ୍ରଦ୍ଧାଞ୍ଜଳି। ବିଜ୍ଞାନ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ଏବଂ ବିକଶିତ ଭାରତ ଗଠନ ପାଇଁ ତାଙ୍କର ଦୂରଦର୍ଶୀ ଚିନ୍ତାଧାରା ପିଢ଼ି ପରେ ପିଢ଼ିକୁ ବଡ଼ ସ୍ୱପ୍ନ ଦେଖିବା ସହ ମହତ୍ ଉଦ୍ଦେଶ୍ୟ ନେଇ ରାଷ୍ଟ୍ରସେବା କରିବାକୁ ନିରନ୍ତର ପ୍ରେରଣା ଯୋଗାଇ ଆସୁଛି।
ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଏକ ବାର୍ତ୍ତାରେ କହିଛନ୍ତି ଯେ, ଭାରତରତ୍ନ ଡ. ଏ.ପି.ଜେ. ଅବଦୁଲ କଲାମଙ୍କ ଜୟନ୍ତୀରେ କୋଟି କୋଟି ପ୍ରଣାମ ଜଣାଉଛି । ଜଣେ ମହାନ ବୈଜ୍ଞାନିକ ଏବଂ ଯୁବପିଢ଼ିଙ୍କ ପ୍ରେରଣାସ୍ରୋତ ଭାବେ ତାଙ୍କର ଅବଦାନ ଓ ଆଦର୍ଶ ସର୍ବଦା ସ୍ମରଣୀୟ।
ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ଏକ ବାର୍ତ୍ତାରେ କହିଛନ୍ତି ଯେ, ମହାନ ବୈଜ୍ଞାନିକ, ମିସାଇଲ ମ୍ୟାନ ଭାବେ ପରିଚିତ, ଦେଶର ପୂର୍ବତନ ରାଷ୍ଟ୍ରପତି ଭାରତ ରତ୍ନ ଡକ୍ଟର ଏ.ପି.ଜେ. ଅବଦୁଲ କଲାମଙ୍କ ଜୟନ୍ତୀରେ ଭକ୍ତିପୂତ ପ୍ରଣାମ। ମହାକାଶ ଏବଂ ପ୍ରତିରକ୍ଷା ବିଜ୍ଞାନରେ ଭାରତକୁ ନୂତନ ଉଚ୍ଚତାରେ ପହଞ୍ଚାଇଥିବା ତାଙ୍କ ଅବଦାନ ସର୍ବଦା ପ୍ରେରଣାଦାୟକ ରହିବ।
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏକ ବାର୍ତ୍ତାରେ କହିଛନ୍ତି ଯେ, ପୂର୍ବତନ ରାଷ୍ଟ୍ରପତି ତଥା ଭାରତ ରତ୍ନ ସମ୍ମାନରେ ସମ୍ମାନିତ ଡଃ ଏ.ପି.ଜେ. ଅବଦୁଲ କଲାମଙ୍କ ଜୟନ୍ତୀ ଅବସରରେ ତାଙ୍କ ପ୍ରତି ବିନମ୍ର ଶ୍ରଦ୍ଧାଞ୍ଜଳି। ଜଣେ ବିଶିଷ୍ଟ ବୈଜ୍ଞାନିକ, ଲୋକପ୍ରିୟ ଶିକ୍ଷକ, ପ୍ରସିଦ୍ଧ ଲେଖକ ଏବଂ ବାଗ୍ମୀ ଭାବେ ସେ ସୁପରିଚିତ ଥିଲେ। ଓଡ଼ିଶା ସହିତ ତାଙ୍କର ଏକ ଗଭୀର ଆତ୍ମୀୟ ସମ୍ପର୍କ ଥିଲା। ଆତ୍ମନିର୍ଭର ଭାରତ ଗଠନ ପାଇଁ ଦେଶର କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମରେ ତାଙ୍କର ଅଗ୍ରଣୀ ଭୂମିକା ଏବଂ ଯୁବପିଢ଼ିର ମନରେ ନୂତନ ଚିନ୍ତାଧାରା ଓ ସ୍ୱପ୍ନର ଜ୍ୱାଳା ପ୍ରଜ୍ୱଳିତ କରିବାର ତାଙ୍କର ଦୂରଦୃଷ୍ଟି ସର୍ବଦା ଆମକୁ ମାର୍ଗଦର୍ଶନ କରିଚାଲିବ।
କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ଭାରତର ମିସାଇଲ୍ ମ୍ୟାନ୍ ତଥା ମହାନ ବୈଜ୍ଞାନିକ ଡ ଏ.ପି.ଜେ. ଅବଦୁଲ କଲାମ ଜୀଙ୍କ ଜୟନ୍ତୀ ଅବସରରେ ତାଙ୍କୁ କୋଟି କୋଟି ପ୍ରଣାମ। ତାଙ୍କର ପ୍ରେରଣାଦାୟୀ ଜୀବନ ସର୍ବଦା ଯୁବପିଢ଼ିକୁ ସ୍ୱପ୍ନ ଦେଖିବା ଏବଂ ସେହି ସ୍ୱପ୍ନକୁ ସାକାର କରିବା ପାଇଁ ପ୍ରେରଣା ଯୋଗାଇ ଚାଲିଥିବ।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ଡ ଏ.ପି.ଜେ. ଅବଦୁଲ କଲାମ ଜୀଙ୍କ ଜୟନ୍ତୀ ଅବସରରେ ତାଙ୍କୁ ସ୍ମରଣ କରୁଛୁ। ଜନତାଙ୍କ ରାଷ୍ଟ୍ରପତି ଭାବେ ପରିଚିତ ଡ କଲାମଙ୍କ ପ୍ରତି ହୃଦୟରୁ ଶ୍ରଦ୍ଧାଞ୍ଜଳି। ତାଙ୍କର ଦୂରଦର୍ଶୀ ଚିନ୍ତାଧାରା ଆଜି ମଧ୍ୟ ଯୁବପିଢ଼ିର ମନରେ ନୂତନ ଆଶା ଓ ସ୍ୱପ୍ନର ଜ୍ୱାଳା ପ୍ରଜ୍ୱଳିତ କରିବା ସହ ଏକ ବିକଶିତ ଭାରତ ଗଠନ ପାଇଁ ପ୍ରେରଣା ଯୋଗାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା