
ଝାରସୁଗୁଡା, ୨୪ ଅକ୍ଟୋବର (ହି.ସ.)-
ସଡ଼କ ଦୁର୍ଘଟଣାରେ ମୃତ ଯନ୍ତ୍ରୀ ପବିତ୍ର ପାଢ଼ୀଙ୍କ ଅସ୍ଥି ବିସର୍ଜନକୁ ନେଇ ପରିବାରରେ ଦେଖାଦେଇଛି ତୀବ୍ର ବିବାଦ। ମୃତକଙ୍କ ପତ୍ନୀ ହରିତା ପାଢ଼ୀ ଓ ବଡ଼ଭାଇ ପ୍ରହଲ୍ଲାଦ ପାଢ଼ୀଙ୍କ ମଧ୍ୟରେ ଏହି ବିବାଦ ଉଗ୍ର ରୂପ ନେଇଥିବା ବେଳେ ଘଟଣାକୁ ନେଇ ବନହରପାଲି ଥାନାରେ ଉଭୟ ପକ୍ଷରୁ ପୃଥକ୍ ଏତଲା ଦିଆଯାଇଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
ପ୍ରହଲ୍ଲାଦ ପାଢ଼ୀଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ବାପା ଓ ଭାଇଙ୍କ ଅସ୍ଥି ଏକାଠି ନେଇ ବିସର୍ଜନ କରିବାକୁ ସେ ପ୍ରସ୍ତାବ ଦେଇଥିଲେ। ମାତ୍ର ଏହି ପ୍ରସ୍ତାବରେ ତାଙ୍କ ଭାଇବୋହୂ ହରିତା ରାଜି ନ ହୋଇ ବିରୋଧ କରିଥିଲେ। ଏହାକୁ ନେଇ ଗଣ୍ଡଗୋଳ ହୋଇଥିବା ସେ ଅଭିଯୋଗ କରିଛନ୍ତି। ଏଥିସହ ହରିତାଙ୍କ ସମ୍ପର୍କୀୟ ସୁନୀଲ ଦାସ, ନିଶିକାନ୍ତ ବିଶ୍ୱାଳ, ରିନୁ ସାହୁ ଓ ପିଙ୍କି ଦାସ ପ୍ରମୁଖ ତାଙ୍କ ସହ ତାଙ୍କ ମା’ ନିରବତି ପାଢ଼ୀ, ଝିଅ ଲିପସା ପାଢ଼ୀ ଓ ପତ୍ନୀ ଗୀତାରାଣୀ ପାଢ଼ୀଙ୍କୁ ମାଡ଼ ମାରିଥିବା ସେ ଏତଲାରେ ଦର୍ଶାଇଛନ୍ତି।
ଅନ୍ୟପକ୍ଷରେ ହରିତା ପାଢ଼ୀ ମଧ୍ୟ ପ୍ରହଲ୍ଲାଦଙ୍କ ବିରୋଧରେ ପାଲଟା ଅଭିଯୋଗ ଆଣିଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ, ସେ କିଛି ସମ୍ପର୍କୀୟଙ୍କୁ ସାଙ୍ଗରେ ନେଇ ତଳିବାହାଲସ୍ଥିତ ପ୍ରହଲ୍ଲାଦଙ୍କ ଘରକୁ ଯାଇଥିଲେ। ସେଠାରେ ସ୍ୱାମୀ ପବିତ୍ରଙ୍କ ଅସ୍ଥି ଦେବାକୁ ଅନୁରୋଧ କରିଥିଲେ। କିନ୍ତୁ ଅସ୍ଥି ଦେବାକୁ ମନା କରାଯିବା ସହ ଗଣ୍ଡଗୋଳ କରାଯାଇଥିବା ସେ ଅଭିଯୋଗ କରିଛନ୍ତି।
ଏହି ଘଟଣା ସମ୍ପର୍କରେ କୁମ୍ଭାରବନ୍ଧ ଫାଣ୍ଡି ଅଧିକାରୀ ପ୍ରକାଶ ଦଳେଇଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଉଭୟ ପକ୍ଷର ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଛି ଏବଂ ଘଟଣାର ତଦନ୍ତ ଜାରି ରହିଛି। ତଦନ୍ତ ପରେ ଘଟଣାର ପ୍ରକୃତ ସତ୍ୟ ସାମ୍ନାକୁ ଆସିବ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ