
ଝାରସୁଗୁଡ଼ା, ୨୬ ଅକ୍ଟୋବର (ହି.ସ.)- ଝାରସୁଗୁଡ଼ା ସହରର ମଧ୍ୟଭାଗରେ ଘଟିଥିବା ବହୁଚର୍ଚ୍ଚିତ ମଙ୍ଗସପୁରିଆ ଜୁଏଲର୍ସ ଚୋରି ଘଟଣାକୁ ଦେଢ଼ ମାସରୁ ଅଧିକ ସମୟ ବିତିଗଲାଣି। ହେଲେ ଏଯାଏଁ ଦୁର୍ବୃତ୍ତଙ୍କ ଟେର୍ ପାଇପାରିନାହିଁ ପୁଲିସ। ଚୋରି ହୋଇଥିବା ସୁନା ଅଳଙ୍କାରର ମଧ୍ୟ କୌଣସି ପତ୍ତା ମିଳିନାହିଁ। ଫଳରେ ଏହି ବଡ଼ଧରଣର ଚୋରି ଘଟଣା ପୁଲିସର ତଦନ୍ତ ଦକ୍ଷତା ଓ ଅପରାଧ ନିୟନ୍ତ୍ରଣ ବ୍ୟବସ୍ଥା ଉପରେ ପ୍ରଶ୍ନଚିହ୍ନ ଲଗାଇଛି। ଅନ୍ୟପକ୍ଷରେ, ନିଜର କଷ୍ଟାର୍ଜିତ ସମ୍ପତ୍ତି ଫେରିପାଇବା ନେଇ ଦୋକାନ ମାଲିକଙ୍କ ପରିବାରର ଚିନ୍ତା ବଢ଼ିବାରେ ଲାଗିଛି।
ଗତ ସେପ୍ଟେମ୍ବର ୧୧ ତାରିଖ ବିଳମ୍ବିତ ରାତିରେ ସହରର ପୁରୁଣା ବସ୍ତି ଛକ ନିକଟରେ ଥିବା ମଙ୍ଗସପୁରିଆ ଜୁଏଲର୍ସରେ ଏହି ଚୋରି ଘଟଣା ଘଟିଥିଲା। ଦୁର୍ବୃତ୍ତମାନେ ଦୋକାନରୁ ପ୍ରାୟ ଏକ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ସୁନା ଅଳଙ୍କାର ଲୁଟି ନେଇଥିଲେ। ଯୋଜନାବଦ୍ଧ ଭାବେ ଚୋରି କରିବା ପରେ ଦୁର୍ବୃତ୍ତମାନେ ଦୋକାନରେ ଲାଗିଥିବା ସିସିଟିଭିର ଡିଭିଆର୍ ବକ୍ସକୁ ମଧ୍ୟ ନେଇଯାଇଥିଲେ। ଫଳରେ ଦୋକାନ ଭିତରର ଦୃଶ୍ୟ ଓ ଅପରାଧୀଙ୍କ ପରିଚୟ ସମ୍ପର୍କରେ ସିଧାସଳଖ ସୁରାକ ମିଳିବା କଷ୍ଟକର ହୋଇପଡ଼ିଥିଲା। ଘଟଣା ପରେ ପୁଲିସ ତଦନ୍ତ ଆରମ୍ଭ କରିବା ସହ ଦୋକାନ ଆଖପାଖ ଅଞ୍ଚଳରେ ଲାଗିଥିବା ବିଭିନ୍ନ ସିସିଟିଭି କ୍ୟାମେରାର ଫୁଟେଜ୍ ଯାଞ୍ଚ କରିଥିଲା। ଏହା ସହ ଜିଲ୍ଲାର ବିଭିନ୍ନ ଥାନାର ଅଭିଜ୍ଞ ପୁଲିସ ଅଧିକାରୀଙ୍କୁ ନେଇ ଏକାଧିକ ଟିମ୍ ଗଠନ କରାଯାଇ ତଦନ୍ତକୁ ଜୋରଦାର କରାଯାଇଥିଲା। ତଥାପି ଏତେ ଦିନ ପରେ ମଧ୍ୟ ଅପରାଧୀଙ୍କ ପରିଚୟ, ଚୋରି ଅଳଙ୍କାରର ଠିକଣା କିମ୍ବା ଘଟଣାର ପ୍ରକୃତ ରହସ୍ୟ ଉନ୍ମୋଚନ ହୋଇପାରିନାହିଁ। ଏହି ଘଟଣାକୁ ନେଇ ରାଜନୈତିକ ମହଲରେ ମଧ୍ୟ ଚର୍ଚ୍ଚା ଜୋର୍ ଧରିଥିଲା। ଚୋରି ପରେ ପୂର୍ବତନ ବିଧାୟିକା ଦୀପାଳି ଦାସ ଦୋକାନ ମାଲିକଙ୍କ ପରିବାରକୁ ଭେଟିଥିବାରୁ ଘଟଣାଟି ରାଜନୈତିକ ଆଲୋଚନାର ପରିସରକୁ ଆସିଥିଲା। ସହରର ଏକ ପ୍ରମୁଖ ବ୍ୟବସାୟିକ ସ୍ଥାନରେ ଏତେ ବଡ଼ ଚୋରି ହେବା ଏବଂ ଦୀର୍ଘ ସମୟ ପରେ ମଧ୍ୟ ପୁଲିସ କୌଣସି ନିଷ୍କର୍ଷରେ ପହଞ୍ଚି ନପାରିବାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି।
ଏପରିକି ଏହି ଘଟଣା ପରେ ଜିଲ୍ଲାରେ ଆଉ ଦୁଇଟି ଚୋରି ଘଟଣା ସାମ୍ନାକୁ ଆସିବା ପୁଲିସ ପାଇଁ ଚିନ୍ତା ବଢ଼ାଇଛି। ଲଗାତାର ଚୋରି ଘଟଣା ସହରର ଆଇନଶୃଙ୍ଖଳା ଓ ବ୍ୟବସାୟୀଙ୍କ ସୁରକ୍ଷାକୁ ନେଇ ଚିନ୍ତା ସୃଷ୍ଟି କରିଛି। ଏବେ ସମସ୍ତଙ୍କ ନଜର ପୁଲିସର ପରବର୍ତ୍ତୀ ପଦକ୍ଷେପ ଉପରେ। ମଙ୍ଗସପୁରିଆ ଜୁଏଲର୍ସ ଚୋରି ଘଟଣାରେ ପୁଲିସ କେବେ ସଫଳତା ପାଉଛି ଏବଂ ଚୋରି ଅଳଙ୍କାର ଉଦ୍ଧାର କରି ମାଲିକଙ୍କୁ ଫେରାଇବାରେ ସକ୍ଷମ ହେଉଛି, ତାହା ଏବେ ଦେଖିବାକୁ ବାକି ରହିଲା।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ