ଧୂଳିରେ ଅଣନିଃଶ୍ୱାସୀ ଝାରସୁଗୁଡ଼ାବାସୀ, ମରାମତି ଦାବି ଜୋରଦାର
Jharsuguda residents suffocating in dust
ଧୂଳିରେ ଅଣନିଃଶ୍ୱାସୀ ଝାରସୁଗୁଡ଼ାବାସୀ, ମରାମତି ଦାବି ଜୋରଦାର


ଝାରସୁଗୁଡ଼ା, 05 ଅକ୍ଟୋବର (ହି.ସ.) ଝାରସୁଗୁଡ଼ା ସହରର ପୁରୁଣା ବସଷ୍ଟାଣ୍ଡ ରେଳ ଓଭରବ୍ରିଜ୍ଠାରୁ କିଷାନ ଛକ ପର୍ଯ୍ୟନ୍ତ ରାସ୍ତାର ଶୋଚନୀୟ ଅବସ୍ଥା ଏବେ ସହରବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ରାସ୍ତାରେ ବଡ଼ ବଡ଼ ଖାଲଖମା ସୃଷ୍ଟି ହେବା ସହ ଯାନବାହନ ଚଳାଚଳ ସମୟରେ ପ୍ରବଳ ଧୂଳି ଉଡୁଥିବାରୁ ପଥଚାରୀ ଓ ଯାତ୍ରୀମାନେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି।

ବିଶେଷକରି ବାଇକ୍, ଅଟୋ ଓ ଅନ୍ୟ ଦୁଇଚକିଆ ଯାନରେ ଯାତାୟାତ କରୁଥିବା ଲୋକେ ଧୂଳି ଯୋଗୁଁ ଅତିଷ୍ଠ ହୋଇପଡ଼ିଛନ୍ତି। ଶ୍ୱାସଜନିତ ସମସ୍ୟା ଥିବା ଲୋକଙ୍କ ପାଇଁ ଏହି ରାସ୍ତାରେ ବିନା ମାସ୍କରେ ଯାତାୟାତ କରିବା ଏକପ୍ରକାର ଅସମ୍ଭବ ହୋଇପଡ଼ିଛି।

ପୁରୁଣା ବସଷ୍ଟାଣ୍ଡରୁ କିଷାନ ଛକ ପର୍ଯ୍ୟନ୍ତ ଏହି ରାସ୍ତା ଝାରସୁଗୁଡ଼ା ସହରର ଏକ ପ୍ରମୁଖ ଯାତାୟାତ ମାର୍ଗ। ଏହି ରାସ୍ତା ଦେଇ ଦୈନିକ ବହୁ ସଂଖ୍ୟକ ଲୋକ ଝାରସୁଗୁଡ଼ା ରେଳ ଷ୍ଟେସନ ସମେତ ଜିଲ୍ଲାପାଳ କାର୍ଯ୍ୟାଳୟ, କୋର୍ଟ, ମୁଖ୍ୟ ଚିକିତ୍ସାଳୟ, ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଇଞ୍ଜିନିୟରିଂ ବିଦ୍ୟାଳୟ, ଝାରସୁଗୁଡ଼ା ବ୍ଲକ, ଏଲ୍.ଏନ୍. ମହାବିଦ୍ୟାଳୟ ଓ ମହିଳା ମହାବିଦ୍ୟାଳୟ ଆଦିକୁ ଯାତାୟାତ କରିଥାନ୍ତି। ବ୍ରଜରାଜନଗର, ବେଲପାହାଡ଼, ଲଖନପୁର ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଲୋକେ ମଧ୍ୟ ଏହି ରାସ୍ତା ଉପରେ ନିର୍ଭରଶୀଳ।

ଅନ୍ୟପକ୍ଷରେ ଆଗକୁ ପାର୍ବଣ ଋତୁ ଥିବାରୁ ଝାରସୁଗୁଡ଼ା ସହରର ବିଭିନ୍ନ ପୂଜାମଣ୍ଡପକୁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଲୋକଙ୍କ ଆଗମନ ହେବ। ସହର ପାର୍ବଣ ପାଇଁ ସଜେଇ ହେଉଥିବା ବେଳେ ଏଭଳି ଏକ ପ୍ରମୁଖ ରାସ୍ତାର ଦୁରବସ୍ଥା ଲୋକଙ୍କ ମଧ୍ୟରେ ଅସନ୍ତୋଷକୁ ଆହୁରି ତୀବ୍ର କରିବାର ଆଶଙ୍କା ରହିଛି।

ତେଣୁ ପାର୍ବଣ ପୂର୍ବରୁ ରାସ୍ତାର ତୁରନ୍ତ ମରାମତି କରିବା ସହ ନିୟମିତ ଭାବେ ପାଣି ସିଞ୍ଚନ କରି ଧୂଳି ନିୟନ୍ତ୍ରଣ କରିବାକୁ ସହରବାସୀ ଦାବି କରିଛନ୍ତି। ଲୋକଙ୍କ ସୁରକ୍ଷିତ ଓ ସୁଗମ ଯାତାୟାତ ସୁନିଶ୍ଚିତ କରିବା ପ୍ରଶାସନ ଓ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ଗୁରୁଦାୟିତ୍ୱ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande