
ଭୋପାଳ, ୩୦ ଅକ୍ଟୋବର (ହି.ସ.)। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ମା’ କାଶୀବାଇଙ୍କର ଶୁକ୍ରବାର ସକାଳେ ଭୋପାଳସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ପରଲୋକ ଘଟିଛି। ପ୍ରାୟ ୭୬ ବର୍ଷୀୟା କାଶୀବାଇ ଗତ ଏକ ସପ୍ତାହ ଧରି ଗୁରୁତର ଅସୁସ୍ଥ ଥିଲେ। ଶ୍ୱାସକ୍ରିୟା ସମ୍ବନ୍ଧୀୟ ସମସ୍ୟା ବଢ଼ିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟର ସହାୟତାରେ ରଖାଯାଇ ଚିକିତ୍ସା କରାଯାଉଥିଲା। ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ପରିବାର ଓ ଶୁଭେଚ୍ଛୁଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।
କାଶୀବାଇଙ୍କ ଅନ୍ତିମ ସଂସ୍କାର ଆଜି ଅପରାହ୍ନ ୩ଟାରେ ତାଙ୍କ ପୈତୃକ ଗ୍ରାମ ସିହୋର ଜିଲ୍ଲାର ଜୈତରେ ଅନୁଷ୍ଠିତ ହେବ। ମା’ଙ୍କ ବିୟୋଗ ଖବର ପାଇବା ପରେ ଶିବରାଜ ସିଂହ ଚୌହାନ ନିଜର ପୂର୍ବ ନିର୍ଦ୍ଧାରିତ ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରିଦେଇଛନ୍ତି। ସେ ନିଜେ ସୋସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି।
ସେ ଏକ୍ସରେ ଲେଖିଛନ୍ତି, “ଆଜି ଆମ ସମଗ୍ର ପରିବାର ପାଇଁ ଅତ୍ୟନ୍ତ ଦୁଃଖ ଓ ଯନ୍ତ୍ରଣାର ଦିନ। ଆମର ପୂଜ୍ୟ ମାତାଶ୍ରୀ ଶ୍ରୀମତୀ କାଶୀବାଇ ଜୀ ଆମକୁ ଛାଡ଼ି ଅନନ୍ତ ଯାତ୍ରାରେ ପ୍ରସ୍ଥାନ କରିଛନ୍ତି। ମା’ଙ୍କ ବିୟୋଗ ଜୀବନରେ ଏପରି ଏକ ଶୂନ୍ୟସ୍ଥାନ ସୃଷ୍ଟି କରେ, ଯାହାକୁ କେହି କେବେ ପୂରଣ କରିପାରିବେ ନାହିଁ। ଆଜି ତାଙ୍କ ସ୍ମୃତି ମନକୁ ଭାବବିହ୍ୱଳ କରିଦେଉଛି। ପରମପିତା ପରମେଶ୍ୱରଙ୍କ ଶ୍ରୀଚରଣରେ ପ୍ରାର୍ଥନା କରୁଛି ଯେ, ସେ ମାତାଶ୍ରୀଙ୍କୁ ନିଜର ଦିବ୍ୟଧାମରେ ସ୍ଥାନ ପ୍ରଦାନ କରନ୍ତୁ। ପୂଜ୍ୟ ମାତାଶ୍ରୀଙ୍କ ଅନ୍ତିମ ସଂସ୍କାର ଅପରାହ୍ନ ୩ଟାରେ ଆମ ପୈତୃକ ଗ୍ରାମ ଜୈତ, ଜିଲ୍ଲା ସିହୋରରେ ଅନୁଷ୍ଠିତ ହେବ। ଓଁ ଶାନ୍ତି!”
ସାକେତ ନଗରସ୍ଥିତ ବାସଭବନରେ ହେବ ଶେଷ ଦର୍ଶନ
ପରିବାର ସଦସ୍ୟଙ୍କ ସୂଚନା ଅନୁଯାୟୀ, କାଶୀବାଇଙ୍କ ମରଶରୀରକୁ ସକାଳ ୧୧ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଭୋପାଳର ସାକେତ ନଗରସ୍ଥିତ ୯-ବି ବାସଭବନରେ ଶେଷ ଦର୍ଶନ ପାଇଁ ରଖାଯାଇଥିଲା। ଏହାପରେ ମରଶରୀରକୁ ସିହୋର ଜିଲ୍ଲାର ପୈତୃକ ଗ୍ରାମ ଜୈତକୁ ନିଆଯିବ, ଯେଉଁଠାରେ ଅପରାହ୍ନ ୩ଟାରେ ଅନ୍ତିମ ସଂସ୍କାର କରାଯିବ। ଏହି ଦୁଃଖଦ ସମୟରେ ପରିବାର ସଦସ୍ୟ ଓ ନିକଟ ସମ୍ପର୍କୀୟମାନେ ତାଙ୍କ ସହ ରହିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା