
ଝାରସୁଗୁଡ଼ା, ୫ ଅକ୍ଟୋବର (ହି.ସ.)- ଶିଳ୍ପାନୁଷ୍ଠାନରୁ ନିର୍ଗତ ବିଷାକ୍ତ ବାଷ୍ପ ଯୋଗୁଁ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିବା ଅଭିଯୋଗ କରି ଝାରସୁଗୁଡ଼ା ସଦର ବ୍ଲକ ଅନ୍ତର୍ଗତ ଭୁର୍କାମୁଣ୍ଡା, ଶ୍ରୀପୁରା, କୁରେବଗା ଓ ବୃନ୍ଦାମାଲ ଗ୍ରାମର ଚାଷୀମାନେ ସୋମବାର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏନେଇ ଚାଷୀମାନେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରି ତୁରନ୍ତ କ୍ଷତିପୂରଣ ଯୋଗାଇଦେବାକୁ ଦାବି କରିଛନ୍ତି।
ଚାଷୀମାନଙ୍କ ଅଭିଯୋଗ ଅନୁଯାୟୀ, ଝାରସୁଗୁଡ଼ା ତହସିଲ ଅଧୀନସ୍ଥ ଉକ୍ତ ଗ୍ରାମଗୁଡ଼ିକର ଚାଷୀମାନେ ପରିବାର ପ୍ରତିପୋଷଣ ପାଇଁ ଚଳିତ ବର୍ଷ ଧାନ ଚାଷ କରିଥିଲେ। ତେବେ ନିକଟସ୍ଥ ଶିଳ୍ପାନୁଷ୍ଠାନରୁ ନିର୍ଗତ ବିଷାକ୍ତ ବାଷ୍ପର ପ୍ରଭାବରେ ଧାନ ଫସଲ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି। ଫଳରେ ଚାଷୀମାନେ ଆର୍ଥିକ ଭାବେ ଗୁରୁତର କ୍ଷତିର ସମ୍ମୁଖୀନ ହୋଇଛନ୍ତି। ଦାବିପତ୍ରରେ କ୍ଷତିଗ୍ରସ୍ତ ଧାନ ଫସଲର ତୁରନ୍ତ ସରକାରୀ ସ୍ତରରେ ଆକଳନ କରାଯାଇ ପ୍ରଭାବିତ ଚାଷୀଙ୍କୁ ଉଚିତ କ୍ଷତିପୂରଣ ପ୍ରଦାନ, ବିଷାକ୍ତ ବାଷ୍ପ ନିର୍ଗମନର ତଦନ୍ତ ଓ ନିୟନ୍ତ୍ରଣ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରାଯାଇଛି। ଆଗାମୀ ଦିନରେ ଏଭଳି ଘଟଣାର ଯେପରି ପୁନରାବୃତ୍ତି ନହୁଏ, ସେଥିପାଇଁ ପ୍ରଶାସନ ଓ ଶିଳ୍ପ ସଂସ୍ଥା ପକ୍ଷରୁ ଆବଶ୍ୟକ ପଦକ୍ଷେପ ନେବାକୁ ମଧ୍ୟ ଚାଷୀମାନେ ଅନୁରୋଧ କରିଛନ୍ତି। ସମସ୍ୟାର ଶୀଘ୍ର ସମାଧାନ ନହେଲେ ଆଗାମୀ ଦିନରେ ଶିଳ୍ପ ସଂସ୍ଥାର ମୁଖ୍ୟ ଫାଟକ ସମ୍ମୁଖରେ ଆନ୍ଦୋଳନ କରିବାକୁ ଚାଷୀମାନେ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି। ଦାବିପତ୍ରର ଏକ ନକଲ ଶିଳ୍ପ ସଂସ୍ଥା କର୍ତ୍ତୃପକ୍ଷଙ୍କୁ ମଧ୍ୟ ପ୍ରଦାନ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ