
ଝାରସୁଗୁଡ଼ା, ୫ ଅକ୍ଟୋବର (ହି.ସ.)- ଝାରସୁଗୁଡ଼ା ଜିଲ୍ଲାର କୋଲାବିରା ବ୍ଲକ ପରିସରରେ ସୋମବାର ବ୍ଲକସ୍ତରୀୟ ‘ସେବା ସେତୁ’ କ୍ୟାମ୍ପ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଛି। କ୍ୟାମ୍ପରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଞ୍ଚଳବାସୀଙ୍କ ସହ ସିଧାସଳଖ ମତ ବିନିମୟ କରିଥିଲେ। ଏଥିସହ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା ଓ ସରକାରୀ ସେବା ସମ୍ପର୍କରେ ଲୋକଙ୍କ ସହ ଆଲୋଚନା କରିଥିଲେ।
ଏହି ଅବସରରେ ବିଧାୟକ ତ୍ରିପାଠୀ କହିଥିଲେ, ସରକାରୀ ଯୋଜନା ଓ ଜନସେବାକୁ ସାଧାରଣ ଲୋକଙ୍କ ନିକଟରେ ସୁଗମ, ସ୍ୱଚ୍ଛ ଓ ସହଜ ଢଙ୍ଗରେ ପହଞ୍ଚାଇବା ସରକାରଙ୍କ ପ୍ରମୁଖ ଲକ୍ଷ୍ୟ। ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀ ଯେପରି ସରକାରୀ ସୁବିଧାରୁ ବଞ୍ଚିତ ନହୁଅନ୍ତି, ସେଥିପାଇଁ ପ୍ରଶାସନ ଓ ଜନପ୍ରତିନିଧିମାନେ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ସେ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ କୋଲାବିରା ବିଡିଓ ଅବିନାଶ ଲାକ୍ରା, ତହସିଲଦାର ମନୋଜ କୁଜୁର, ସାଂସଦଙ୍କ ପ୍ରତିନିଧି ସମରେନ୍ଦ୍ର ରାଏ, ଝିର୍ଲାପାଲି ସରପଞ୍ଚ ତିଳୋତ୍ତମା ଛଛାନ, ପରମାଣପୁର ସରପଞ୍ଚ ଜାହ୍ନବୀ ପ୍ରଧାନ ଏବଂ ଏବିଡିଓ ରାଜେଶ ରୋଶନ ଗୁଡ଼ିଆଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ଜନପ୍ରତିନିଧି ଉପସ୍ଥିତ ଥିଲେ।
କ୍ୟାମ୍ପ ପରିସରରେ ବିଭିନ୍ନ ସରକାରୀ ବିଭାଗ ପକ୍ଷରୁ ସଚେତନତାମୂଳକ ପ୍ରଦର୍ଶନୀ ଓ ସେବା ଷ୍ଟଲ୍ ଖୋଲାଯାଇଥିଲା। ଏଠାରେ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ସୂଚନା ଦେବା ସହ ଯୋଗ୍ୟ ହିତାଧିକାରୀଙ୍କୁ ସେବା ଯୋଗାଇ ଦିଆଯାଇଥିଲା। ଏହାସହ ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍ଏଚଜି)ର ମହିଳାମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। କ୍ୟାମ୍ପରେ ଅଞ୍ଚଳବାସୀ ନିଜର ବିଭିନ୍ନ ସମସ୍ୟା ଓ ଅଭିଯୋଗ ଜଣାଇଥିବା ବେଳେ ସେଗୁଡ଼ିକର ସମାଧାନ ଦିଗରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଥିଲା। ସରକାରୀ ସେବା ଓ ଯୋଜନା ଲୋକଙ୍କ ଦ୍ଵାରଦେଶରେ ପହଞ୍ଚାଇବାର ଏଭଳି ପ୍ରୟାସକୁ ସ୍ଥାନୀୟ ଲୋକେ ସ୍ୱାଗତ କରିଥିବା ବେଳେ କ୍ୟାମ୍ପକୁ ନେଇ ଜନସାଧାରଣଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ