
- ଥୁମ୍ମିଡିହେଟ୍ଟି ପ୍ରକଳ୍ପର ଉଚ୍ଚତା ବୃଦ୍ଧି ପ୍ରସ୍ତାବର ହେବ ସ୍ୱାଧୀନ ଅଧ୍ୟୟନ
- ଉଭୟ ରାଜ୍ୟର ମୁଖ୍ୟ ସଚିବ ଓ ଜଳସମ୍ପଦ ସଚିବଙ୍କ ମିଳିତ କମିଟି ହେବ ଗଠନ
ମୁମ୍ବାଇ, ୨୬ ଅକ୍ଟୋବର (ହି.ସ.)- ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ଣବିସ ସୋମବାର କହିଛନ୍ତି ଯେ, ରାଜ୍ୟର ସ୍ୱାର୍ଥର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ମହାରାଷ୍ଟ୍ର ସରକାର ତେଲେଙ୍ଗାନାର ଜଳସେଚନ ପ୍ରକଳ୍ପରେ ପୂର୍ଣ୍ଣ ସହଯୋଗ କରିବେ। ତେବେ ଥୁୁମ୍ମିଡିହେଟ୍ଟି ଜଳସେଚନ ପ୍ରକଳ୍ପର ଉଚ୍ଚତା ବୃଦ୍ଧି ପ୍ରସ୍ତାବ ଉପରେ ନିଷ୍ପତି ନେବା ପୂର୍ବରୁ ଏହାର ସମ୍ଭାବ୍ୟ ପ୍ରଭାବର ସ୍ୱାଧୀନ ଅଧ୍ୟୟନ କରାଯିବ। ଏଥିପାଇଁ ଉଭୟ ରାଜ୍ୟର ମୁଖ୍ୟ ସଚିବ ଓ ଜଳସମ୍ପଦ ବିଭାଗର ସଚିବଙ୍କୁ ନେଇ ଏକ ମିଳିତ କମିଟି ଗଠନ କରାଯିବ। ଏହି କମିଟି ପ୍ରକଳ୍ପର ବୈଷୟିକ ଦିଗ ଏବଂ ମହାରାଷ୍ଟ୍ରରେ ସମ୍ଭାବ୍ୟ ଜଳମଗ୍ନ ଅଂଚଳର ବିସ୍ତୃତ ଅଧ୍ୟୟନ କରିବ।
ମୁଖ୍ୟମନ୍ତ୍ରୀ ଫଡ଼ଣବିସ ମୁମ୍ବାଇସ୍ଥିତ ସହ୍ୟାଦ୍ରି ଅତିଥିଗୃହରେ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀ ଏବଂ ତାଙ୍କ ପ୍ରତିନିଧିମଣ୍ଡଳ ସହ ବୈଠକ କରିଥିଲେ। ଏହି ସମୟରେ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଏବଂ ଜଳସମ୍ପଦ ମନ୍ତ୍ରୀ ଉତମ କୁମାର ରେଡ୍ଡୀ ଥୁମ୍ମିଡିହେଟ୍ଟି ଜଳସେଚନ ପ୍ରକଳ୍ପ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ସେ ପ୍ରକଳ୍ପର ଉଚ୍ଚତା ୧୪୮ ମିଟରରୁ ବୃଦ୍ଧି କରି ୧୫୨ ମିଟର କରିବା ପ୍ରସ୍ତାବକୁ ଅନୁମୋଦନ କରିବା ପାଇଁ ଅନୁରୋଧ କରିଥିଲେ।
ବୈଠକରେ ଫଡ଼ଣବିସ କହିଥିଲେ ଯେ, ମହାରାଷ୍ଟ୍ର ସର୍ବଦା ପଡ଼ୋଶୀ ରାଜ୍ୟମାନଙ୍କ ସହ ପାରସ୍ପରିକ ସହଯୋଗ ଏବଂ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବା ନୀତି ଅବଲମ୍ବନ କରିଆସିଛି। ଯଦି କୌଣସି ପ୍ରକଳ୍ପ ଦ୍ୱାରା ମହାରାଷ୍ଟ୍ରର ନାଗରିକଙ୍କ କ୍ଷତି ହେଉନାହିଁ ଏବଂ ଅନ୍ୟ ରାଜ୍ୟକୁ ଲାଭ ମିଳୁଛି, ତେବେ ରାଜ୍ୟ ସରକାର ସକାରାତ୍ମକ ନିଷ୍ପତି ନେବାକୁ ପ୍ରସ୍ତୁତ ଅଛନ୍ତି।
ସେ କହିଥିଲେ ଯେ, ମହାରାଷ୍ଟ୍ର ପୂର୍ବରୁ ମଧ୍ୟ ତେଲେଙ୍ଗାନାର ପ୍ରସ୍ତାବ ଉପରେ ସକାରାତ୍ମକ ଆଭିମୁଖ୍ୟ ଗ୍ରହଣ କରିଥିଲା। ତେବେ ପୂର୍ବ ଅନୁମୋଦନ ପରେ ପ୍ରକଳ୍ପର ପ୍ରକୃତ ଜଳମଗ୍ନ ଅଂଚଳ ପ୍ରାରମ୍ଭିକ ଆକଳନଠାରୁ ଅଧିକ ଥିବା ଜଣାପଡ଼ିଥିଲା। ଏଭଳି ସ୍ଥିତିରେ ପ୍ରକଳ୍ପର ଉଚ୍ଚତା ବୃଦ୍ଧି ପାଇଁ ନୂଆ ପ୍ରସ୍ତାବ ଯୋଗୁଁ ମହାରାଷ୍ଟ୍ରର ପ୍ରଭାବିତ ଅଂଚଳଗୁଡ଼ିକ ଉପରେ ପଡ଼ିପାରୁଥିବା ସମ୍ଭାବ୍ୟ ପ୍ରଭାବର ବିସ୍ତୃତ ଅଧ୍ୟୟନ ଆବଶ୍ୟକ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଅଧ୍ୟୟନ ସମୟରେ ପ୍ରକଳ୍ପ ସ୍ଥଳରେ ପରିବର୍ତନ ଯୋଗୁଁ ଜଳମଗ୍ନ ଅଂଚଳ ଉପରେ ପଡ଼ୁଥିବା ପ୍ରଭାବ, ସମ୍ପୃକ୍ତ ଅଭୟାରଣ୍ୟର କ୍ଷେତ୍ରଫଳ ଏବଂ ନଦୀ ଅଂଚଳ ବାହାରେ ଆବଶ୍ୟକ ଜମିର ପରିସର ମଧ୍ୟ ଆକଳନ କରାଯିବ। ଯଦି ମହାରାଷ୍ଟ୍ରର ଅଧ୍ୟୟନ ଉପରେ ତେଲେଙ୍ଗାନା ସରକାରଙ୍କ କୌଣସି ଆପତି ଥାଏ କିମ୍ବା ଏଥିରେ କୌଣସି ତ୍ରୁଟି ଦେଖାଦିଏ, ତେବେ ଉଭୟ ରାଜ୍ୟର ଅଧିକାରୀ ପାରସ୍ପରିକ ଆଲୋଚନା ମାଧ୍ୟମରେ ଏହାର ସମାଧାନ କରିବେ। ଆବଶ୍ୟକ ପଡ଼ିଲେ ବିଶେଷଜ୍ଞଙ୍କ ମତାମତ ମଧ୍ୟ ନିଆଯିବ।
ଫଡ଼ଣବିସ ସ୍ପଷ୍ଟ କରିଥିଲେ ଯେ, ଜଳ ବଂଟନ ଏବଂ ଆଇନଗତ ଅନୁମୋଦନ ସହ ଜଡ଼ିତ ବିଷୟଗୁଡ଼ିକ କେନ୍ଦ୍ରୀୟ ଜଳ ଆୟୋଗର ଅଧିକାର କ୍ଷେତ୍ର ଅନ୍ତର୍ଗତ। ଆୟୋଗ ପକ୍ଷରୁ ମହାରାଷ୍ଟ୍ର ସରକାରଙ୍କ ମତାମତ ମଗାଯିବା ପରେ ରାଜ୍ୟ ତଥ୍ୟ ଏବଂ ବୈଷୟିକ ଅଧ୍ୟୟନ ଆଧାରରେ ନିଜ ପକ୍ଷ ରଖିବ। ସ୍ୱାଧୀନ ଅଧ୍ୟୟନ ଏବଂ ଉଭୟ ରାଜ୍ୟ ମଧ୍ୟରେ ବୈଷୟିକ ଆଲୋଚନା ସମ୍ପୂର୍ଣ୍ଣ ହେବା ପରେ ହିଁ ପ୍ରକଳ୍ପ ସମ୍ପର୍କରେ ପରବର୍ତୀ ନିଷ୍ପତି ନିଆଯିବ।
ମହାରାଷ୍ଟ୍ରର ଜଳସମ୍ପଦ ମନ୍ତ୍ରୀ ଗିରୀଶ ମହାଜନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୈଠକରେ ଅଂଶଗ୍ରହଣ କରିଥିଲେ। ଏହି ବୈଠକରେ ତେଲେଙ୍ଗାନାର ଜଳସମ୍ପଦ ମନ୍ତ୍ରୀ ଉତମ କୁମାର ରେଡ୍ଡୀ, ମହାରାଷ୍ଟ୍ରର ମୁଖ୍ୟ ସଚିବ ରାଜେଶ ଅଗ୍ରୱାଲ, ତେଲେଙ୍ଗାନାର ମୁଖ୍ୟ ସଚିବ ସଞ୍ଜୟ ଜାଜୁ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ଲୋକେଶ ଚନ୍ଦ୍ର, ପ୍ରଧାନ ସଚିବ ଶ୍ରୀକର ପରଦେଶୀ, ଜଳସମ୍ପଦ ବିଭାଗର ପ୍ରଧାନ ସଚିବ ଏକନାଥ ଡାୱଲେ, ସଚିବ ଜୟନ୍ତ ବୋରକର, ସଚିବ ପ୍ରକାଶ ମିସଲ ଏବଂ ସମ୍ପୃକ୍ତ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।
---------
ହିନ୍ଦୁସ୍ଥାନ ସମାଚାର / ଗଗନ