
ନୂଆଦିଲ୍ଲୀ, ୩୦ ଅକ୍ଟୋବର (ହି.ସ.)। ଭଗବାନ ବୁଦ୍ଧଙ୍କ ପବିତ୍ର ଧାତୁ ଅବଶେଷ ଅକ୍ଟୋବର ୩୧ରୁ ନଭେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ଅରୁଣାଚଳ ପ୍ରଦେଶର ତିନୋଟି ପ୍ରମୁଖ ବୌଦ୍ଧ କେନ୍ଦ୍ର ତୱାଙ୍ଗ, ବୋମଡିଲା ଓ ନାମସାଇରେ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ରଖାଯିବ। କେନ୍ଦ୍ରୀୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଅକ୍ଟୋବର ୩୧ ତାରିଖରେ ତୱାଙ୍ଗସ୍ଥିତ ଐତିହାସିକ ଗାଦେନ ନାମଗ୍ୟାଲ ଲ୍ହାତ୍ସେ (ତୱାଙ୍ଗ ମଠ)ରେ ଆୟୋଜିତ ଉଦ୍ଘାଟନୀ ସମାରୋହରେ ଯୋଗଦେବେ। ନୂଆଦିଲ୍ଲୀସ୍ଥିତ ଜାତୀୟ ସଂଗ୍ରହାଳୟରେ ସଂରକ୍ଷିତ ଭଗବାନ ବୁଦ୍ଧଙ୍କ ଏହି ପବିତ୍ର ଧାତୁ ଅବଶେଷକୁ ଏହି ଆୟୋଜନ ଅଧୀନରେ ଅରୁଣାଚଳ ପ୍ରଦେଶର ଏହି ତିନୋଟି ସ୍ଥାନକୁ ନିଆଯିବ।
କେନ୍ଦ୍ରୀୟ ସଂସ୍କୃତି ମନ୍ତ୍ରଣାଳୟ, ଅରୁଣାଚଳ ପ୍ରଦେଶ ସରକାର, ଅନ୍ତର୍ଜାତୀୟ ବୌଦ୍ଧ ମହାସଂଘ ଏବଂ ଜାତୀୟ ସଂଗ୍ରହାଳୟର ସହଯୋଗରେ ଏହି କାର୍ଯ୍ୟକ୍ରମର ଆୟୋଜନ କରୁଛି। ଶ୍ରଦ୍ଧାଳୁମାନଙ୍କୁ ପବିତ୍ର ଧାତୁ ଅବଶେଷ ଦର୍ଶନର ସୁଯୋଗ ଦେବା ସହ ରାଜ୍ୟର ସମୃଦ୍ଧ ବୌଦ୍ଧ ପରମ୍ପରା ଏବଂ ଭାରତର ବୌଦ୍ଧ ଐତିହ୍ୟକୁ ସାମ୍ନାକୁ ଆଣିବା ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ। ଏହି କାର୍ଯ୍ୟକ୍ରମରେ ବୌଦ୍ଧ ଭିକ୍ଷୁ, ଧାର୍ମିକ ଅନୁଷ୍ଠାନର ପ୍ରତିନିଧି, ବିଦ୍ୱାନ ଏବଂ ବିଭିନ୍ନ କ୍ଷେତ୍ରର ବ୍ୟକ୍ତିବିଶେଷ ଯୋଗଦେବେ।
ପବିତ୍ର ଧାତୁ ଅବଶେଷଗୁଡ଼ିକୁ ଆଜି ରାତିରେ ଜାତୀୟ ସଂଗ୍ରହାଳୟରୁ ସ୍ୱତନ୍ତ୍ର ଧାର୍ମିକ ରୀତିନୀତି ସହ ବିଦାୟ ଦିଆଯିବ। ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଏହାକୁ ଦିଲ୍ଲୀର ପାଲମ ବାୟୁସେନା ଷ୍ଟେସନରୁ ଗୁଆହାଟୀସ୍ଥିତ ବୋରଝାର ବାୟୁସେନା ଷ୍ଟେସନକୁ ନିଆଯିବ। ସେଠାରୁ ହେଲିକପ୍ଟର ଯୋଗେ ତୱାଙ୍ଗକୁ ନିଆଯିବ। ତୱାଙ୍ଗରେ ଧାର୍ମିକ ପରମ୍ପରା ଅନୁଯାୟୀ ଏହାକୁ ସ୍ୱାଗତ କରାଯିବ ଏବଂ ତୱାଙ୍ଗ ମଠରେ ସ୍ଥାପନ କରାଯିବ। ଏଠାରେ ଅକ୍ଟୋବର ୩୧ ତାରିଖ ସକାଳ ୧୦ଟାରୁ ୧୧ଟା ୩୦ ମଧ୍ୟରେ ଉଦ୍ଘାଟନୀ ସମାରୋହ ଆୟୋଜନ ପାଇଁ ପ୍ରସ୍ତାବ ରହିଛି। ନଭେମ୍ବର ୧ ତାରିଖରେ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁଙ୍କ ଉପସ୍ଥିତିରେ ପ୍ରଦର୍ଶନୀ ଓ ଏହା ସହ ଜଡ଼ିତ କାର୍ଯ୍ୟକ୍ରମଗୁଡ଼ିକର ଔପଚାରିକ ଉଦ୍ଘାଟନ କରାଯିବ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା