ପଞ୍ଜାବର ଆମ ଆଦମୀ ପାର୍ଟି ସରକାର ଅପରାଧୀଙ୍କୁ ସୁରକ୍ଷା ଦେଉଛି: ବିଜେପି
ନୂଆଦିଲ୍ଲୀ, ୨୬ ଅକ୍ଟୋବର (ହି.ସ.)। ପଞ୍ଜାବର ଆମ୍ ଆଦମୀ ପାର୍ଟି (ଆପ୍) ସରକାର ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ସେମାନଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ କରିଛି ଭାରତୀୟ ଜନତା ପାର୍ଟି (ବିଜେପି)। ରାଜ୍ୟରେ ହତ୍ୟା, ନିଶାଦ୍ରବ୍ୟ ସମ୍ବନ୍ଧୀୟ ଘଟଣା ଏବଂ ଆତ୍ମହତ୍ୟା ଭଳି ଘଟଣା
गौरव भाटिया, प्रवक्ता


ନୂଆଦିଲ୍ଲୀ, ୨୬ ଅକ୍ଟୋବର (ହି.ସ.)। ପଞ୍ଜାବର ଆମ୍ ଆଦମୀ ପାର୍ଟି (ଆପ୍) ସରକାର ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ସେମାନଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ କରିଛି ଭାରତୀୟ ଜନତା ପାର୍ଟି (ବିଜେପି)। ରାଜ୍ୟରେ ହତ୍ୟା, ନିଶାଦ୍ରବ୍ୟ ସମ୍ବନ୍ଧୀୟ ଘଟଣା ଏବଂ ଆତ୍ମହତ୍ୟା ଭଳି ଘଟଣା କ୍ରମାଗତ ଭାବେ ସାମ୍ନାକୁ ଆସୁଥିବା ବେଳେ ଲୋକେ ନିଜକୁ ଅସୁରକ୍ଷିତ ମନେ କରୁଥିବା ଦଳ କହିଛି।

ସୋମବାର ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ଜାତୀୟ ମୁଖପାତ୍ର ଗୌରବ ଭାଟିଆ କହିଛନ୍ତି ଯେ, ପଞ୍ଜାବରେ ଗୁଣ୍ଡାରାଜ ଓ ଜଙ୍ଗଲରାଜ ଭଳି ସ୍ଥିତି ସୃଷ୍ଟି ହୋଇଛି। ମୋଗାରେ ଦିନଦ୍ୱିପ୍ରହରରେ ଦୁଇ ଯୁବକଙ୍କୁ ହତ୍ୟା କରାଯାଇଥିବା ଘଟଣାର ଉଲ୍ଲେଖ କରି ସେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ନୀରବତା ଉପରେ ପ୍ରଶ୍ନ ଉଠାଇଛନ୍ତି।

ଭାଟିଆ କହିଛନ୍ତି ଯେ, ମୋଗାରେ ଅସ୍ତ୍ରଶସ୍ତ୍ରଧାରୀ ଆକ୍ରମଣକାରୀମାନେ ନମ୍ବର ପ୍ଲେଟ୍ ନଥିବା ଏକ କଳା ସ୍କର୍ପିଓ ଗାଡ଼ିରେ ଆସି ଦୁଇ ଯୁବକଙ୍କ ଉପରକୁ ଲଗାତାର ଗୁଳି ଚଳାଇଥିଲେ। ଏହି ଘଟଣାରେ ଉଭୟ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ କେତେକ ଲୋକ ଆହତ ହୋଇଥିଲେ। ରାଜ୍ୟରେ ଅପରାଧୀଙ୍କ ମନୋବଳ ଏତେ ବଢ଼ିଯାଇଛି ଯେ, ସେମାନେ ଦିନଦ୍ୱିପ୍ରହରରେ ଗୁଳିକାଣ୍ଡ ଓ ହତ୍ୟା ଭଳି ଅପରାଧ ଘଟାଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ମୋଗା ହତ୍ୟାକାଣ୍ଡକୁ ନେଇ ସରକାରଙ୍କୁ ପ୍ରଶ୍ନ

ଭାଟିଆ କହିଛନ୍ତି ଯେ, ପଞ୍ଜାବରେ କ୍ରମାଗତ ଭାବେ ଘଟୁଥିବା ଅପରାଧିକ ଘଟଣା ରାଜ୍ୟର ଆଇନଶୃଙ୍ଖଳା ବ୍ୟବସ୍ଥା ଉପରେ ଗମ୍ଭୀର ପ୍ରଶ୍ନ ଉଠାଉଛି। ମୋଗା ଘଟଣାରେ ଏଫ୍ଆଇଆର୍ ରୁଜୁ ହୋଇଛି କି ନାହିଁ, କେଉଁ ଧାରାରେ ମାମଲା ରୁଜୁ କରାଯାଇଛି ଏବଂ ଏପର୍ଯ୍ୟନ୍ତ କେତେ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି, ସେ ନେଇ ସେ ପ୍ରଶ୍ନ କରିଛନ୍ତି। ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ କ’ଣ ପଦକ୍ଷେପ ନେଇଛନ୍ତି, ତାହା ମଧ୍ୟ ସ୍ପଷ୍ଟ କରିବାକୁ ସେ ଦାବି କରିଛନ୍ତି।

ପଞ୍ଜାବବାସୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଅପରାଧୀଙ୍କ ବିରୋଧରେ କଠୋର ପଦକ୍ଷେପ ନେବାର ଦାୟିତ୍ୱ ଆସିଲେ ମୁଖ୍ୟମନ୍ତ୍ରୀ ଉତ୍ତର ଦେବାରୁ ଦୂରେଇ ଯାଉଛନ୍ତି ବୋଲି ଭାଟିଆ ଅଭିଯୋଗ କରିଛନ୍ତି।

ଜନସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ଦାବି

ଭାଟିଆ ବ୍ୟଙ୍ଗ କରି କହିଛନ୍ତି ଯେ, ଭଗୱନ୍ତ ମାନଙ୍କ ପାଖରେ ବିଦେଶ ଯାତ୍ରା ଓ ଦାମୀ ବିଦେଶୀ ସାମଗ୍ରୀ ପାଇଁ ସମୟ ରହିଛି, କିନ୍ତୁ ରାଜ୍ୟରେ ଘଟୁଥିବା ହତ୍ୟାକାଣ୍ଡ ସମ୍ପର୍କରେ ଉତ୍ତର ଦେବାକୁ ସମୟ ନାହିଁ।

ଆପ୍ ସରକାରକୁ ସମାଲୋଚନା କରି ସେ କହିଛନ୍ତି ଯେ, ପଞ୍ଜାବରେ ହତ୍ୟା, ନିଶାଦ୍ରବ୍ୟ ସମ୍ବନ୍ଧୀୟ ଘଟଣା ଓ ଆତ୍ମହତ୍ୟା ଭଳି ଘଟଣା କ୍ରମାଗତ ଭାବେ ସାମ୍ନାକୁ ଆସୁଛି। ସରକାରଙ୍କ ପ୍ରାଥମିକତା ଜନସାଧାରଣଙ୍କ ସୁରକ୍ଷା ହେବା ଉଚିତ। କିନ୍ତୁ ବର୍ତ୍ତମାନର ପରିସ୍ଥିତିରେ ପୀଡ଼ିତ ଲୋକେ ନିଜକୁ ଅସହାୟ ମନେ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande