କୋରାପୁଟ–କିରଣ୍ଡୁଲ ରେଳ ସେକ୍ସନର ମାଲିଗୁଡ଼ା–ଜରତି ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ, ସୀମିତ ଗତିରେ ମାଲବାହୀ ଟ୍ରେନ୍ ଚଳାଚଳକୁ ଅନୁମତି
ଜୟପୁର, ୨୩ ଅକ୍ଟୋବର (ହି.ସ.)- ପୂର୍ବତଟ ରେଳପଥ ପକ୍ଷରୁ କୋରାପୁଟ–କିରଣ୍ଡୁଲ ରେଳ ସେକ୍ସନର ମାଲିଗୁଡ଼ା ଅଞ୍ଚଳରେ ଭୂସ୍ଖଳନ ଦ୍ୱାରା ପ୍ରଭାବିତ ହୋଇଥିବା ସମସ୍ତ ୩ଟି ସ୍ଥାନରେ ପୁନରୁଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଗତ ସେପ୍ଟେମ୍ବର ୨୪ ତାରିଖ ଠାରୁ ଏହି ରେଳ ସେକ୍ସନରେ ଟ୍ରେନ୍ ଚଳାଚଳ ବନ୍ଦ ରହି
କୋରାପୁଟ–କିରଣ୍ଡୁଲ ରେଳ ସେକ୍ସନର ମାଲିଗୁଡ଼ା–ଜରତି ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ସୀମିତ ଗତିରେ ମାଲବାହୀ ଟ୍ରେନ୍ ଚଳାଚଳକୁ ଅନୁମତି


ଜୟପୁର, ୨୩ ଅକ୍ଟୋବର (ହି.ସ.)- ପୂର୍ବତଟ ରେଳପଥ ପକ୍ଷରୁ କୋରାପୁଟ–କିରଣ୍ଡୁଲ ରେଳ ସେକ୍ସନର ମାଲିଗୁଡ଼ା ଅଞ୍ଚଳରେ ଭୂସ୍ଖଳନ ଦ୍ୱାରା ପ୍ରଭାବିତ ହୋଇଥିବା ସମସ୍ତ ୩ଟି ସ୍ଥାନରେ ପୁନରୁଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଗତ ସେପ୍ଟେମ୍ବର ୨୪ ତାରିଖ ଠାରୁ ଏହି ରେଳ ସେକ୍ସନରେ ଟ୍ରେନ୍ ଚଳାଚଳ ବନ୍ଦ ରହିଥିବାରୁ କୋରାପୁଟ–କିରଣ୍ଡୁଲ ରେଳପଥରେ ଟ୍ରେନ୍ ସେବା ପ୍ରଭାବିତ ହୋଇଥିଲା।

ବୁଧବାର ରାତିରେ ପୁନରୁଦ୍ଧାର କାର୍ଯ୍ୟ ଶେଷ ହେବା ପରେ, ନିର୍ଦ୍ଧାରିତ ସୁରକ୍ଷା ସତର୍କତା ଏବଂ ନିରନ୍ତର ତଦାରଖ ସହିତ ସୀମିତ ଗତିରେ ମାଲବାହୀ ଟ୍ରେନ୍ ଚଳାଚଳକୁ ପୂର୍ବତଟ ରେଳପଥ ଅନୁମତି ପ୍ରଦାନ କରିଛି। ତେବେ, ରେଳଧାରଣା, ରେଳ ଭିତ୍ତିଭୂମି ଏବଂ ଅନ୍ୟାନ୍ୟ ସୁରକ୍ଷା ସମ୍ବନ୍ଧୀୟ ମାନଦଣ୍ଡର ସମ୍ପୂର୍ଣ୍ଣ ଯାଞ୍ଚ ଓ ମୂଲ୍ୟାଙ୍କନ ପରେ ଆବଶ୍ୟକ ସୁରକ୍ଷା ଅନୁମତି ମିଳିବା ପରେ ହିଁ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ଆରମ୍ଭ ହେବ।

ପୂର୍ବତଟ ରେଳପଥ ପାଇଁ ଯାତ୍ରୀ ଓ ରେଳ ଚଳାଚଳର ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା। ସୁରକ୍ଷା ସହ କୌଣସି ପ୍ରକାର ସାଲିସ ନକରି ଟ୍ରେନ୍ ଚଳାଚଳକୁ ସୁରକ୍ଷିତ ଓ ବ୍ୟବସ୍ଥିତ ଭାବରେ ପୁନଃ ଆରମ୍ଭ କରିବା ପାଇଁ ରେଳପଥ ପକ୍ଷରୁ ସମସ୍ତ ଆବଶ୍ୟକୀୟ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ପୂର୍ବତଟ ରେଳପଥର ପ୍ରମୁଖ ମୁଖ୍ୟ ଯନ୍ତ୍ରୀ ରାଜେଶ ସେଖାୱତ ଏବଂ ରାୟଗଡ଼ା ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ (ଡିଆରଏମ୍) ଅମିତାଭ ସିଂଘଲ ଅନ୍ୟାନ୍ୟ ମଣ୍ଡଳ ଅଧିକାରୀଙ୍କ ସହ ଭୂସ୍ଖଳନ ଘଟିବା ଦିନଠାରୁ ପ୍ରଭାବିତ ସ୍ଥାନଗୁଡ଼ିକରେ ଦିନରାତି ଉପସ୍ଥିତ ରହି ପୁନରୁଦ୍ଧାର କାର୍ଯ୍ୟର ନିରନ୍ତର ତଦାରଖ ଓ ପରିଚାଳନା କରୁଥିଲେ। ରେଳପଥର ପୁନରୁଦ୍ଧାର କାର୍ଯ୍ୟକୁ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବା ସହ ସର୍ବୋଚ୍ଚ ସୁରକ୍ଷା ମାନଦଣ୍ଡ ବଜାୟ ରଖିବା ପାଇଁ ସେମାନେ ବ୍ୟକ୍ତିଗତ ଭାବରେ କାର୍ଯ୍ୟର ତଦାରଖ କରୁଥିଲେ। ସିଭିଲ ଇଞ୍ଜିନିୟରିଙ୍ଗ, ବିଦ୍ୟୁତ୍ ବିଭାଗ ଏବଂ ସିଗନାଲ୍ ଓ ଟେଲିକମ୍ ବିଭାଗର କର୍ମଚାରୀମାନେ ରେଳପଥକୁ ଯଥାଶୀଘ୍ର ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ଦିନରାତି କାର୍ଯ୍ୟ କରିଥିଲେ।

ମହାପ୍ରବନ୍ଧକଙ୍କ ଦ୍ୱାରା ସୁରକ୍ଷା ଓ ଭିତ୍ତିଭୂମି ବିକାଶର ସମୀକ୍ଷା : -

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ୍ ଭୂସ୍ଖଳନ ପ୍ରଭାବିତ ମାଲିଗୁଡ଼ା ଅଞ୍ଚଳ ପରିଦର୍ଶନ କରି ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ। ସେ ଉପସ୍ଥିତ ଅଧିକାରୀମାନଙ୍କୁ ପ୍ରତ୍ୟେକ ପର୍ଯ୍ୟାୟରେ ସୁରକ୍ଷା ସୁନିଶ୍ଚିତ କରିବା ସହ ରେଳ ସେକ୍ସନର ପୁନରୁଦ୍ଧାର କାର୍ଯ୍ୟକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ମଣ୍ଡଳ ଓ ମୁଖ୍ୟାଳୟ ସ୍ତରରେ ପୁନରୁଦ୍ଧାର କାର୍ଯ୍ୟର ଦିନରାତି ନିରନ୍ତର ତଦାରଖ କରାଯାଉଥିଲା। ମାଳିଗୁଡ଼ା ରେଳ ସେତୁ ନିକଟରେ କିଲୋମିଟର ୨୧୫/୧୯ ରୁ ୨୧୫/୨୩ ମଧ୍ୟରେ ଏବଂ ମାଳିଗୁଡ଼ା ଷ୍ଟେସନ୍ ୟାର୍ଡରେ କିଲୋମିଟର ୨୧୭/୨୫ ରୁ ୨୧୭/୩୬ ମଧ୍ୟରେ ଭୂସ୍ଖଳନ ଯୋଗୁଁ ରେଳପଥ ପ୍ରଭାବିତ ହୋଇଥିଲା। ଏହି ସ୍ଥାନଗୁଡ଼ିକରେ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଯନ୍ତ୍ରୀ, ବିଦ୍ୟୁତ୍ ଏବଂ ସିଗନାଲ୍ ଓ ଟେଲିକମ୍ ବିଭାଗର କର୍ମଚାରୀମାନେ ନିରନ୍ତର କାର୍ଯ୍ୟ କରିଥିଲେ।

ଜନସାଧାରଣଙ୍କ ଅସୁବିଧା ହ୍ରାସ ପାଇଁ ରେଳପଥ ପ୍ରତିବଦ୍ଧ :-

ରେଳ ସଂଯୋଗ ବ୍ୟାହତ ହେବା ଯୋଗୁଁ ଯାତ୍ରୀ ଓ ସାଧାରଣ ଜନତାଙ୍କୁ ହୋଇଥିବା ଅସୁବିଧାକୁ ପୂର୍ବତଟ ରେଳପଥ ଗଭୀର ଭାବରେ ଅନୁଭବ କରୁଛି। ବିଶେଷ କରି ବସ୍ତର ଏବଂ ଏହାର ଆଖପାଖ ଅଞ୍ଚଳର ଲୋକଙ୍କ ପାଇଁ ଏହି ରେଳପଥ ଯାତାୟାତର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହୋଇଥିବାରୁ ଏହାର ଗୁରୁତ୍ୱକୁ ରେଳପଥ ଉପଲବ୍ଧି କରୁଛି। ଜନସାଧାରଣଙ୍କ ଅସୁବିଧା ଓ ଭାବନା ପ୍ରତି ସମ୍ବେଦନଶୀଳ ରହି ପୂର୍ବତଟ ରେଳପଥ ସୁରକ୍ଷା ସହ କୌଣସି ପ୍ରକାର ସାଲିସ ନକରି ଯଥାଶୀଘ୍ର ସ୍ୱାଭାବିକ ଟ୍ରେନ୍ ସେବା ପୁନଃ ଆରମ୍ଭ କରିବା ପାଇଁ ସମସ୍ତ ଆନ୍ତରିକ ପ୍ରୟାସ କରିଛି। ପ୍ରଭାବିତ ରେଳ ସେକ୍ସନଗୁଡ଼ିକର ସମ୍ପୂର୍ଣ୍ଣ ଯାଞ୍ଚ ଓ ମୂଲ୍ୟାଙ୍କନ ପରେ ସେଗୁଡ଼ିକୁ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ପାଇଁ ସୁରକ୍ଷିତ ଘୋଷଣା କରାଯିବା ପରେ ହିଁ ଯାତ୍ରୀବାହୀ ଟ୍ରେନ୍ ସେବା ପୁନଃ ଆରମ୍ଭ ହେବ। ଏହି କଠିନ ପରିସ୍ଥିତିରେ ଯାତ୍ରୀ ଓ ସାଧାରଣ ଜନତା ଦେଖାଇଥିବା ଧୈର୍ଯ୍ୟ, ବୁଝାମଣା ଓ ସହଯୋଗ ପାଇଁ ପୂର୍ବତଟ ରେଳପଥ ଆନ୍ତରିକ କୃତଜ୍ଞତା ଜଣାଇଛି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande