ଭୁବନେଶ୍ୱରରେ ୫ ହଜାର ଟଙ୍କା ଲାଞ୍ଚ ନେଇ ରାଜସ୍ୱ ନିରୀକ୍ଷକ ଗିରଫ
ଭୁବନେଶ୍ୱର, 05 ଅକ୍ଟୋବର (ହି.ସ.) ଭୁବନେଶ୍ୱର ୟୁନିଟ୍-୬ସ୍ଥିତ କେଶରୀ ନଗର ଆର୍ଆଇ ସର୍କଲ୍ର ରାଜସ୍ୱ ନିରୀକ୍ଷକ (ଆର୍ଆଇ) ନିରଞ୍ଜନ ସିଂହଙ୍କୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ସୋମବାର ଧରିଛି। ଆଇନଗତ ଉତ୍ତରାଧିକାରୀ ପ୍ରମାଣପତ୍ର ପ୍ରଦାନ ପାଇଁ ତଦନ୍ତ ରିପୋର୍ଟ ପ୍ରସ୍ତୁତ
ନିରଞ୍ଜନ ସିଂହ


ଭୁବନେଶ୍ୱର, 05 ଅକ୍ଟୋବର (ହି.ସ.) ଭୁବନେଶ୍ୱର ୟୁନିଟ୍-୬ସ୍ଥିତ କେଶରୀ ନଗର ଆର୍ଆଇ ସର୍କଲ୍ର ରାଜସ୍ୱ ନିରୀକ୍ଷକ (ଆର୍ଆଇ) ନିରଞ୍ଜନ ସିଂହଙ୍କୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ସୋମବାର ଧରିଛି। ଆଇନଗତ ଉତ୍ତରାଧିକାରୀ ପ୍ରମାଣପତ୍ର ପ୍ରଦାନ ପାଇଁ ତଦନ୍ତ ରିପୋର୍ଟ ପ୍ରସ୍ତୁତ କରି ସମ୍ପୃକ୍ତ ଅଧିକାରୀଙ୍କ ନିକଟକୁ ପଠାଇବା ପାଇଁ ସେ ଅଭିଯୋଗକାରୀଙ୍କଠାରୁ ଏହି ଟଙ୍କା ଦାବି କରିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

ଭିଜିଲାନ୍ସ ସୂଚନା ଅନୁଯାୟୀ, ଅଭିଯୋଗକାରୀ ତାଙ୍କ ମା’ ଓ ସାନଭାଇଙ୍କ ମୃତ୍ୟୁ ପରେ ଆଇନଗତ ଉତ୍ତରାଧିକାରୀ ପ୍ରମାଣପତ୍ର ପାଇଁ ୯ ସେପ୍ଟେମ୍ବର ୨୦୨୬ରେ ଅନ୍ଲାଇନ୍ ଆବେଦନ କରିଥିଲେ। ଏଥିପାଇଁ ଆବଶ୍ୟକ ସମସ୍ତ ଦସ୍ତାବିଜ ମଧ୍ୟ ସେ ଦାଖଲ କରିଥିଲେ।

ଆବେଦନ କରିବା ପରେ ଅଭିଯୋଗକାରୀ ସମ୍ପୃକ୍ତ ଆର୍ଆଇଙ୍କୁ ୩ରୁ ୪ ଥର ଭେଟି ତଦନ୍ତ ରିପୋର୍ଟକୁ ସକ୍ଷମ ଅଧିକାରୀଙ୍କ ନିକଟକୁ ପଠାଇବା ପାଇଁ ଅନୁରୋଧ କରିଥିଲେ। ତେବେ ଆର୍ଆଇ ଜଣକ ପ୍ରକ୍ରିୟାରେ ବିଳମ୍ବ କରିବା ସହ ଅନ୍ଲାଇନ୍ ଆବେଦନକୁ ସମ୍ପୃକ୍ତ ଅଧିକାରୀଙ୍କ ନିକଟକୁ ପଠାଇବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଥିଲା।

ଏଥିରେ ଅସନ୍ତୁଷ୍ଟ ହୋଇ ଅଭିଯୋଗକାରୀ ଓଡ଼ିଶା ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗର ଯାଞ୍ଚ ପରେ ଭିଜିଲାନ୍ସ ଟିମ୍ ସୋମବାର ଜାଲ ବିଛାଇଥିଲା। ଅଭିଯୋଗକାରୀଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ନିରଞ୍ଜନ ସିଂହଙ୍କୁ ଭିଜିଲାନ୍ସ ଟିମ୍ ଧରିଥିଲା।

ଟ୍ରାପ୍ ପରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଦିଗରୁ ମଧ୍ୟ ଭିଜିଲାନ୍ସ ପକ୍ଷରୁ ନିରଞ୍ଜନ ସିଂହଙ୍କ ସହ ସମ୍ପର୍କିତ ଦୁଇଟି ସ୍ଥାନରେ ତଲାସୀ ଜାରି ରହିଛି।

ଏହି ଘଟଣାରେ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ମାମଲା ରୁଜୁ ହୋଇଛି। ଦୁର୍ନୀତି ନିବାରଣ ଆଇନ, ୧୯୮୮ର ଧାରା ୭ ଅନୁଯାୟୀ ଅଭିଯୁକ୍ତ ଆର୍ଆଇଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande