
କୋଲକାତା, ୨୩ ଅକ୍ଟୋବର (ହି.ସ)- ଝାଡ଼ଖଣ୍ଡର ସାରଣ୍ଡା ଜଙ୍ଗଲରେ ସକ୍ରିୟ ଥିବା କୁଖ୍ୟାତ ମାଓବାଦୀ ଦମ୍ପତି ମଙ୍ଗଳ ଏବଂ ମାଳତୀ ଶୁକ୍ରବାର କୋଲକାତା ପୋଲିସ ମୁଖ୍ୟାଳୟ ଲାଲବଜାରରେ ଆତ୍ମସମର୍ପଣ କରିଛନ୍ତି। ଉଭୟ ସକାଳେ ପୋଲିସ କମିଶନର ଅଜୟ ନନ୍ଦଙ୍କ ସମ୍ମୁଖରେ ଗୋଟିଏ ଏକେ-୪୭ ଏବଂ ଗୋଟିଏ ଇନସାସ୍ ରାଇଫଲ୍ ହସ୍ତାନ୍ତର କରିଥିଲେ। ଝାଡ଼ଖଣ୍ଡ ପୋଲିସ ମଙ୍ଗଳ ଉପରେ ୫ ଲକ୍ଷ ଏବଂ ମାଳତୀ ଉପରେ ୨ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲା।
ମଙ୍ଗଳ ପଶ୍ଚିମ ମେଦିନୀପୁର ଜିଲ୍ଲାର ସାଲବନୀର ବାସିନ୍ଦା ହୋଇଥିବା ବେଳେ ମାଳତୀ ଝାଡ଼ଗ୍ରାମ ଜିଲ୍ଲାର ଗୋପୀବଲ୍ଲଭପୁରର ବାସିନ୍ଦା। ପୋଲିସ ଅନୁଯାୟୀ, ମଙ୍ଗଳ ୨୦୧୦ରେ ମାଓବାଦୀ ସଂଗଠନ ସହ ଯୋଡ଼ି ହୋଇଥିଲା। ସେହି ସମୟରେ ସେ ସାଲବନୀରେ ସକ୍ରିୟ ଥିବା ଜନସାଧାରଣ କମିଟି (ପିସିପିଏ) ସହ ମଧ୍ୟ ଜଡ଼ିତ ଥିଲା।
ପୋଲିସ କମିଶନର ଅଜୟ ନନ୍ଦ କହିଛନ୍ତି ଯେ, ମଙ୍ଗଳ ମାଓବାଦୀ ନେତା କିଶନଜୀଙ୍କ ନିକଟତର ଥିଲା। ୨୦୧୧-୧୨ ପରେ ସେ ଝାଡ଼ଖଣ୍ଡ ଚାଲିଯାଇଥିଲା ଏବଂ ପ୍ରଥମେ ଦଲମା ଓ ପରେ ସାରଣ୍ଡା ଜଙ୍ଗଲରେ ମାଓବାଦୀ କାର୍ଯ୍ୟକଳାପରେ ସାମିଲ ରହିଥିଲା। ପରେ ମାଳତୀ ମଧ୍ୟ ଝାଡ଼ଗ୍ରାମ ଛାଡ଼ି ସାରଣ୍ଡାରେ ତା’ ସହ ଯୋଡ଼ି ହୋଇଥିଲା।
ପୋଲିସ ଅଧିକାରୀଙ୍କ ଅନୁଯାୟୀ, ସୁରକ୍ଷାବଳଙ୍କ ଲଗାତାର ଅଭିଯାନ ଯୋଗୁଁ ସାରଣ୍ଡା ଜଙ୍ଗଲରେ ମାଓବାଦୀଙ୍କ ପାଇଁ ରହିବା କଷ୍ଟକର ହୋଇପଡ଼ିଥିଲା। ଏହି ଚାପ ଯୋଗୁଁ ୨୦୨୬ରେ ବଙ୍ଗଳା ସହ ଜଡ଼ିତ ପ୍ରାୟ ୧୩ ଜଣ ମାଓବାଦୀ ସେହି ଅଂଚଳ ଛାଡ଼ିବା ଆରମ୍ଭ କରିଥିଲେ। ଏମାନଙ୍କ ମଧ୍ୟରୁ ଅନେକଙ୍କୁ ବିଭିନ୍ନ ସ୍ଥାନରେ ଗିରଫ କରାଯାଇଛି। ନିକଟରେ ଝାଡ଼ଖଣ୍ଡରୁ ତିନି ଜଣ ମାଓବାଦୀ ଧରାପଡ଼ିଛନ୍ତି।
ପୋଲିସ ଅନୁଯାୟୀ, ସାରଣ୍ଡାରେ ସକ୍ରିୟ ଥିବା ମଙ୍ଗଳ ବିରୋଧରେ ଝାଡ଼ଖଣ୍ଡରେ ୬ରୁ ୭ଟି ଅପରାଧିକ ମାମଲା ରୁଜୁ ହୋଇଛି। ଆତ୍ମସମର୍ପଣ ପରେ ମଙ୍ଗଳ କହିଛି ଯେ, ସଶସ୍ତ୍ର ସଂଘର୍ଷ ମାଧ୍ୟମରେ ସମାଜରେ ପରିବର୍ତନ ଆଣିବା ସମ୍ଭବ ନୁହେଁ। ତେଣୁ ସେ ହିଂସାର ପଥ ଛାଡ଼ି ରାଜ୍ୟ ସରକାରଙ୍କ ନିକଟରେ ଆତ୍ମସମର୍ପଣ କରିବା ଏବଂ ସମାଜର ମୁଖ୍ୟଧାରାରେ ସାମିଲ ହେବାକୁ ନିଷ୍ପତି ନେଇଛି।
ଉଲ୍ଲେଖଯୋଗ୍ୟ ଯେ, ଗତ କିଛି ମାସ ମଧ୍ୟରେ କୋଲକାତାରେ ମାଓବାଦୀଙ୍କ ଗିରଫଦାରୀ ଏବଂ ଆତ୍ମସମର୍ପଣ ଘଟଣା ସାମ୍ନାକୁ ଆସିଛି। ଚଳିତ ବର୍ଷ ଜୁନ୍ ମାସରେ ପୁଷ୍ପା ଓରଫ ଶକୁନ୍ତଳା କୋଲକାତା ପୋଲିସ ସମ୍ମୁଖରେ ଆତ୍ମସମର୍ପଣ କରିଥିଲେ। ଏହାର ଏକ ମାସ ପୂର୍ବରୁ ଝାଡ଼ଖଣ୍ଡର ମାଓବାଦୀ ଶ୍ରଦ୍ଧା ବିଶ୍ୱାସ ଓରଫ ବେଲାଙ୍କୁ କୋଲକାତା ପୋଲିସ ଉତର କାଶୀପୁର ଅଂଚଳରୁ ଗିରଫ କରିଥିଲା। ମଙ୍ଗଳ ଏବଂ ମାଳତୀଙ୍କ ଆତ୍ମସମର୍ପଣକୁ ପୋଲିସ ଆଉ ଏକ ବଡ଼ ସଫଳତା ବୋଲି ମାନୁଛି।
---------------
ହିନ୍ଦୁସ୍ଥାନ ସମାଚାର / ଗଗନ