
ଭଦ୍ରକ, ୨୮ ଅକ୍ଟୋବର (ହି.ସ.) - ସାମୁଦ୍ରିକ ବାତ୍ୟା ଅର୍ଣ୍ଣବ ଭଦ୍ରକ ଜିଲ୍ଲାର ଚାଷୀକୂଳକୁ ଆଶ୍ୱସ୍ତି ଦେଇଛି।ଅର୍ଣ୍ଣବ ପ୍ରଭାବରେ ମଙ୍ଗଳବାର ହୋଇଥିବା ବର୍ଷା ଯୋଗୁଁ ପାଣି ଅଭାବରୁ ଶୁଖି ଫାଟି ଆଁ କରିଥିବା ଚାଷଜମି ଓଦା ହୋଇଛି।ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଆସନ୍ତା ଦୁଇଦିନ ଭଲ ବର୍ଷା ହେବାର ସମ୍ଭାବନା ଥିବାରୁ ଖରିଫ ଧାନ ବଂଚି ଯିବାର ଆଶା ଦେଖା ଦେଇଛି।ଏଥର ବାରମ୍ବାର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା।ବନ୍ୟା ଯୋଗୁଁ ଭଦ୍ରକ ଜିଲ୍ଲାର ମୁଖ୍ୟତଃ ଧାମନଗର ତିହିଡି ଚାନ୍ଦବାଲି ଭଣ୍ଡାରିପୋଖରୀ ଅଂଚଳରେ ଖରିଫ ଧାନ ଅନେକାଂଶରେ ନଷ୍ଟ ହୋଇ ଯାଇଥିଲା।ଇତିମଧ୍ୟରେ ବନ୍ୟା ଯିବାର ମାସେ ବିତିଗଲାଣି।ଯେଉଁଠି ଧାନ ଫସଲ ସୁରକ୍ଷିତ ଥିଲା ସେ ସବୁ ଅଂଚଳରେ ପାଣିର ଅଭାବ ଦେଖାଦେଇଥିବାରୁ ଚାଷୀ ଚିନ୍ତା ବଢି ଯାଇଥିଲା।ବର୍ତମାନ ଧାନ ଗଛରେ ଥୋଡ଼ ଆସିବା ସମୟ ହୋଇଥିବାରୁ ଗଛକୁ ପାଣିର ଆବଶ୍ୟକତା ଅଧିକ ଥିବା ବେଳେ କେନାଲ ବ୍ୟବସ୍ଥାରେ ଜଳ ପରିଚାଳନା କ୍ଷେତ୍ରରେ ତ୍ରୁଟି ହେତୁ ଜଳସେଚନ ବାଧାପ୍ରାପ୍ତ ହୋଇଛି।ଏହା ଫଳରେ ଧାମନଗର ଏବଂ ତିହିଡି ବ୍ଳକର ବିସ୍ତୃତ ଧାନ କ୍ଷେତ ଶୁଖିଯାଇ ଫାଟି ଆଁ କରିଛି।ଚାଷକୁ ବଂଚାଇବା ପାଇଁ ଚାଷୀ ପାଣି ଚିନ୍ତାରେ ଘାରି ହେଉଥିବା ସମୟରେ ଲଘୁଚାପଜନିତ ବର୍ଷା ସହାୟ ହୋଇଛି।ବାତ୍ୟା ଅର୍ଣ୍ଣବ ପ୍ରଭାବ ଭଦ୍ରକ ଜିଲ୍ଲାକୁ କ୍ଷତିଗ୍ରସ୍ତ କରିବାର ଆଶଙ୍କା କମ ରହିଛି।କିନ୍ତୁ ଏହା ଚାଷ ଓ ଚାଷୀଙ୍କ ପାଇଁ ହିତ ସାବ୍ୟସ୍ତ ହୋଇଛି।ଆଜି ଦିନ ବେଳା ଠାରୁ ସନ୍ଧ୍ୟା ଯାଏଁ ଦୁଇ ତିନି ଅସରା ଭଲ ବର୍ଷା ହୋଇଛି।ଯାହା ଫଳରେ ଶୁଖିଲା ଜମିକୁ ଲୋଡ଼ା ଥିବା ଜଳ ସଙ୍କଟକୁ କିଛି ମାତ୍ରାରେ ପୂରଣ କରିଛି।ଯଦି ଆସନ୍ତା ଦୁଇ ଦିନ ଆହୁରି ବର୍ଷା ହୁଏ ତେବେ ବନ୍ୟା ପରେ ବଞ୍ଚି ଯାଇଥିବା ହଜାର ହଜାର ହେକ୍ଟର ଜମିର ଖରିଫ ଧାନକୁ ଭଲ ଅମଳ ଦେବ ବୋଲି ଚାଷୀକୂଳ ଆଶା ବାନ୍ଧିଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ