
ଦ- ଏଡିଏମ୍ଏମ୍-ପ୍ଲସ୍ରେ ଅଂଶଗ୍ରହଣ କରୁଥିବା ଦେଶଗୁଡ଼ିକର ସମକକ୍ଷ ମନ୍ତ୍ରୀଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା
ନୂଆଦିଲ୍ଲୀ, ୨୬ ଅକ୍ଟୋବର (ହି.ସ.)- ଫିଲିପାଇନ୍ସର ସେବୁଠାରେ ଅକ୍ଟୋବର ୨୮ରୁ ୨୯ ପର୍ଯ୍ୟନ୍ତ ହେବାକୁ ଥିବା ୧୩ତମ ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ର ସଂଘ (ଆସିଆନ୍) ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକ (ଏଡିଏମ୍ଏମ୍)-ପ୍ଲସ୍ରେ ଭାରତୀୟ ପ୍ରତିନିଧିମଣ୍ଡଳର ନେତୃତ୍ୱ ନେବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ସେ ଆଂଚଳିକ ଏବଂ ଅନ୍ତର୍ଜାତୀୟ ସୁରକ୍ଷା ପ୍ରସଙ୍ଗରେ ଏହି ମଂଚକୁ ସମ୍ବୋଧିତ କରିବେ। ପ୍ରତିରକ୍ଷା ମନ୍ତ୍ରୀ ଏଡିଏମ୍ଏମ୍-ପ୍ଲସ୍ ସମୟରେ ଅଂଶଗ୍ରହଣକାରୀ ଦେଶଗୁଡ଼ିକର ସମକକ୍ଷ ମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ସେ ଆସିଆନ୍ ଦେଶଗୁଡ଼ିକ ସହ ଚାଲିଥିବା ପ୍ରତିରକ୍ଷା ସମ୍ପର୍କର ସମୀକ୍ଷା କରିବେ ଏବଂ ରଣନୈତିକ ସହଭାଗିତାକୁ ଆହୁରି ମଜବୁତ କରିବାର ଉପାୟ ଖୋଜିବେ। ଏହି ମଂଚ ସଦସ୍ୟ ଦେଶଗୁଡ଼ିକ ପାଇଁ ସୁରକ୍ଷା ଏବଂ ପ୍ରତିରକ୍ଷା ସହଯୋଗକୁ ମଜବୁତ କରିବାର ଏକ ପ୍ଲାଟଫର୍ମ।
ଏହା ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ର ସଂଘ (ଆସିଆନ୍) ଏବଂ ଏହାର ୮ଟି ସଂଳାପ ସହଯୋଗୀ ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ମଂଚ। ୨୦୧୦ରେ ସ୍ଥାପିତ ଏହି ମଂଚରେ ୧୦ଟି ଆସିଆନ୍ ଦେଶ—ବ୍ରୁନେଇ, କାମ୍ବୋଡିଆ, ଇଣ୍ଡୋନେସିଆ, ଲାଓ ପିଡିଆର, ମାଲେସିଆ, ମ୍ୟାନମାର, ଫିଲିପାଇନ୍ସ, ସିଙ୍ଗାପୁର, ଥାଇଲାଣ୍ଡ, ତିମୋର-ଲେସ୍ତେ ଏବଂ ଭିଏତନାମ—ସହ ୮ଟି ପ୍ଲସ୍ ଦେଶ ଭାରତ, ଚୀନ୍, ରୁଷ, ଆମେରିକା, ଜାପାନ, ଦକ୍ଷିଣ କୋରିଆ, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ଅଂଶଗ୍ରହଣ କରୁଛନ୍ତି। ଏହାର ଉଦ୍ଦେଶ୍ୟ ଏସିଆ-ପ୍ରଶାନ୍ତ / ଇଣ୍ଡୋ-ପାସିଫିକ୍ ଅଂଚଳରେ ଶାନ୍ତି, ସ୍ଥିରତା ଏବଂ ପ୍ରତିରକ୍ଷା-ସୁରକ୍ଷା ପ୍ରସଙ୍ଗରେ ପାରସ୍ପରିକ ସହଯୋଗକୁ ପ୍ରୋତ୍ସାହନ ଦେବା। ଏହି ମଂଚର କାର୍ଯ୍ୟକ୍ଷେତ୍ରରେ ଆତଙ୍କବାଦ ମୁକାବିଲା, ସାମୁଦ୍ରିକ ସୁରକ୍ଷା, ପ୍ରାକୃତିିକ ବିପର୍ଯ୍ୟୟ ପରିଚାଳନା, ଶାନ୍ତି ଅଭିଯାନ, ସାମରିକ ଚିକିତ୍ସା, ମାନବିକ ଖଣି ନିଷ୍କ୍ରିୟକରଣ ଏବଂ ସାଇବର ସୁରକ୍ଷା ଅନ୍ତର୍ଭୁକ୍ତ।
ଭାରତ ୧୯୯୨ରେ ଆସିଆନ୍ର ସଂଳାପ ସହଯୋଗୀ ହୋଇଥିଲା ଏବଂ ପ୍ରଥମ ଏଡିଏମ୍ଏମ୍-ପ୍ଲସ୍ ୨୦୧୦ ଅକ୍ଟୋବର ୧୨ରେ ଭିଏତନାମର ହାନୋଇଠାରେ ଅନୁଷ୍ଠିତ ହୋଇଥିଲା। ୨୦୧୭ରୁ ଏଡିଏମ୍ଏମ୍-ପ୍ଲସ୍ର ମନ୍ତ୍ରୀମାନେ ଆସିଆନ୍ ଏବଂ ପ୍ଲସ୍ ଦେଶଗୁଡ଼ିକ ମଧ୍ୟରେ ପ୍ରତିରକ୍ଷା ସହଯୋଗକୁ ମଜବୁତ କରିବା ପାଇଁ ପ୍ରତିବର୍ଷ ମିଳିତ ହୋଇଆସୁଛନ୍ତି। ଫିଲିପାଇନ୍ସ ୨୦୨୬ ପାଇଁ ଏଡିଏମ୍ଏମ୍-ପ୍ଲସ୍ର ଅଧ୍ୟକ୍ଷ ରହିଛି। ଏଡିଏମ୍ଏମ୍-ପ୍ଲସ୍ ଅଧୀନରେ ଭାରତ ୨୦୨୪-୨୦୨୭ ଅଧିବେଶନ ପାଇଁ ମାଲେସିଆ ସହ ଆତଙ୍କବାଦ ମୁକାବିଲା ସମ୍ପର୍କିତ ବିଶେଷଜ୍ଞ କାର୍ଯ୍ୟଗୋଷ୍ଠୀର ସହ-ଅଧ୍ୟକ୍ଷତା କରୁଛି। ଏଡିଏମ୍ଏମ୍-ପ୍ଲସ୍ ବ୍ୟବସ୍ଥାରେ ଭାରତର ସକ୍ରିୟ ଅଂଶଗ୍ରହଣ, ‘ଆକ୍ଟ ଇଷ୍ଟ୍’ ନୀତି ଅଧୀନରେ ଦକ୍ଷିଣ-ପୂର୍ବ ଏସିଆରେ ଗଭୀର ହେଉଥିବା ପ୍ରତିରକ୍ଷା କୂଟନୀତିକୁ ପ୍ରତିଫଳିତ କରୁଛି। ଏହାର ଉଦ୍ଦେଶ୍ୟ ଏହି ଅଂଚଳରେ ଶାନ୍ତି, ସ୍ଥିରତା ଏବଂ ମିଳିତ ବିକାଶକୁ ସୁନିଶ୍ଚିତ କରିବା।
-------------
ହିନ୍ଦୁସ୍ଥାନ ସମାଚାର / ଗଗନ