
ଭୁବନେଶ୍ୱର, ୨୮ ଅକ୍ଟୋବର (ହି.ସ.)- ଆସନ୍ନ ବାତ୍ୟା ସମୟରେ ଶୂନ୍ୟ ମୃତ୍ୟୁ ସୁନିଶ୍ଚିତ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାର ଏବଂ ପୋଲିସ ପ୍ରଶାସନର ବରିଷ୍ଠ ଅଧିକାରୀମାନେ କ୍ଷେତ୍ରସ୍ତରରେ ପ୍ରସ୍ତୁତି ଓ ପରିଚାଳନା ବ୍ୟବସ୍ଥାର ତଦାରଖ କରୁଛନ୍ତି। ପୋଲିସ ମହାନିର୍ଦ୍ଦେଶ ବିନୟତୋଷ ମିଶ୍ରଙ୍କ ତତ୍ୱାବଧାନରେ ବରିଷ୍ଠ ଅଧିକାରୀମାନେ ବିପଦପ୍ରବଣ ଅଂଚଳ ପରିଦର୍ଶନ କରି ବାତ୍ୟା ମୁକାବିଲା ପ୍ରସ୍ତୁତି, ନିରାପଦ ସ୍ଥାନାନ୍ତରଣ ଓ ଜନସାଧାରଣଙ୍କ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରୁଛନ୍ତି।
ଏହି କ୍ରମରେ ଡଃ ସତ୍ୟଜିତ ନାଏକ, ଆଇଜିପି, କେନ୍ଦ୍ରାଂଚଳ, କଟକ, ଜଗତସିଂହପୁର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଜେ. ସୋନାଲ, ଆଇଏଏସ୍ ଏବଂ ଶ୍ରୀ ଅଙ୍କିତ ବର୍ମାଙ୍କ ସହ ଜଗତସିଂହପୁର ଜିଲ୍ଲାର ପ୍ରମୁଖ ଉପକୂଳୀୟ ମୁହାଣ ଜଟାଧାରୀ ମୁହାଣ ପରିଦର୍ଶନ କରିଥିଲେ। ସେଠାରେ ବାତ୍ୟା ପ୍ରସ୍ତୁତି ଏବଂ ବିପଦପ୍ରବଣ ଉପକୂଳ ଅଞ୍ଚଳର ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରଣ କରିବା ପାଇଁ ହୋଇଥିବା ବ୍ୟବସ୍ଥାର ସମୀକ୍ଷା କରାଯାଇଥିଲା।
ଗସ୍ତ ସମୟରେ ଅଧିକାରୀମାନେ ଚାଲିଥିବା ସ୍ଥାନାନ୍ତରଣ ପ୍ରକ୍ରିୟା ଏବଂ ଲୋକମାନଙ୍କୁ ନିର୍ଦ୍ଧାରିତ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବାର ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ। ଏହା ସହିତ ବିଭିନ୍ନ ଆଶ୍ରୟସ୍ଥଳ ପରିଦର୍ଶନ କରି ସେଠାରେ ପାନୀୟ ଜଳ, ପରିମଳ, ଆଲୋକ, ଖାଦ୍ୟ ଓ ଅନ୍ୟାନ୍ୟ ଆବଶ୍ୟକୀୟ ମୌଳିକ ସୁବିଧା ଉପଲବ୍ଧତା ଯାଂଚକରିଥିଲେ। ଆଶ୍ରୟ ନେଇଥିବା ଲୋକମାନଙ୍କ ସୁରକ୍ଷା, ସୁବିଧା ଓ ସୁସ୍ଥତା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।
ବାତ୍ୟା ପୂର୍ବ ପ୍ରସ୍ତୁତି ସମୀକ୍ଷା ବୈଠକରେ ମାନ୍ୟବର ମୁଖ୍ୟମନ୍ତ୍ରୀ ସମସ୍ତ ବିଭାଗକୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରିବା ସହିତ “ସମଗ୍ର ସରକାରୀ ବ୍ୟବସ୍ଥାର ସମନ୍ୱିତ ଆଭିମୁଖ୍ୟ” ଅନୁସରଣ କରି ପରସ୍ପର ମଧ୍ୟରେ ଉତମ ସମନ୍ୱୟ ରଖିବାକୁ ଦୃଢ଼ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ଦୂରଦୃଷ୍ଟିକୁ କାର୍ଯ୍ୟକାରୀ କରିବା ଲକ୍ଷ୍ୟରେ ବରିଷ୍ଠ ଅଧିକାରୀମାନେ କ୍ଷେତ୍ରରେ ଉପସ୍ଥିତ ରହି ପ୍ରସ୍ତୁତିର ତଦାରଖ କରୁଛନ୍ତି ଏବଂ ଯେକୌଣସି ଜରୁରୀ ପରିସ୍ଥିତିରେ ତ୍ୱରିତ ପଦକ୍ଷେପ ନେବା ଉପରେ ଗୁରୁତ୍ୱ ଦେଉଛନ୍ତି। ବାତ୍ୟା ପରବର୍ତୀ ପୁନରୁଦ୍ଧାର ଓ ଅତ୍ୟାବଶ୍ୟକ ସେବାଗୁଡ଼ିକର ଶୀଘ୍ର ପୁନଃସ୍ଥାପନ ମଧ୍ୟ ଏହି ପ୍ରସ୍ତୁତିର ଏକ ପ୍ରମୁଖ ଅଂଶ।
ଜରୁରୀକାଳୀନ ମୁକାବିଲା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ନିମନ୍ତେ ଜଗତସିଂହପୁର ଜିଲ୍ଲାରେ ଓଡ୍ରାଫ୍ ଓ ଏନ୍ଡିଆରଏଫ୍ ର ଗୋଟିଏ ଲେଖାଏଁ ପ୍ଲାଟୁନ୍ ମୁତୟନ କରାଯାଇଛି। ଆବଶ୍ୟକତା ପଡ଼ିଲେ ଉଦ୍ଧାର, ସ୍ଥାନାନ୍ତରଣ ଓ ରିଲିଫ୍ କାର୍ଯ୍ୟ ତ୍ୱରାନ୍ୱିତ କରିବା ଏହି ମୁତୟନର ଉଦ୍ଦେଶ୍ୟ।
ଜିଲ୍ଲା ନିୟନ୍ତ୍ରଣ କକ୍ଷ ଏବଂ ପୋଲିସ ନିୟନ୍ତ୍ରଣ କକ୍ଷ ୨୪ ଘଂଟା, ସପ୍ତାହର ସାତ ଦିନ କାର୍ଯ୍ୟକ୍ଷମ ରହିଛି। ଜରୁରୀକାଳୀନ ପରିସ୍ଥିତିର ସମନ୍ୱୟ, ଘଟଣାବଳୀ ଉପରେ ନଜର ରଖିବା ଏବଂ ଜନସାଧାରଣଙ୍କ ଆବଶ୍ୟକତା ଅନୁଯାୟୀ ସହାୟତା ଯୋଗାଇଦେବା ପାଇଁ ଏହି ନିୟନ୍ତ୍ରଣ କକ୍ଷଗୁଡ଼ିକ କାର୍ଯ୍ୟ କରୁଛି। ଲୋକମାନଙ୍କୁ ସମୟୋଚିତ ସହାୟତା ଯୋଗାଇବା ଏବଂ ପ୍ରଭାବଶାଳୀ ଯୋଗାଯୋଗ ସୁନିଶ୍ଚିତ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପରସ୍ପର ସମନ୍ୱୟ ରକ୍ଷା କରି କାର୍ଯ୍ୟ କରୁଛନ୍ତି।
ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ଜନସାଧାରଣଙ୍କୁ ଶାନ୍ତ ଓ ସତର୍କ ରହିବା, ପ୍ରଶାସନକୁ ସହଯୋଗ କରିବା, ନିର୍ଦ୍ଦେଶ ମିଳିବା ମାତ୍ରେ ନିର୍ଦ୍ଧାରିତ ବାତ୍ୟା ଆଶ୍ରୟସ୍ଥଳକୁ ଯିବା ଏବଂ ସରକାରୀ ପରାମର୍ଶାବଳୀକୁ କଡ଼ାକଡ଼ି ପାଳନ କରିବାକୁ ଅନୁରୋଧ କରାଯାଇଛି।ଶୂନ୍ୟ ମୃତ୍ୟୁ ଲକ୍ଷ୍ୟକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଜନଜୀବନର ସୁରକ୍ଷା, ସମନ୍ୱିତ ଜରୁରୀକାଳୀନ ପଦକ୍ଷେପ ଏବଂ ବାତ୍ୟାର ପ୍ରଭାବକୁ ସର୍ବନିମ୍ନ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହି କ୍ଷେତ୍ରସ୍ତରରେ କାର୍ଯ୍ୟ କରୁଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା