କୋଟିଆ ଓଡ଼ିଶାର, ଇଂଚଟିଏ ଜମି ବି କାହାକୁ ଦିଆଯିବ ନାହିଁ: ବିଜେପି
ଭୁବନେଶ୍ୱର, ୨୩ ଅକ୍ଟୋବର (ହି.ସ.) - କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଓଡ଼ିଶାର ଇଂଚଟିଏ ମଧ୍ୟ ଜମି କାହାକୁ ଦିଆଯିବ ନାହିଁ। ଏହା ହେଉଛି ଓଡ଼ିଶାର ଭାରତୀୟ ଜନତା ପାର୍ଟି ସରକାରଙ୍କର ସଂକଳ୍ପ। କୋଟିଆ ହେଉଛି ଓଡ଼ିଶାର ଅସ୍ମିତା ଓ ଅଖଣ୍ଡତାର ପ୍ରସଙ୍ଗ। ଏହି ପ୍ରସଙ୍ଗରେ ରାଜ୍ୟ ସରକାର ସମସ୍ତ ବିରୋଧ
bjp


ଭୁବନେଶ୍ୱର, ୨୩ ଅକ୍ଟୋବର (ହି.ସ.) - କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଓଡ଼ିଶାର ଇଂଚଟିଏ ମଧ୍ୟ ଜମି କାହାକୁ ଦିଆଯିବ ନାହିଁ। ଏହା ହେଉଛି ଓଡ଼ିଶାର ଭାରତୀୟ ଜନତା ପାର୍ଟି ସରକାରଙ୍କର ସଂକଳ୍ପ। କୋଟିଆ ହେଉଛି ଓଡ଼ିଶାର ଅସ୍ମିତା ଓ ଅଖଣ୍ଡତାର ପ୍ରସଙ୍ଗ। ଏହି ପ୍ରସଙ୍ଗରେ ରାଜ୍ୟ ସରକାର ସମସ୍ତ ବିରୋଧୀ ଦଳକୁ ସାଙ୍ଗରେ ନେଇ ଆଗକୁ ବଢ଼ିବାକୁ ପ୍ରସ୍ତୁତ ଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀବ ବାବୁ କେବଳ ଟୁଇଟ୍ କରି ଓ ଚିଠି ଲେଖି ରାଜନୈତିକ ଫାଇଦା ହାସଲ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ବିରଂଚି ନାରାୟଣ ତ୍ରିପାଠୀ କହିଛନ୍ତି।

କୋଟିଆ ପ୍ରସଙ୍ଗରେ ବିଜେଡିର ଆଭିମୁଖ୍ୟକୁ ସମାଲୋଚନା କରି ବିଜେପି ନେତା ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ଦୀର୍ଘ ୨୪ ବର୍ଷ ଶାସନରେ ରହିଥିବା ବିଜେଡି ସରକାର କୋଟିଆର ବିକାଶ ଓ ସୀମା ବିବାଦର ସମାଧାନ ପାଇଁ କ’ଣ କରିଥିଲା, ତାହାର ହିସାବ ଓଡ଼ିଶାବାସୀଙ୍କୁ ଦେବା ଆବଶ୍ୟକ।

୨୦୨୨ରେ କୋଟିଆ ଗସ୍ତ ପାଇଁ ବିଧାନସଭା ଗୃହ କମିଟି ଗଠନ ଘୋଷଣା ସତ୍ୱେ ତତ୍କାଳୀନ ସରକାର ଏଥିରେ ତତ୍ପରତା ଦେଖାଇନଥିଲେ। ୨୦୨୧ରେ ଆନ୍ଧ୍ର ପ୍ରଶାସନ କୋଟିଆର କେତେକ ଗ୍ରାମରେ ପଞ୍ଚାୟତ ନିର୍ବାଚନ କରାଇଥିବାବେଳେ ତାହାକୁ ରୋକିବାରେ ବିଜେଡି ସରକାର ବିଫଳ ହୋଇଥିଲେ। ଏପରିକି ଆନ୍ଧ୍ରର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଓଡ଼ିଶା ଗସ୍ତ ସମୟରେ ମଧ୍ୟ କୋଟିଆରେ ଆନ୍ଧ୍ର ପ୍ରଶାସନର କାର୍ଯ୍ୟକଳାପକୁ ରୋକିବାରେ ତତ୍କାଳୀନ ସରକାର ବିଫଳ ହୋଇଥିବା ସେ ଅଭିଯୋଗ କରିଛନ୍ତି।

ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ବିଜେପି ବିରୋଧୀ ଦଳରେ ଥିବାବେଳେ ଦଳୀୟ ନେତାମାନେ କୋଟିଆ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିଥିଲେ। ବର୍ତମାନର ବିଜେପି ସରକାର କୋଟିଆ ସମସ୍ୟାର ସମାଧାନ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରିବା ସହ ଅଂଚଳରେ ବିଦ୍ୟୁତ୍, ଶିକ୍ଷା, ଆବାସ, ରାସନ ଓ ‘ସୁଭଦ୍ରା’ ଯୋଜନାର ସୁବିଧା ପହଂଚାଇବା ଦିଗରେ ପଦକ୍ଷେପ ନେଇଛି। ଆନ୍ଧ୍ରର ପଂଚାୟତ ନିର୍ବାଚନ ପ୍ରସଙ୍ଗ ସାମ୍ନାକୁ ଆସିବା ପରେ ମଧ୍ୟ ସରକାର ଆଇନଗତ ଓ ପ୍ରଶାସନିକ ରଣନୀତି ପ୍ରସ୍ତୁତ କରିଛନ୍ତି।

କେନ୍ଦ୍ର ସରକାର ଆନ୍ଧ୍ର ଉପରେ ନିର୍ଭରଶୀଳ ଥିବାରୁ ବିଜେପି ନିରବ ରହିଛି ବୋଲି ବିଜେଡିର ଅଭିଯୋଗକୁ ଖଣ୍ଡନ କରି ସେ କହିଛନ୍ତି, ଏନ୍ଡିଏ ପାଖରେ ଟିଡିପିର ସମର୍ଥନ ବିନା ମଧ୍ୟ ଲୋକସଭାରେ ବହୁମତ ରହିଛି। ବିଜେଡି ନିଜର ୨୪ ବର୍ଷର ନିଷ୍କ୍ରିୟତା ଲୁଚାଇବା ପରିବର୍ତେକୋଟିଆ ପାଇଁ ନିଜ ସରକାରର ଅବଦାନର ଜବାବ ଦେବା ଉଚିତ ବୋଲି ସେ କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ ଓ ରାଜ୍ୟ ପ୍ରବକ୍ତା ସଞ୍ଜୟ ରଥ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande