
ମା ମାନଙ୍କ ସହ କଥା ହୋଇ ଭଲ ମନ୍ଦ ବୁଝିଲେ ଜିଲ୍ଲାପାଳ
ପୁରୀ ୨୮ ଅକ୍ଟୋବର (ହି.ସ.)- ଚଳିତ ବର୍ଷ ର ହବିଷ୍ୟାଳୀ ବ୍ରତ ୨୬ ତାରିଖ ଠାରୁ ଆରମ୍ଭ ହୋଇଛି।ଏହା ଏକ ମାସ ଧରି ଚାଲି ନଭେମ୍ବର ୨୪ ରେ ଶେଷ ହେବ। ଏହି ବ୍ରତକୁ ଶୃଙ୍ଖଳିତ ଭାବେ ପାଳନ ପାଇଁ ପ୍ରଶାସନ ନିଷ୍ଠାପର ଭାବେ କାର୍ଯ୍ୟ କରୁଛି।ପୂର୍ବରୁ ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା ହବିଷ୍ୟାଳୀ କେନ୍ଦ୍ର ଗୁଡିକ ବୁଲି ସ୍ଥିତି ଅନୁଧ୍ୟାନ ସହ ଦାୟିତ୍ୱ ରେ ଥିବା ବରିଷ୍ଠ ଅଧିକାରୀ ମାନଙ୍କୁ ସମସ୍ତ କାର୍ଯ୍ୟ ର ସୁ ପରିଚାଳନା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳ ପ୍ରଥମ ଦିନ ବୃନ୍ଦାବତୀ ନିବାସ ପରିଦର୍ଶନ କରିଥିବା ବେଳେ ଆଜି ମୋଚି ସାହି କଲ୍ୟାଣ ମଣ୍ଡପ ଓ ରେଲୱେ ଟୁରିଷ୍ଟ କମ୍ପେ୍ଲକ୍ସ ହବିଷ୍ୟାଳୀ କେନ୍ଦ୍ର ପରିଦର୍ଶନ ସହ ହବିଷ୍ୟାଳୀ ମାଆ ମାନଙ୍କ ଭଲ ମନ୍ଦ ସୁବିଧା ଅସୁବିଧା ପଚାରି ବୁଝିଥିଲେ। ମାଆ ମାନଙ୍କ ସଂପୃକ୍ତ କେନ୍ଦ୍ର ମାନଙ୍କ ରେ ରହଣୀ, ରହଣୀରେ ସୁବିଧା ଅସୁବିଧା, ମନ୍ଦିର ଦର୍ଶନ,ମହାପ୍ରସାଦ ସେବନ ସମ୍ପର୍କରେ ପଚାରି ବୁଝିଥିଲେ।ହବିଷ୍ୟାଳୀ କେନ୍ଦ୍ର ରେ ରହିବା, ବୃନ୍ଦାବତୀ ପୂଜା କରିବା,ମନ୍ଦିର ଦର୍ଶନ କରିବା, ମହାପ୍ରସାଦ ସେବନ କରିବା,ଭଜନ, କୀର୍ତ୍ତନ, ପ୍ରବଚନ ଶୁଣିବା ବ୍ୟବସ୍ଥା ଅତ୍ୟନ୍ତ ସୁନ୍ଦର ହୋଇଛି ବୋଲି ମା ମାନେ ଜିଲ୍ଲାପାଳ ଙ୍କୁ କହିଥିଲେ।ବର୍ଷା ହେଉଥିବାରୁ ମାଆ ମାନେ ବାହାରକୁ ନ ଯାଇ ହବିଷ୍ୟାଳୀ କେନ୍ଦ୍ର ମାନଙ୍କ ରେ ରହିବା, ସ୍ୱାସ୍ଥ୍ୟ ସମସ୍ୟା ହେଲେ ତୁରନ୍ତ ସେହି ହବିଷ୍ୟାଳୀ କେନ୍ଦ୍ର ରେ ସ୍ୱାସ୍ଥ୍ୟ ଶିବିର ରେ ଦେଖାଇବା ଏବଂ ସୁରକ୍ଷା ଓ ଶୃଙ୍ଖଳା ରକ୍ଷା ପାଇଁ ଦାୟିତ୍ୱ ରେ ଅଧିକାରୀ,ସ୍ୱେଚ୍ଛାସେବୀ ମାନଙ୍କ ପରାମର୍ଶ କୁ ମାନିବାକୁ ଜିଲ୍ଲାପାଳ ଅନୁରୋଧ କରିଥିଲେ।
ଏହାକୁ ଯେପରି ଆହୁରି ଅଧିକ ଶୃଙ୍ଖଳିତ କରାଯାଇ ପାରିବ ସେଥି ପ୍ରତି ଯତ୍ନ ବାନ ହେବାକୁ ସମସ୍ତ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ଶ୍ରୀ ପରିଡା ନିର୍ଦ୍ଦେଶ ଦେଇଥିଲେ।ବିଶେଷ କରି ପାନୀୟ ଜଳ, ସ୍ୱଛତା, ପରିମଳ ବ୍ୟବସ୍ଥା,ସ୍ୱାସ୍ଥ୍ୟ ଚିକିତ୍ସା ବ୍ୟବସ୍ଥା,ମନ୍ଦିର ଦର୍ଶନ ପାଇଁ ଗାଡି ବ୍ୟବସ୍ଥା, ଶୃଙ୍ଖଳିତ ମନ୍ଦିର ଦର୍ଶନ, ମହାପ୍ରସାଦ ସେବନ ବ୍ୟବସ୍ଥାକୁ ସଠିକ ଭାବେ ପରିଚାଳନା ପାଇଁ ଜିଲ୍ଲାପାଳ ଅଧିକାରୀ ମାନ ଙ୍କୁ ପରାମର୍ଶ ଦେଇଥିଲେ।ଏହି ପରିଦର୍ଶନ ସମୟରେ ପୁରୀ ମହାନଗର ନିଗମର କମିଶନର ପ୍ରହଲ୍ଲାଦ ନାରାୟଣ ଶର୍ମା,ଅତିରିକ୍ତ ଜିଲ୍ଲାପାଳ ନିଳମାଧବ ଭୋଇ,ପୁରୀ ମହାନଗର ନିଗମର ଯୁଗ୍ମ କମିଶନର ଅଭିମନ୍ୟୁ ବେହେରା, ପିକେଡିଏ ସେକ୍ରେଟାରୀ ଦିଲ୍ଲୀପ କୁମାର ମହାରଣା, ଉପ ଜିଲ୍ଲାପାଳ ରାଜ କିଶୋର ଜେନା, ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ, ଅନୁଶ୍ରବ ଗନ୍ତାୟତ, ସଂସ୍କୃତି ଉନ୍ନୟନ ଅଧିକାରୀ ହେମନ୍ତ ବେହେରା, ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବିଜୟ