
ପୁରୀ, 28 ଅକ୍ଟୋବର (ହି.ସ.) - ଚଳିତ ବର୍ଷ ପ୍ରଶାସନ ପକ୍ଷରୁ ଆୟୋଜିତ ହୋଇଛି ତିନି ଗୋଟି ହବିଷ୍ୟାଳୀ କେନ୍ଦ୍ର।ବୃନ୍ଦାବତୀ ନିବାସ,ମୋଚି ସାହି କଲ୍ୟାଣ ମଣ୍ଡପ ଓ ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସ ହବିଷ୍ୟାଳୀ କେନ୍ଦ୍ର ମାନଙ୍କ ରେ ରଖାଯାଇଛି ବିଭିନ୍ନ ଜିଲ୍ଲା ରୁ ଆସିଥିବା ମାଆ ମାନ ଙ୍କୁ।ଚଳିତ ମାସ ୨୫ ତାରିଖରେ ହବିଷ୍ୟାଳୀ କେନ୍ଦ୍ର ରେ ମାଆ ମାନେ ପଞ୍ଜିକରଣ କରିବା ପରେ ସେମାନେ ପରଦିନ ବା ୨୬ ତାରିଖ ସକାଳୁ ଠାରୁ ବୃନ୍ଦାବତୀ ପୂଜନ,ବାଲୁକା ସ୍ଥାପନ କରି ମହାପ୍ରଭୁଙ୍କ ଦର୍ଶନ କରିଥିଲେ।ଏବେ
ପ୍ରତି ସଂଧ୍ୟାରେ ପରିବେଷିତ ହେଉଛି ପାଲା,ଦାସକାଠିଆ, ସଂକୀର୍ତ୍ତନ, ଭଜନ ଓ ପ୍ରବଚନ ଇତ୍ୟାଦି ସାଂସ୍କୃତିକ କାର୍ଯ୍ୟକ୍ରମ।ଏହି ଆଧ୍ୟାତ୍ମିକ ଭାବଧାରା ର ସାଂସ୍କୃତିକ କାର୍ଯ୍ୟକ୍ରମ ହବିଷ୍ୟାଳୀ ମା ମାନଙ୍କୁ କେବଳ ମନୋରଞ୍ଜନ ଦେଉନାହିଁ ବରଂ ମାନସିକ ଶାନ୍ତି ପ୍ରଦାନ ରେ ସହାୟକ ହେଉଛି ବୋଲି କହିଛନ୍ତି ହବିଷ୍ୟାଳୀ ମା ମାନେ।
ବାଲେଶ୍ଵର ର ସୁବାସିନୀ ଜେନା, ନୟାଗଡ଼ ର ସାବିତ୍ରୀ ଆଚାରୀ,ଖୋର୍ଦ୍ଧା ର ଗୋଲାପ ସୁନ୍ଦରା,ବରଗଡ ର ଉର୍ମିଳା ନାୟକ, କୋରାପୁଟ ର କୁଞ୍ଜଲତା ବେହେରା ପ୍ରମୁଖ ଙ୍କ ମତରେ ଏହା ଏକ ନିଆରା ଅନୁଭବ।ଆମ ଭିତରେ ଅନେକ ନୂଆ ପୁରୁଣା ମାଆ ମାନେ ଅଛନ୍ତି।ଆମେ ଘର ଦ୍ବାର ଛାଡି ଆସିଲା ବେଳେ ଆଶଙ୍କା ଥିଲା,ଅଜଣା, ଅଶୁଣା ଲୋକ, ତାଙ୍କ ସହ କେମିତି ମିଶିବୁ, କେମିତି ଚଳିବୁ।ପିଲା ମାନଙ୍କ କଥା ମନେ ପଡିବ।ହେଲେ ଏଠାରେ କଳା ଠାକୁରଙ୍କୁ ଥରେ ଦେଖି ଆଖି ରୁ ଦି ଟୋପା ଲୁହ ଗଡିଗଲା ପରେ ସବୁ ମା ମାନେ ନିଜର ନିଜର ଲାଗିବାକୁ ଲାଗିଲେ।ବୋଧହୁଏ ସେ ଦୁଇ ଟୋପା ଲୁହ ପରିବାର ପ୍ରତି ଥିବା ମାୟା, ମୋହ,ଆସକ୍ତି କୁ ଧୋଇ ଦେଲା।ହୃଦୟରେ ପିଲା, ପରିବାର ସ୍ଥାନରେ ମହାପ୍ରଭୁ ସ୍ଥାନିତ ହେଲେ।ଦିନ ରାତି ଏଠି କେବଳ ତାଙ୍କରି ଚିନ୍ତା।
ପୁରୀ ଖଟିଆକୁଦୀର ଶାନ୍ତି ଲତା ତରାଇ,ଖୋର୍ଦ୍ଧା ବରମୁଣ୍ଡାର କୌଶଲ୍ୟା ମହାରଣା, ଚିଲିକା ର ସତ୍ୟଭାମା ବେହେରା, କୃଷ୍ଣ ପ୍ରସାଦ ର ଗୀତା ତରାଇ,ଖୋର୍ଦ୍ଧା ର ପ୍ରମିଳା ସାହୁ ପ୍ରମୁଖ କୁହନ୍ତି ଆମେ ଆମ ପାରିବାରିକ ଜଞ୍ଜାଳ ମଧ୍ୟରୁ କେବେ ହେଲେ ଏତେ ଦିନ ପାଇଁ ବାହାରି ମହାପ୍ରଭୁଙ୍କ ଦର୍ଶନ ଲାଗି ଆସି ପାରି ନ ଥାନ୍ତୁ।ସେହି ବଡ ଠାକୁର ଙ୍କ ଡାକରା ରେ ଆସିଛୁ।ଅତି ସୁନ୍ଦର ରେ ଦର୍ଶନ କରୁଛୁ।ହୁଏତ ପରିବାର ସହ ବା ଏକୁଟିଆ ଆସୁଥିଲେ ଏମିତି ଦର୍ଶନ ସମ୍ଭବ ହେଉ ନ ଥାନ୍ତା।ଆମକୁ ସ୍ବତନ୍ତ୍ର ଭାବେ ବସରେ ସକାଳୁ ସକାଳୁ ସ୍ବେଚ୍ଛାସେବୀ ମାନେ ବା ସରକାରୀ କର୍ମଚାରୀ ନେବା ଆଣିବା କରିବା ଆମ ପାଇଁ ସ୍ବପ୍ନ ଓ ଗୌରବ ଲାଗୁଛି।ଦିନ ସାରା ହବିଷ୍ୟାଳୀ ବ୍ରତର ପୁରାଣ ପଢିବା, ଶୁଣିବା ପ୍ରତି ଯେଉଁ ନିଷ୍ଠା ଓ ସମର୍ପଣ ତାହା ଆଦୌ ଘରେ ସମ୍ଭବ ନୁହେଁ।ଆମକୁ ଏହି ହବିଷ୍ୟାଳୀ କେନ୍ଦ୍ର ରେ ଯେଉଁ ସୁବିଧା ମିଳୁଛି ତାହା ଅନନ୍ୟ ଓ ଖୁବ ଭଲ।ନିଜେ ଜିଲ୍ଲାପାଳ ଆମକୁ ଭେଟି କଥା ହୋଇ ଭଲ ମନ୍ଦ ପଚାରିଲେ।ତାଙ୍କ ପରାମର୍ଶ ରେ ଅନ୍ୟ ଅଫିସର ମାନେ ଆମର ଭଲ ମନ୍ଦ ବୁଝୁଛନ୍ତି।ଆମେ ନାଚୁଛୁ,ଗାଉଛୁ,ସାଙ୍ଗ ସାଥି ବନଉଛୁ।ପ୍ରତି ସଂଧ୍ୟାରେ ମହାପ୍ରଭୁଙ୍କ ଦିବ୍ୟ ମହାପ୍ରସାଦ ପାଉଛୁ।ଏହି ସବୁ ପ୍ରତିଭା ଆମ ଭିତରେ ଲୁଚି ରହିଥିଲା ବୋଲି ଆମେ ବି ଭାବି ପାରୁନୁ।କିନ୍ତୁ ଆମେ ଛୋଟ ପିଲାଙ୍କ ପରି ନିର୍ଭୟ ରେ ଏ ସବୁ କରି ପାରୁଛୁ।କାରଣ ଆମେ ଅନୁଭବ କରୁଛୁ ଆମ ଚାରି ପାଖରେ ସରକାର ଓ ପ୍ରଶାସନର ସୁରକ୍ଷା ର ବଳୟ ଅଛି।ଆମ ନିଜ ଠାରୁ ଆହୁରି ନିଜର ଦାୟିତ୍ୱ ନେଉଥିବା ଏହି ଅଧିକାରୀ, କର୍ମଚାରୀ, ସ୍ବେଚ୍ଛାସେବୀ ମାନେ ରହୁଛନ୍ତି।ତାଙ୍କୁ ଯେତେ ପ୍ରଶଂସା କଲେ ବି କମ ହେବ।
ଆମେ ଯେଉଁ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖୁଛୁ ତାହା ଆମକୁ ଆନନ୍ଦ ସହ ଅନେକ ଶିକ୍ଷା ଦେଉଛି।ବଞ୍ଚି ଥିବା ଯାଏଁ, ହାତ ଗୋଡ ଚଳୁଥିବା ଯାଏଁ ଚେଷ୍ଟା କରିବୁ ଆସି ହବିଷ୍ୟାଳୀ ବ୍ରତରେ ସାମିଲ ହେବାକୁ,ଆନନ୍ଦ ଓ ଖୁସି ହେବାକୁ ବୋଲି କୋହ ଭରା କଣ୍ଠରେ କହନ୍ତି ଏହି ହବିଷ୍ୟାଳୀ ମା ମାନେ।
ଆଜି ବର୍ଷା ପାଇଁ ମାଆ ମାନଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷା ଦୃଷ୍ଟିରୁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରଖାଯାଇଥିଲା।ମାଆ ମାନେ କିନ୍ତୁ ଦିନ ତମାମ ଭଜନ, କୀର୍ତ୍ତନ, ନିଜ ନିଜ ଭିତରେ ରାଧା କୃଷ୍ଣ ବେଶ ହୋଇ ନୃତ୍ୟ ଗୀତ ରେ ମଜ୍ଜି ରହିଥିବା ଦେଖିବାକୁ ମିଳିଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ବିଜୟ