
ଭୁବନେଶ୍ୱର, ୨୩ ଅକ୍ଟୋବର (ହି.ସ.) - ଓଡ଼ିଶାର ମାଳିକା ପୁରୁଷ ଭାବେ ପରିଚିତ, ସିଦ୍ଧ ସାଧକ, ସଙ୍ଗୀତଜ୍ଞ, ସ୍ୱାଧୀନତା ସଂଗ୍ରାମୀ, ସନ୍ଥ ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ଉପରେ ଆଧାରିତ ‘ଅନୁଭୂତିରେ ବାବା ବୈକୁଣ୍ଠନାଥ’ ପୁସ୍ତକ ବାବାଙ୍କ ପ୍ରତି ସମର୍ପିତ ପ୍ରାଣ ଡଃ ପୂର୍ଣ୍ଣଚନ୍ଦ୍ର ମହାନ୍ତିଙ୍କ ଦ୍ୱାରା ଲେଖା ଯାଇଛି। ଏହି ପୁସ୍ତକଟି ଆସନ୍ତା ୨୬ ତାରିଖ ସୋମବାର ପୂର୍ବାହ୍ନରେ ୟୁନିଟ୍-୯ସ୍ଥିତ ଏକାମ୍ର ସତ୍ୟସେବା ଆଶ୍ରମ ସଭାଗୃହରେ ବରେଣ୍ୟ ସନ୍ଥ ପରମହଂସ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀଙ୍କ ଦ୍ୱାରା ଲୋକାର୍ପିତ ହେବ।
ବାବା ସତ୍ୟାନନ୍ଦ ଦାସ ମହାରାଜଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଅମର ପ୍ରସାଦ ଶତପଥୀ, ଆର୍ଯ୍ୟସମାଜ ଓଡ଼ିଶାର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ହାପି ମୁଭମେଂଟ ଇଣ୍ଡିଆର ଅଧ୍ୟକ୍ଷ ଡଃ ରାଜେନ୍ଦ୍ର ପ୍ରସାଦ ପଣ୍ଡା, ଆଶ୍ରମର ସଭାପତି ବାବା ଶ୍ରୀ ଶ୍ରଦ୍ଧାନନ୍ଦ ଦାସ ପ୍ରମୁଖ ଯୋଗଦେବେ। ଏହି ଅବସରରେ ଏକାମ୍ର ସତ୍ୟସେବା ଆଶ୍ରମକୁ ଭୂମି ବଂଟନ କରିଥିବା ତଥା ଆଶ୍ରମ ପ୍ରତିଷ୍ଠାରେ ସହଯୋଗ କରିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସ୍ମୃତିରେ ପ୍ରଥମ ଜାନକୀ ବଲ୍ଲଭ ସ୍ମୃତି ସମ୍ମାନ ଓଡ଼ିଶା ପୂଜ୍ୟପୂଜା ଟ୍ରଷ୍ଟର ଅଧ୍ୟକ୍ଷ, ସଂସ୍କୃତି ପୁରୁଷ ଭାବେ ପରିଚିତ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କୁ ପ୍ରଦାନ କରାଯିବ ବୋଲି ଆଶ୍ରମର ମୁଖ୍ୟ ଉପଦେଷ୍ଟା ଡଃ ପୂର୍ଣ୍ଣଚନ୍ଦ୍ର ମହାନ୍ତି ଏକ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା