
ଭାଟିକାନ୍ ସିଟି/ସାନା (ୟେମେନ), ଅକ୍ଟୋବର ୨୬ (ହି.ସ.)। ୟେମେନର ତାଇଜ୍ ସହରରେ ବିଗୁଡ଼ୁଥିବା ମାନବୀୟ ସ୍ଥିତିକୁ ନେଇ ପୋପ୍ ଲିଓ (ଚତୁର୍ଦ୍ଦଶ)ଙ୍କ ଆହ୍ୱାନକୁ ୟେମେନ ସ୍ୱାଗତ କରିଛି। ଏଥିସହ ହୁତି ବିଦ୍ରୋହୀଙ୍କ ଉପରେ ଚାପ ପକାଇବା ପାଇଁ ଅନ୍ତର୍ଜାତୀୟ ସମୁଦାୟକୁ ଠୋସ୍ ପଦକ୍ଷେପ ନେବାକୁ ୟେମେନ ଅନୁରୋଧ କରିଛି। ଯାହାଦ୍ୱାରା ହୁତି ଯୋଦ୍ଧାମାନେ ଅବରୋଧ ହଟାଇବା ସହ ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ ବନ୍ଦ କରିବେ ଏବଂ ମାନବୀୟ ସହାୟତାର ନିରବଚ୍ଛିନ୍ନ ଯୋଗାଣ ସୁନିଶ୍ଚିତ ହୋଇପାରିବ।
ୟେମେନର ବୈଦେଶିକ ଓ ପ୍ରବାସୀ ବ୍ୟାପାର ମନ୍ତ୍ରଣାଳୟ ସୋମବାର ‘ଏକ୍ସ’ରେ ଏକ ପୋଷ୍ଟ କରି ୟେମେନବାସୀଙ୍କ ଦୁଃଖଦୁର୍ଦ୍ଦଶାକୁ ନେଇ ପୋପ୍ଙ୍କ ଚିନ୍ତା ଏବଂ ଶତ୍ରୁତା ବନ୍ଦ କରିବା ସହ ୟେମେନ ଓ ସମଗ୍ର ଅଞ୍ଚଳର ଲୋକଙ୍କୁ ଶାନ୍ତିରେ ରହିବାର ସୁଯୋଗ ଦେବା ପାଇଁ ତାଙ୍କ ଆହ୍ୱାନକୁ ପ୍ରଶଂସା କରିଛି। ଏହି ପୋଷ୍ଟରେ କୁହାଯାଇଛି, “ୟେମେନ ତାଇଜ୍କୁ ନେଇ ପୋପ୍ଙ୍କ ଆହ୍ୱାନକୁ ସ୍ୱାଗତ କରୁଛି ଏବଂ ଅବରୋଧ ହଟାଇବା ସହ ସାଧାରଣ ନାଗରିକଙ୍କ ସୁରକ୍ଷା ପାଇଁ ଅନ୍ତର୍ଜାତୀୟ ସ୍ତରରେ ପଦକ୍ଷେପ ନେବାକୁ ଦାବି କରୁଛି।”
ଭାଟିକାନ୍ ନ୍ୟୁଜ୍ ଅନୁଯାୟୀ, ପୋପ୍ ଲିଓ ରବିବାର ‘ଏଞ୍ଜେଲସ୍’ ପ୍ରାର୍ଥନା ପରେ ନିଜର ବିଶ୍ୱବ୍ୟାପୀ ସମ୍ବୋଧନରେ ୟେମେନରେ ଜାରି ରହିଥିବା ସଂଘର୍ଷର ଅନ୍ତ ଘଟାଇବାକୁ ଆହ୍ୱାନ କରିଥିଲେ। ଜୋର୍ଡାନରେ ଚର୍ଚ୍ଚକୁ ଯାଉଥିବା ଲୋକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପୀଡ଼ିତମାନଙ୍କ ପାଇଁ ମଧ୍ୟ ସେ ପ୍ରାର୍ଥନା କରିଥିଲେ। ୟେମେନରେ ଗମ୍ଭୀର ମାନବୀୟ ସଙ୍କଟକୁ ନେଇ ଚିନ୍ତା ପ୍ରକାଶ କରିବା ସହ ପୋପ୍ ଲିଓ ବିଶେଷ ଭାବେ ତାଇଜ୍ ସହରର ସ୍ଥିତି ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ, “ସେଠାକାର ଲୋକମାନେ ଖାଦ୍ୟ, ପାଣି ଓ ଚିକିତ୍ସା ସୁବିଧାର ଘୋର ଅଭାବର ସମ୍ମୁଖୀନ ହେଉଛନ୍ତି।”
ସେ କହିଥିଲେ, “ମୁଁ ହୃଦୟରୁ ଆହ୍ୱାନ କରୁଛି ଯେ, ଲଢ଼େଇ ଓ ହିଂସା ବନ୍ଦ ହେଉ ଏବଂ ୟେମେନବାସୀଙ୍କ ସମେତ ଏହି ଅଞ୍ଚଳର ସମସ୍ତ ଲୋକଙ୍କୁ ଶାନ୍ତିପୂର୍ଣ୍ଣ ଜୀବନଯାପନର ଗ୍ୟାରେଣ୍ଟି ମିଳୁ।”
ଉଲ୍ଲେଖଯୋଗ୍ୟ ଯେ, ତାଇଜ୍ରେ ଲଢ଼େଇ ଏବଂ ରାସ୍ତା ବନ୍ଦ ହେବା କାରଣରୁ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ବାଧାପ୍ରାପ୍ତ ହୋଇଛି। ଫଳରେ ସାଧାରଣ ଲୋକମାନେ ପାଣି, ଖାଦ୍ୟ ଓ ଇନ୍ଧନର ଘୋର ଅଭାବର ସମ୍ମୁଖୀନ ହେଉଛନ୍ତି।
ମିଳିତ ଜାତିସଂଘ ତୁରନ୍ତ ମାନବୀୟ ସହାୟତା ପହଞ୍ଚାଇବାକୁ ଆହ୍ୱାନ କରିଛି। ଏଥିସହ ହସ୍ପିଟାଲଗୁଡ଼ିକରେ ଔଷଧ ଓ ଅମ୍ଳଜାନର ମହଜୁଦ୍ ପରିମାଣ ହ୍ରାସ ପାଉଥିବାରୁ ଜରୁରୀ ସ୍ୱାସ୍ଥ୍ୟସେବା ଜାରି ରଖିବାରେ ସମସ୍ୟା ଉପୁଜୁଥିବା ନେଇ ଚେତାବନୀ ଦେଇଛି। ଏହି ଅଭାବର ପ୍ରଭାବ ଗରିବ ଓ ଅସହାୟ ପରିବାରକୁ ଖାଦ୍ୟ ଯୋଗାଉଥିବା ସାମୁଦାୟିକ ରୋଷେଇ କେନ୍ଦ୍ରଗୁଡ଼ିକ ଉପରେ ମଧ୍ୟ ପଡ଼ୁଛି।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା