
ନୂଆଦିଲ୍ଲୀ, ୨୩ ଅକ୍ଟୋବର (ହି,ସ)- ଆର୍ôଥକ ଅନିୟମିତତା ଏବଂ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ମେଗା ମିଲେନିୟମ୍ ପ୍ରାଇଭେଟ୍ ଲିମିଟେଡ୍ ବିରୋଧରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ କରିଛି। କେନ୍ଦ୍ରୀୟ ଏଜେନ୍ସି ପକ୍ଷରୁ ମୁମ୍ବାଇ, ଦିଲ୍ଲୀ ଏବଂ ମହାରାଷ୍ଟ୍ରର କର୍ଜତଠାରେ ଏକକାଳୀନ ଚଢ଼ାଉ ଜାରି ରହିଛି।
ସୂତ୍ର ଅନୁସାରେ, ଦିଲ୍ଲୀ ଓ ମୁମ୍ବାଇରେ କମ୍ପାନୀର କାର୍ଯ୍ୟାଳୟ, ଏହାର ନିର୍ଦ୍ଦେଶକମାନଙ୍କ ବାସଭବନ ଏବଂ ମହାରାଷ୍ଟ୍ରର କର୍ଜତଠାରେ ଥିବା ଏକ ଫାର୍ମହାଉସ୍ ସମେତ ମୋଟ ପ୍ରାୟ ୬ଟି ସ୍ଥାନରେ ଏହି ଚଢ଼ାଉ କରାଯାଉଛି। ଏହି କାର୍ଯ୍ୟାନୁଷ୍ଠାନ ସମୟରେ ବିପୁଳ ପରିମାଣର ବିଦେଶୀ ମୁଦ୍ରା, ଭାରତୀୟ ମୁଦ୍ରା ଏବଂ ମୂଲ୍ୟବାନ ସାମଗ୍ରୀ ଜବତ ହୋଇଥିବା ଖବର ମିଳିଛି।
ଏହି ମାମଲାର କେନ୍ଦ୍ରରେ ମୁମ୍ବାଇର ଜଣାଶୁଣା ବ୍ୟବସାୟୀ ଏବଂ ପରାମର୍ଶଦାତା ହରିଶ ଦେଧିଆ ରହିଛନ୍ତି। ଇଡିର ତଦନ୍ତରୁ ଜଣାପଡ଼ିଛି ଯେ, ଏହି ଗ୍ରୁପ୍ର କମ୍ପାନୀଗୁଡ଼ିକରେ ହରିଶ ଦେଧିଆ ଏବଂ ତାଙ୍କ ପତ୍ନୀ ଧାରା ଦେଧିଆ ପ୍ରମୁଖ ନିର୍ଦ୍ଦେଶକ ଭାବେ ସାମିଲ ଅଛନ୍ତି।
ତଦନ୍ତକାରୀ ଏଜେନ୍ସିକୁ ଠୋସ୍ ପ୍ରମାଣ ମିଳିଛି ଯେ, ହରିଶ ଦେଧିଆ ନିଜର କର୍ମଚାରୀ ଏବଂ ନାମକୁ ମାତ୍ର ଥିବା ଲୋକଙ୍କୁ ଆଗରେ ରଖି ଅନେକ ଜାଲ୍ କମ୍ପାନୀ ଗଠନ କରିଥିଲେ। ଆଶ୍ଚର୍ଯ୍ୟଜନକ କଥା ହେଉଛି, ଏହି କମ୍ପାନୀଗୁଡ଼ିକ ଗଠନ ହେବାର ମାତ୍ର ଏକ ବର୍ଷ ମଧ୍ୟରେ ଦୁବାଇ ଏବଂ ସିଙ୍ଗାପୁରର ସନ୍ଦେହଜନକ ବିଦେଶୀ ସଂସ୍ଥାଗୁଡ଼ିକରୁ ବିପୁଳ ପରିମାଣର ବିଦେଶୀ ମୁଦ୍ରା ଆସିଥିଲା। ଏହି ଅର୍ଥକୁ ଅନେକ ଜାଲ୍ କମ୍ପାନୀର ଜାଲ ମାଧ୍ୟମରେ ଘୁରାଇ ଟଙ୍କାର ପ୍ରକୃତ ଉତ୍ସ ଲୁଚାଇବାକୁ ଉଦ୍ୟମ କରାଯାଇଥିଲା।
ବର୍ତମାନ ଇଡିର ଏହି ବଡ଼ ଧରଣର ତଲାସୀ ଅଭିଯାନ ଜାରି ରହିଛି। ଜବତ ହୋଇଥିବା ଦସ୍ତାବିଜ୍ ଏବଂ ପ୍ରମାଣ ଆଧାରରେ ଏହି ସିଣ୍ଡିକେଟ୍ ସହ ଜଡ଼ିତ ଅନ୍ୟ ବ୍ୟକ୍ତିମାନଙ୍କ ବିରୋଧରେ ମଧ୍ୟ ଆଗକୁ କାର୍ଯ୍ୟାନୁଷ୍ଠାନ ହେବାର ସମ୍ଭାବନା ରହିଛି।
------------
ହିନ୍ଦୁସ୍ଥାନ ସମାଚାର / ଗଗନ