
ଭଦ୍ରକ, ୨୮ ଅକ୍ଟୋବର (ହି.ସ.) - ନାବାଳିକା ଝିଅ ନିଖୋଜ ହେବା ପରେ ଅପହରଣ ଅଭିଯୋଗ ଆଣି ଝିଅକୁ ଶୀଘ୍ର ଉଦ୍ଧାର କରିବା ପାଇଁ ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଦ୍ୱାରସ୍ଥ ହୋଇଛନ୍ତି ପରିବାର ଲୋକେ। ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଅଂଚଳରେ।ପରିବାର ପକ୍ଷରୁ କରାଯାଇଥିବା ଅଭିଯୋଗ ଅନୁଯାୟୀ, ୧୭ ବର୍ଷୀୟା ନାବାଳିକା ଗତ ଅକ୍ଟୋବର ୯ ତାରିଖ ସକାଳ ପ୍ରାୟ ୧୦ଟା ସମୟରେ କଲେଜ ଯାଉଥିବା ବେଳେ ପଳଦା ବାଙ୍କ ନିକଟରୁ ଜଣେ ଯୁବକ ତାଙ୍କୁ ଜୋରଜବରଦସ୍ତ ନେଇଯାଇଥିବା ପରିବାର ଅଭିଯୋଗ କରିଛନ୍ତି।ଝିଅ ନିଖୋଜ ହେବା ଖବର ପାଇବା ପରେ ତାଙ୍କ ମାଆ ସେହିଦିନ ଭଣ୍ଡାରିପୋଖରୀ ଥାନାରେ ଲିଖିତ ଅଭିଯୋଗ କରି ଝିଅକୁ ଉଦ୍ଧାର କରିବା ପାଇଁ ପୋଲିସର ସହାୟତା ଲୋଡ଼ିଥିଲେ।ତେବେ ଅଭିଯୋଗ ପରେ ମଧ୍ୟ ଝିଅ ଘରକୁ ଫେରିନଥିବାରୁ ପରିବାର ଚିନ୍ତାରେ ପଡ଼ିଛନ୍ତି। ଝିଅର ସୁରକ୍ଷାକୁ ନେଇ ଆଶଙ୍କା ପ୍ରକାଶ କରିବା ସହ ସ୍ଥାନୀୟ ପୋଲିସର ତଦନ୍ତରେ ଅବହେଳା ହେଉଥିବା ଅଭିଯୋଗ କରି ନାବାଳିକାଙ୍କ ମାଆ ଶେଷରେ ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଦ୍ୱାରସ୍ଥ ହୋଇଛନ୍ତି।ପରିବାରର ଅଭିଯୋଗ ଶୁଣିବା ପରେ ନାବାଳିକାଙ୍କୁ ଯଥାଶୀଘ୍ର ଠାବ କରି ଫେରାଇ ଆଣିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ କରାଯିବ ବୋଲି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଆଶ୍ୱାସନା ଦେଇଥିବା ପରିବାର ପକ୍ଷରୁ କୁହାଯାଇଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ