

• ସେବା ବସ୍ତିଗୁଡ଼ିକରେ ପ୍ରତ୍ୟକ୍ଷ ଅଂଶଗ୍ରହଣ ବଢ଼ାଇବାକୁ ଆରଏସ୍ଏସ୍ର ସରକାର୍ଯ୍ୟବାହଙ୍କ ଆହ୍ୱାନ
ଜୟପୁର (ରାଜସ୍ଥାନ) , ୨୬ ଅକ୍ଟୋବର (ହି.ସ.)। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସ୍ଏସ୍)ର ସରକାର୍ଯ୍ୟବାହ ଦତ୍ତାତ୍ରେୟ ହୋସବାଲେ କହିଛନ୍ତି ଯେ, ସେବାର ଉଦ୍ଦେଶ୍ୟ କେବଳ ଆବଶ୍ୟକତା ଥିବା ଲୋକଙ୍କୁ ସୁବିଧା ଯୋଗାଇଦେବା ନୁହେଁ; ବରଂ ସେମାନଙ୍କ ମଧ୍ୟରେ ସ୍ୱାଭିମାନ, ଆତ୍ମସାମର୍ଥ୍ୟ ଏବଂ ପୁରୁଷାର୍ଥ ଜାଗ୍ରତ କରିବା ମଧ୍ୟ ସେବାର ଅଭିନ୍ନ ଅଂଶ। ସେବା ଏପରି ହେବା ଉଚିତ ଯେ, ସେବା ଗ୍ରହଣ କରୁଥିବା ହାତ ଦିନେ ସେବା ପ୍ରଦାନକାରୀ ହୋଇପାରିବେ। ଏଥିପାଇଁ ସମାଜର ସାମର୍ଥ୍ୟବାନ ବ୍ୟକ୍ତିମାନେ ସେବା ବସ୍ତିଗୁଡ଼ିକୁ ଯାଇ ସେଠାକାର ଲୋକଙ୍କ ସହ ଆତ୍ମୀୟ ସମ୍ପର୍କ ସ୍ଥାପନ କରିବାକୁ ସେ ଆହ୍ୱାନ ଦେଇଛନ୍ତି।
ସୋମବାର ଜୟପୁରରେ ସେବା ଭାରତୀର ଜୟପୁର ଶାଖା ପକ୍ଷରୁ ଆୟୋଜିତ ବାର୍ଷିକ ଉତ୍ସବରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ହୋସବାଲେ ଏହା କହିଥିଲେ। ସେ କହିଥିଲେ ଯେ, ଜୟପୁରରେ ୨୫୭ଟି ସେବା ବସ୍ତି ଚିହ୍ନଟ କରାଯାଇଛି। ଏହି ଅଞ୍ଚଳଗୁଡ଼ିକରେ ଶିକ୍ଷା, ସ୍ୱାସ୍ଥ୍ୟ, ସ୍ୱାବଲମ୍ବନ, ସୁରକ୍ଷା ଏବଂ ସ୍ୱାଭିମାନ ପ୍ରତିଷ୍ଠା ଦିଗରେ କାର୍ଯ୍ୟ କରିବା ଆବଶ୍ୟକ।
ସଂଘର ସ୍ୱୟଂସେବକମାନେ ‘ମଳିନ ବସ୍ତି’ ବଦଳରେ ‘ସେବା ବସ୍ତି’ ଶବ୍ଦର ବ୍ୟବହାର ଏହି ଚିନ୍ତାଧାରା ସହ ଆରମ୍ଭ କରିଥିଲେ ଯେ, ଏହି ଅଞ୍ଚଳଗୁଡ଼ିକୁ ଅଭାବ ଓ ଅସୁବିଧା ସହ ଯୋଡ଼ି ଦେଖିବା ପରିବର୍ତ୍ତେ ସେବା ଏବଂ ସାମାଜିକ ଦାୟିତ୍ୱବୋଧର କେନ୍ଦ୍ର ଭାବେ ଦେଖାଯିବା ଉଚିତ।
ହୋସବାଲେ କହିଥିଲେ ଯେ, ସେବା ଭାରତୀ ସହ ଜଡ଼ିତ ସଂସ୍ଥାଗୁଡ଼ିକ ଦେଶବ୍ୟାପୀ ପ୍ରାୟ ଦେଢ଼ ଲକ୍ଷ ଛୋଟବଡ଼ ସେବା ପ୍ରକଳ୍ପ ପରିଚାଳନା କରୁଛନ୍ତି। ଏହି କାର୍ଯ୍ୟଗୁଡ଼ିକରେ ସ୍ୱୟଂସେବକଙ୍କ ସହ ସମାଜର ବହୁ ବ୍ୟକ୍ତି ମଧ୍ୟ ଯୋଗଦାନ କରୁଛନ୍ତି। ସମାଜରେ ସେବା କାର୍ଯ୍ୟ ପାଇଁ ଆର୍ଥିକ ସହଯୋଗ ଦେବା ଏବଂ ପ୍ରତ୍ୟକ୍ଷ ଭାବେ ଅଂଶଗ୍ରହଣ କରିବାକୁ ଆଗ୍ରହୀ ଲୋକଙ୍କ ଅଭାବ ନାହିଁ। ଏହି ସାମର୍ଥ୍ୟ ଓ ସେବାଭାବକୁ ଜାଗ୍ରତ କରିବା ହିଁ ମୁଖ୍ୟ ଆବଶ୍ୟକତା ବୋଲି ସେ କହିଥିଲେ।
ସେବା ସହ ସ୍ୱାଭିମାନ ମଧ୍ୟ ଜରୁରୀ
ହୋସବାଲେ କହିଥିଲେ ଯେ, ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ସୁବିଧା ଯୋଗାଇବା ସେବାର ଗୋଟିଏ ଦିଗ। ଏହାର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି, ଆବଶ୍ୟକତା ଥିବା ଲୋକଙ୍କ ମନରେ ଏହି ବିଶ୍ୱାସ ସୃଷ୍ଟି କରିବା ଯେ, ସେମାନେ ମଧ୍ୟ ସମାଜକୁ କିଛି ଦେଇପାରିବେ। ପ୍ରତ୍ୟେକ ମଣିଷଙ୍କ ମଧ୍ୟରେ ଈଶ୍ୱର ବିରାଜମାନ। ତେଣୁ ସମସ୍ତଙ୍କୁ ସମ୍ମାନ ଓ ଆତ୍ମବିଶ୍ୱାସର ସହ ଜୀବନଯାପନ କରିବାର ସୁଯୋଗ ମିଳିବା ଉଚିତ।
ମହର୍ଷି ବାଲ୍ମୀକିଙ୍କ ଜୟନ୍ତୀର ଉଲ୍ଲେଖ କରି ସେ କହିଥିଲେ ଯେ, ଭଗବାନ ଶ୍ରୀରାମ କେଉଟ, ଶବରୀ ଏବଂ ଗୁଣ୍ଡୁଚି ମୂଷା ପ୍ରତି ସ୍ନେହ ପ୍ରଦର୍ଶନ କରି ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କ ମହତ୍ତ୍ୱକୁ ପ୍ରତିପାଦିତ କରିଥିଲେ।
ପ୍ରତ୍ୟକ୍ଷ ଅଂଶଗ୍ରହଣରେ ବଢ଼ିବ ସାମାଜିକ ଆତ୍ମୀୟତା
ସେବା ସଦନରେ କାର୍ଯ୍ୟରତ ଅବସରପ୍ରାପ୍ତ ଡାକ୍ତର ଏବଂ ଅନ୍ୟ କର୍ମକର୍ତ୍ତାଙ୍କ ସେବାଭାବର ଉଦାହରଣ ଦେଇ ହୋସବାଲେ କହିଥିଲେ ଯେ, ଜଣେ ଅବସରପ୍ରାପ୍ତ ଡାକ୍ତର ପ୍ରତିଦିନ ଚାରିରୁ ପାଞ୍ଚ କିଲୋମିଟର ଦୂରରୁ ସେବା କାର୍ଯ୍ୟ ପାଇଁ ଆସୁଛନ୍ତି। ଏଥିରୁ ସ୍ପଷ୍ଟ ହେଉଛି ଯେ, ସେବା ପାଇଁ ଦୂରତା ନୁହେଁ, ବରଂ ସେବାଭାବ ଗୁରୁତ୍ୱପୂର୍ଣ୍ଣ।
ସେ ସେବା ବସ୍ତିଗୁଡ଼ିକରେ ଥିବା ସଂସ୍କାର କେନ୍ଦ୍ରକୁ ଯିବା, ପିଲାମାନଙ୍କ ସହ ସମୟ ବିତାଇବା ଏବଂ ଜନ୍ମଦିନ ଓ ଦୀପାବଳି ଭଳି ଅବସର ସେମାନଙ୍କ ସହ ପାଳନ କରିବାକୁ ଲୋକଙ୍କୁ ଆହ୍ୱାନ ଦେଇଥିଲେ। ଏଭଳି କାର୍ଯ୍ୟରେ ପରିବାରଗୁଡ଼ିକୁ ମଧ୍ୟ ସାମିଲ କରିବା ଆବଶ୍ୟକ ବୋଲି ସେ କହିଥିଲେ।
ହୋସବାଲେ କହିଥିଲେ ଯେ, ଆର୍ଥିକ ସହଯୋଗ ସହ ପ୍ରତ୍ୟକ୍ଷ ଅଂଶଗ୍ରହଣ ଦ୍ୱାରା ଆମେ ସମସ୍ତେ ଗୋଟିଏ ସମାଜର ଅଂଶ ଏବଂ ଭାରତମାତାଙ୍କ ସନ୍ତାନ—ଏହି ଭାବନା ଅଧିକ ସୁଦୃଢ଼ ହେବ। ସେବା ମାଧ୍ୟମରେ ଏହି ଏକାତ୍ମତାକୁ ମଜବୁତ କରିବା ରାଷ୍ଟ୍ର ନିର୍ମାଣର ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ।
ୱେବସାଇଟ୍ ଓ ଆପ୍ର ଉନ୍ମୋଚନ
କାର୍ଯ୍ୟକ୍ରମରେ ନବଳ ପୀଠାଧୀଶ୍ୱର ସନ୍ଥ ମୁନ୍ନା ଦାସ ଜୀ ଖୋଡ଼ାଙ୍କ ସାନ୍ନିଧ୍ୟ ରହିଥିଲା। ମଙ୍ଗଳମ୍ ଗ୍ରୁପ୍ର ନିର୍ଦ୍ଦେଶକ ସଞ୍ଜୟ ଗୁପ୍ତା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ନିଖିଲ ଜୈନ ଓ ବିଜେନ୍ଦ୍ର ସିଂହ ତଁୱର ବିଶିଷ୍ଟ ଅତିଥି ଭାବେ ଉପସ୍ଥିତ ଥିଲେ।
ଏହି ଅବସରରେ ସେବା ଭାରତୀର ୱେବସାଇଟ୍ ଓ ଆପ୍ ଉନ୍ମୋଚନ କରାଯିବା ସହ ‘ଭାରତୀୟ ସଂସ୍କୃତିରେ ସେବା ପରମ୍ପରା’ ପୁସ୍ତକର ବିଶେଷାଙ୍କ ପ୍ରକାଶ କରାଯାଇଥିଲା। ବିଶ୍ୱକର୍ମା ଶିଳ୍ପାଞ୍ଚଳରେ ଅବସ୍ଥିତ ଯଶୋଦା ବାଳ ସେବା କେନ୍ଦ୍ରର ନବନିର୍ମିତ ଭବନକୁ ଡିଜିଟାଲ୍ ମାଧ୍ୟମରେ ଉଦ୍ଘାଟନ କରାଯାଇଥିଲା।
ବିଭିନ୍ନ ସେବା ବସ୍ତିର ପିଲାମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏଥିସହ ସୋସିଆଲ୍ ମିଡିଆର କୁପ୍ରଭାବ ଉପରେ ଆଧାରିତ ଏକ ନାଟକ ମଧ୍ୟ ମଞ୍ଚସ୍ଥ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ