
ଝାରସୁଗୁଡା, ୨୮ ଅକ୍ଟୋବର (ହି.ସ.) - ଜିଲ୍ଲାରେ ଉଦ୍ଧାର ହୋଇଥିବା ଗୋରୁମାନଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ବେଳେ, ଏବେ ସେମାନଙ୍କ ଥଇଥାନ ଓ ସ୍ୱାସ୍ଥ୍ୟସେବାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି। ବେସାହାରା ଓ ପରିତ୍ୟକ୍ତ ଗୋରୁମାନଙ୍କୁ ଗୋଶାଳାରେ ଆଶ୍ରୟ ଦିଆଯାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କର ସମ୍ପୂର୍ଣ୍ଣ ଯତ୍ନ ନିଆଯାଉଛି। ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କୃଷ୍ଣ ଗୋଶାଳାରେ ଆଶ୍ରୟ ନେଇଥିବା ଉଦ୍ଧାର ଗୋସମ୍ପଦଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି। ଗୋରୁମାନଙ୍କ ଯତ୍ନ ନେବା ପାଇଁ ପ୍ରାଣୀଚିକିତ୍ସା ବିଭାଗର ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ନିୟମିତ ଭାବେ ଗୋଶାଳା ପରିଦର୍ଶନ କରୁଛନ୍ତି।
ପରିଦର୍ଶନ ସମୟରେ ବିଭାଗୀୟ ଦଳ ପକ୍ଷରୁ ପ୍ରତ୍ୟେକ ଗୋରୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି। ବିଶେଷ କରି ଉଦ୍ଧାର ସମୟରେ ଆହତ ଥିବା ଗୋରୁମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କର ତୁରନ୍ତ ଡ୍ରେସିଂ ଓ ଆବଶ୍ୟକୀୟ ଔଷଧ ସହ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯାଉଛି। ଏହା ସହିତ ଗୋରୁମାନଙ୍କ ସୁସ୍ଥ ରହିବା ପାଇଁ ଆବଶ୍ୟକ ହେଉଥିବା ପୁଷ୍ଟିକର ସବୁଜ ଘାସ, ଶୁଖିଲା ନଡ଼ା, ଚୋକଡ଼ ଓ ପିଡ଼ିଆ ଭଳି ପର୍ଯ୍ୟାପ୍ତ ଗୋ-ଖାଦ୍ୟ ଉପଲବ୍ଧତା ସୁନିଶ୍ଚିତ କରାଯାଇଛି। କୌଣସି ପରିସ୍ଥିତିରେ ବି ଯେପରି ଗୋଶାଳାରେ ଥିବା ଗୋରୁମାନଙ୍କ ଚିକିତ୍ସା କିମ୍ବା ଖାଦ୍ୟପେୟରେ ଅବହେଳା ନହୁଏ, ସେଥିପାଇଁ ଜିଲ୍ଲାପାଳ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ଗୋଶାଳା ପରିସରକୁ ସ୍ୱଚ୍ଛ ରଖିବା ସହିତ ପ୍ରାଣୀଧନ ନିରୀକ୍ଷକ ଓ ଭେଟେରିନାରୀ ଟିମ୍ ସର୍ବଦା ସଜାଗ ରହି ନିୟମିତ ସ୍ଥିତି ସମୀକ୍ଷା କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅବଗତ କରାଯାଇଛି।
ଏଥିସହିତ ରାସ୍ତାଘାଟରେ ଗୋରୁ ଛାଡ଼ିବା ଦ୍ୱାରା ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେବା ସହ ମାରାତ୍ମକ ସଡ଼କ ଦୁର୍ଘଟଣା ଘଟୁଥିବାରୁ, କୌଣସି ବି ଗୋ-ପାଳକ ଯେପରି ନିଜ ଗୋରୁଗାଈଙ୍କୁ ରାସ୍ତାରେ ବେସାହାରା ଭାବେ ନ ଛାଡ଼ନ୍ତି, ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଗୋ-ମାଲିକମାନଙ୍କୁ ବିଶେଷ ଭାବେ ଅନୁରୋଧ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ