
ଗ୍ୱୌହାଟୀ, ୩୦ ଅକ୍ଟୋବର (ହି.ସ.)। ଭୁଟାନରେ ହିମବାହ ହ୍ରଦ ହଠାତ୍ ଫାଟିଯିବା ଫଳରେ ବିପୁଳ ପରିମାଣର ଜଳ ପ୍ରବଳ ବେଗରେ ପ୍ରବାହିତ ହେଉଥିବା ସୂଚନା ମିଳିବା ପରେ ଆସାମରେ ସଂକୋଶ ନଦୀ କୂଳରେ ଥିବା ଅଞ୍ଚଳଗୁଡ଼ିକରେ ବନ୍ୟା ଆଶଙ୍କା ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସତର୍କତା ସୂଚନା ଜାରି କରାଯାଇଛି।
ଆସାମର ଶ୍ରୀରାମପୁର, କୋକରାଝାର, ଧୁବ୍ରୀ ଓ ଚିରାଙ୍ଗ ଜିଲ୍ଲାର ନଦୀକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଆକସ୍ମିକ ବନ୍ୟାର ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ସମ୍ବେଦନଶୀଳ ଅଞ୍ଚଳରେ ସତର୍କତା ଅବଲମ୍ବନ କରାଯାଉଛି।
ସୂଚନା ଅନୁଯାୟୀ, ଭୁଟାନର ଗାସା ଜିଲ୍ଲାରେ ଅବସ୍ଥିତ ଶିନ୍ତାଫୁ ହ୍ରଦରେ ଗୁରୁବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି। ହିମବାହ ହ୍ରଦ ହଠାତ୍ ଫାଟିଯିବା ଫଳରେ ସେଥିରୁ ବିପୁଳ ପରିମାଣର ଜଳ ନିର୍ଗତ ହୋଇଛି। ଏହାଦ୍ୱାରା ନିମ୍ନ ଅଞ୍ଚଳଗୁଡ଼ିକରେ, ବିଶେଷକରି ସଂକୋଶ ନଦୀକୂଳବର୍ତ୍ତୀ ଅଞ୍ଚଳରେ ଆକସ୍ମିକ ବନ୍ୟାର ଆଶଙ୍କା ସୃଷ୍ଟି ହୋଇଛି। ନଦୀକୂଳରେ ବସବାସ କରୁଥିବା ଲୋକଙ୍କୁ ସତର୍କ ରହିବା ସହ ଆବଶ୍ୟକ ପଡ଼ିଲେ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଛି।
ପ୍ରଶାସନ ପକ୍ଷରୁ ନଦୀର ଜଳସ୍ତର ଏବଂ ଜଳ ପ୍ରବାହ ଉପରେ ନିରନ୍ତର ନଜର ରଖାଯାଇଛି। ତେବେ ଏହି ଘଟଣାର ପ୍ରକୃତ ପ୍ରଭାବ ନିମ୍ନ ଅଞ୍ଚଳଗୁଡ଼ିକରେ କେତେ ମାତ୍ରାରେ ପଡ଼ିବ, ତାହାର ଆକଳନ ଏପର୍ଯ୍ୟନ୍ତ କରାଯାଇ ପାରିନାହିଁ। ଅନ୍ୟପକ୍ଷରେ, ଭୁଟାନରେ ଏପର୍ଯ୍ୟନ୍ତ ଏହି ଘଟଣାରେ କାହାରି ମୃତାହତ ହେବାର ସୂଚନା ମିଳିନାହିଁ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା