
ନୂଆଦିଲ୍ଲୀ, ୩୦ ଅକ୍ଟୋବର (ହି.ସ.)। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପଞ୍ଜାବ ଗସ୍ତ ମଧ୍ୟରେ ଭାରତୀୟ ଜନତା ପାର୍ଟି (ବିଜେପି) ନିଜର କାର୍ଯ୍ୟକ୍ରମ ସ୍ଥିର କରିଛି। ବିଜେପି ନଭେମ୍ବର ୪ ତାରିଖରେ ଚଣ୍ଡିଗଡ଼ଠାରେ ଏକ ବୃହତ୍ ଶିଖ୍ ସମ୍ମିଳନୀ ଆୟୋଜନ କରିବାକୁ ଯାଉଛି। ଏହି ସମ୍ମିଳନୀର ମୁଖ୍ୟ ପ୍ରସଙ୍ଗ ରହିବ ୧୯୮୪ ମସିହାର ଶିଖ୍ ବିରୋଧୀ ଦଙ୍ଗା ଏବଂ ଏହି ଦଙ୍ଗାର ପୀଡ଼ିତମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ ଚାଲିଥିବା ଲଢ଼େଇ।
ଦିନତମାମ ଚାଲିବାକୁ ଥିବା ଏହି ସମ୍ମିଳନୀରେ ୧୯୮୪ ଦଙ୍ଗାରେ ପ୍ରଭାବିତ ଲୋକ, ପୀଡ଼ିତ ପରିବାର ଏବଂ ଦୀର୍ଘଦିନ ଧରି ନ୍ୟାୟ ପାଇଁ ଲଢ଼େଇ କରୁଥିବା ବ୍ୟକ୍ତିମାନଙ୍କୁ ଆମନ୍ତ୍ରଣ କରାଯାଇଛି। ଏହା ମାଧ୍ୟମରେ ଦଙ୍ଗା ସହ ଜଡ଼ିତ ମାମଲା, ପୀଡ଼ିତଙ୍କ ସଂଘର୍ଷ ଏବଂ ନ୍ୟାୟିକ ପ୍ରକ୍ରିୟାର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯିବ।
ସୂତ୍ର ଅନୁଯାୟୀ, ଏହି ସମ୍ମିଳନୀରେ ସେହି ଓକିଲମାନଙ୍କୁ ମଧ୍ୟ ଆମନ୍ତ୍ରଣ କରାଯାଇଛି, ଯେଉଁମାନେ ୧୯୮୪ ଦଙ୍ଗା ସହ ଜଡ଼ିତ ମାମଲାଗୁଡ଼ିକରେ ପୀଡ଼ିତ ପରିବାର ପକ୍ଷରୁ ଆଇନଗତ ଲଢ଼େଇ ଲଢ଼ିଥିଲେ। ଏହାବ୍ୟତୀତ ହିଂସା ସହ ଜଡ଼ିତ ମାମଲାଗୁଡ଼ିକରେ ରାୟ ଶୁଣାଇଥିବା ବିଚାରପତିମାନଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମକୁ ଡକାଯାଇଛି। ଏହିପରି ଭାବେ ସମ୍ମିଳନୀରେ ପୀଡ଼ିତଙ୍କ ଅନୁଭୂତି ସହ ଆଇନଗତ ଲଢ଼େଇ ଓ ନ୍ୟାୟିକ ପ୍ରକ୍ରିୟା ସମ୍ପର୍କିତ ବିଭିନ୍ନ ଦିଗକୁ ମଧ୍ୟ ସ୍ଥାନ ଦିଆଯିବ।
ଉଲ୍ଲେଖଯୋଗ୍ୟ ଯେ, ରାହୁଲ ଗାନ୍ଧୀ ନଭେମ୍ବର ୪ ତାରିଖରେ ପଞ୍ଜାବର ସଙ୍ଗରୁରଠାରେ କଂଗ୍ରେସର ଏକ ରାଲିକୁ ସମ୍ବୋଧିତ କରିବେ। ଏହି ରାଲିକୁ ପଞ୍ଜାବରେ ୨୦୨୭ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ନିର୍ବାଚନୀ ଅଭିଯାନର ଶୁଭାରମ୍ଭ ଭାବେ ଦେଖାଯାଉଛି। ଏଭଳି ସ୍ଥିତିରେ ସେହି ଦିନ ଚଣ୍ଡିଗଡ଼ରେ ବିଜେପିର ଶିଖ୍ ସମ୍ମିଳନୀ ଆୟୋଜନ ରାଜନୈତିକ ଦୃଷ୍ଟିରୁ ଗୁରୁତ୍ୱ ବହନ କରୁଛି।
ରାହୁଲ ଗାନ୍ଧୀଙ୍କ ପଞ୍ଜାବ ଗସ୍ତ ସମୟରେ ବିଜେପି ପକ୍ଷରୁ ୧୯୮୪ ଦଙ୍ଗା ଏବଂ ଶିଖ୍ ସମ୍ପ୍ରଦାୟ ସହ ଜଡ଼ିତ ପ୍ରସଙ୍ଗଗୁଡ଼ିକୁ ପ୍ରମୁଖତାର ସହ ଉଠାଇବା ପାଇଁ ଏହି କାର୍ଯ୍ୟକ୍ରମକୁ ଦଳର ଏକ ରଣନୀତି ଭାବେ ଦେଖାଯାଉଛି। ତେବେ ସମ୍ମିଳନୀର ଘୋଷିତ ମୁଖ୍ୟ ଉଦ୍ଦେଶ୍ୟ ୧୯୮୪ ଦଙ୍ଗାର ପୀଡ଼ିତ, ସେମାନଙ୍କ ପରିବାର ଏବଂ ନ୍ୟାୟ ପାଇଁ ଚାଲିଥିବା ଲଢ଼େଇକୁ ସମର୍ପିତ ରହିବ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା