

ଘଟଗାଁ , ୨୮ ଅକ୍ଟୋବର (ହି.ସ.) - ଘଟଗାଁରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ଜଟିଳ ରୂପ ଧାରଣ କରୁଥିବାବେଳେ ଏହାରସମାଧାନ ପାଇଁ ପୁଲିସ ପ୍ରଶାସନ ଓ ବୁଦ୍ଧିଜୀବୀଙ୍କ ମଧ୍ୟରେ ଆଲୋଚନା ହୋଇଛି। ଘଟଗାଁ ଥାନାରେ ଅନୁଷ୍ଠିତ କାଳୀପୂଜାର ଦ୍ୱିତୀୟ ପର୍ଯ୍ୟାୟ ବୈଠକରେ ପୂଜା ପ୍ରସ୍ତୁତି ସହ ଟ୍ରାଫିକ ଅବ୍ୟବସ୍ଥାକୁ ନେଇ ଉଦ୍ୱେଗ ପ୍ରକାଶ ପାଇଥିଲା।ବୈଠକରେ ବରିଷ୍ଠ ସାମ୍ବାଦିକ ଆନନ୍ଦ ଚନ୍ଦ୍ର ସିଂ ବଙ୍ଗଳା ଛକର ଟ୍ରାଫିକ ସମସ୍ୟା ଉଠାଇ କହିଥିଲେ ଯେ, ଛକରେ ଯାତ୍ରୀବାହୀ ବସଗୁଡ଼ିକ ଯାତ୍ରୀ ଉଠାଇବା ଓ ଓହ୍ଲାଇବା ପାଇଁ ଅଟକି ରହୁଥିବାରୁ ଅନ୍ୟ ଛୋଟ ଯାନବାହନ ମଧ୍ୟ ରାସ୍ତାରେ ଅଟକୁଛନ୍ତି। ଫଳରେ ଯାତାୟାତ ବାଧାପ୍ରାପ୍ତ ହେବା ସହ ଟ୍ରାଫିକ ସମସ୍ୟା ଉତ୍କଟ ହେଉଛି। ଏହାକୁ ସମର୍ଥନ କରି ଭୀମସେନ ବଳ କ୍ଷୋଭ ପ୍ରକାଶ କରି କହିଥିଲେ ଯେ, ବଙ୍ଗଳା ଛକ ବସ୍ଷ୍ଟାଣ୍ଡ ନୁହେଁ। ତଥାପି ବସଗୁଡ଼ିକ ସେଠାରେ ଅଟକି ରହି ପରିବହନ ନିୟମର ଉଲ୍ଲଂଘନ କରୁଛନ୍ତି। ପ୍ରାୟ ଚାରି କୋଟି ଟଙ୍କା ବ୍ୟୟରେ ବସ୍ଷ୍ଟାଣ୍ଡ ନିର୍ମାଣ ହୋଇଥିଲେ ମଧ୍ୟ ବସଗୁଡ଼ିକ ଷ୍ଟାଣ୍ଡ ଭିତରକୁ ନଯାଇ ବଜାର ରାସ୍ତାରେ ଅଟକୁଥିବାରୁ ସାଧାରଣ ଲୋକଙ୍କ ଯାତାୟାତ ଦୁର୍ବିଷହ ହୋଇପଡ଼ୁଛି। ଏହାର ପ୍ରଭାବ ମା’ ତାରିଣୀଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତ, ସ୍ଥାନୀୟ ଲୋକ, ସରକାରୀ କର୍ମଚାରୀ ଓ ରୋଗୀବାହୀ ଯାନ ଚଳାଚଳ ଉପରେ ପଡ଼ୁଛି। ଏହାର ଉତରରେ ଘଟଗାଁ ଥାନା ଅଧିକାରୀ ଶୁଭ୍ରାନ୍ତ କୁମାର ଜେନା କହିଥିଲେ ଯେ, ଟ୍ରାଫିକ ସମସ୍ୟା ସମେତ ଅନ୍ୟାନ୍ୟ ଅବ୍ୟବସ୍ଥା ସମ୍ପର୍କରେ ଜିଲ୍ଲାପାଳ ବିଡିଓଙ୍କୁ ଚିଠି ମାଧ୍ୟମରେ ଅବଗତ କରାଇଛନ୍ତି। ମନ୍ଦିର ନିକଟରେ ଥିବା ଉଠା ଭୋଗ ଦୋକାନୀମାନେ ଭକ୍ତଙ୍କୁ ଜୋରଜବରଦସ୍ତ ଭୋଗ କିଣିବାକୁ ବାଧ୍ୟ କରିପାରିବେ ନାହିଁ। ସେହିପରି ଦୋକାନ ସମ୍ମୁଖରେ ଯାନବାହନ ଅଟକାଇ ଭିଡ଼ ସୃଷ୍ଟି କରି କିଣାକିଣି କରିବା ଉପରେ ମଧ୍ୟ ନିୟନ୍ତ୍ରଣ ରହିବ। ବସଗୁଡ଼ିକୁ ବସ୍ଷ୍ଟାଣ୍ଡ ଭିତରେ ରଖି ନିର୍ଦ୍ଧାରିତ ସମୟରେ ଚଳାଚଳ କରାଇବାକୁ ନିର୍ଦ୍ଦେଶ ରହିଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଖୁବ୍ଶୀଘ୍ର କାର୍ଯ୍ୟକାରୀ କରିବା ସହ ଲୋକଙ୍କୁ ସଚେତନ କରାଯିବ ଏବଂ ନିୟମ ଅମାନ୍ୟକାରୀଙ୍କ ବିରୋଧରେ ଆଇନାନୁଯାୟୀ ପଦକ୍ଷେପ ନିଆଯିବ ବୋଲି ଥାନା ଅଧିକାରୀ କହିଥିଲେ।ତେବେ ପ୍ରଶ୍ନ ଉଠୁଛି-ଚାରି କୋଟି ଟଙ୍କା ବ୍ୟୟରେ ନିର୍ମିତ ବସ୍ଷ୍ଟାଣ୍ଡ ଥାଉ ଥାଉ ବଜାର ରାସ୍ତାରେ କାହିଁକି ବସ୍ ଅଟକୁଛି? ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କେବେ ବାସ୍ତବ ରୂପ ନେବ? ଆଲୋଚନା ଓ ପ୍ରତିଶ୍ରୁତିରେ ସୀମିତ ରହିବ ନା ଟ୍ରାଫିକ ଅବ୍ୟବସ୍ଥାରୁ ଘଟଗାଁବାସୀଙ୍କୁ ପ୍ରକୃତ ଆଶ୍ୱସ୍ତି ମିଳିବ? ଏବେ ସମସ୍ତଙ୍କ ନଜର ପ୍ରଶାସନର ପରବର୍ତୀ ପଦକ୍ଷେପ ଉପରେ।
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ