
ଝାରସୁଗୁଡ଼ା, ୨୪ ଅକ୍ଟୋବର (ହି.ସ.)- ଜିଲ୍ଲାରେ 'ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମୁଫ୍ତ ବିଜଲୀ ଯୋଜନା' କାର୍ଯ୍ୟକାରିତାକୁ ନେଇ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଟିପିଡବ୍ଲୁଓଡିଏଲ୍ ଅଧୀକ୍ଷଣ ଯନ୍ତ୍ରୀ ରଞ୍ଜିତ ପ୍ରଧାନ, ଓଆରଇଡିଏ, ପଞ୍ଚାୟତିରାଜ ପ୍ରତିନିଧି ତଥା ଆରଇସି ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ବୈଠକରେ ଛାତ ଉପର ସୌର ଶକ୍ତି ପ୍ରକଳ୍ପ ଏବଂ ୟୁଟିଲିଟି ଲେଡ ଆଗ୍ରିଗେସନ୍ ମଡେଲ୍ ଅଧୀନରେ ବ୍ଲକୱାରୀ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏଥିସହିତ ଜିଲ୍ଲାରେ ପ୍ରମୁଖ ଶିଳ୍ପାନୁଷ୍ଠାନ ଯଥା ଏନଟିପିସି, ବେଦାନ୍ତ ଏବଂ ଜେଏସଡବ୍ଲୁ ଭଳି ସାମାଜିକ ଦାୟିତ୍ୱବୋଧ ସହଯୋଗରେ ଚାଲିଥିବା ସୌରୀକରଣ ପ୍ରକଳ୍ପର ଅଗ୍ରଗତି ମଧ୍ୟ ସମୀକ୍ଷା କରାଯାଇଥିଲା। ଜିଲ୍ଲାରେ ‘ଆଦର୍ଶ ସୌର ଗ୍ରାମ’ ନିର୍ମାଣ ଉପରେ ଜିଲ୍ଲାପାଳ ବିଶେଷ ଗୁରୁତ୍ୱାରୋପ କରିଥିଲେ। ପୂର୍ବରୁ ଅଧିକାରୀମାନଙ୍କ ଦ୍ୱାରା କରାଯାଇଥିବା ମିଳିତ ସର୍ଭେ ଅନୁଯାୟୀ ଏଚ୍. କଟାପାଲି ଗ୍ରାମ ପଞ୍ଚାୟତରେ ସର୍ବାଧିକ ସୌର ସଂଯୋଗ ହୋଇଥିବା ଜଣାପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର ମନୋନୀତ ୧୦ଟି ଗ୍ରାମ ପଞ୍ଚାୟତ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ଏଚ୍. କଟାପାଲି ପଞ୍ଚାୟତକୁ ‘ମଡେଲ୍ ସୋଲାର ଭିଲେଜ୍’ ଭାବେ ଘୋଷଣା କରାଯାଇଛି। ଏଠାରେ ଯୋଜନାର ଶୀଘ୍ର ଓ ସୁଚାରୁ କାର୍ଯ୍ୟାନ୍ୱୟନ ଲାଗି ଓରେଡା ଏବଂ ଟିପିଡବ୍ଲୁଓଡିଏଲ୍ ଅଧିକାରୀମାନଙ୍କୁ କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ଅକ୍ଷୟ ଶକ୍ତିର ବ୍ୟବହାର ଦ୍ୱାରା ପରିବେଶ ସୁରକ୍ଷା ସହ ସାଧାରଣ ଲୋକଙ୍କ ବିଦ୍ୟୁତ ଖର୍ଚ୍ଚ ହ୍ରାସ କରିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ବୈଠକରେ ଆଲୋଚନା ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ