
ମାଲକାନଗିରି, ୫ ଅକ୍ଟୋବର (ହି.ସ.)- ଜିରୋ ଫାଟାଲିଟି ସପ୍ତାହ ଅବସରରେ ଏମଭି ୭୯ ଥାନା ଓ ଏମଭି ୭୯ ଡାକ୍ତର ଶ୍ୟାମା ପ୍ରସାଦ ଜୁନିଅର କଲେଜ ପରିସରରେ ରୋଡ୍ ସେଫ୍ଟି ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଆଜି ଆୟୋଜିତ ହୋଇଛି।
ଏହି କାର୍ଯ୍ୟକ୍ରମରେ ମାଲକାନଗିରି ଆଞ୍ଚଳିକ ପରିବହନ ଅଧିକାରୀ ସାଇକ ୟୁନୁସ, ଏମଭି ୭୯ ପୋଲିସ, ଡାକ୍ତର ଶ୍ୟାମା ପ୍ରସାଦ ଜୁନିଅର କଲେଜ ପ୍ରିନସିପାଲ ପ୍ରଦୀପ୍ତ କୁମାର ମିଶ୍ର ଏବଂ କଲେଜ ଅଧ୍ୟାପକ ଅଧ୍ୟାପିକା, ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ଯୋଗଦେଇଥିଲେ।
ଏମଭି ୭୯ ଥାନା ଅଧିକାରିଣୀ ପୂର୍ଣ୍ଣିମା ଟେଟେ, ଏସ ଆଇ ଶ୍ରୀଚନ୍ଦନ ବେହେରା ହେଲମେଟ୍ ବ୍ୟବହାର, ସୁରକ୍ଷିତ ଭାବେ ଗାଡ଼ି ଚାଳନା, ଟ୍ରାଫିକ୍ ନିୟମ ପାଳନ ଏବଂ ଦୁର୍ଘଟଣାରୁ ନିଜକୁ ସୁରକ୍ଷିତ ରଖିବା ନେଇ ସମସ୍ତଙ୍କୁ ସଚେତନ କରିଥିଲେ।
ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ସଡ଼କ ସୁରକ୍ଷା ଓ ଟ୍ରାଫିକ୍ ନିୟମ ସମ୍ପର୍କରେ ବିସ୍ତୃତ ଭାବେ ସଚେତନ କରାଯାଇଥିଲା। ଦୁଇଚକିଆ ଯାନ ଚଳାଇବା ସମୟରେ ଅନିବାର୍ଯ୍ୟ ଭାବେ ହେଲମେଟ୍ ପିନ୍ଧିବା ଏବଂ ଚାରିଚକିଆ ଯାନରେ ଯାତ୍ରା କରିବା ବେଳେ ସିଟ୍ ବେଲ୍ଟ ବ୍ୟବହାର କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଏହାପରେ ମହାବିଦ୍ୟାଳୟ ପରିସରରୁ ଏକ ସଡ଼କ ସୁରକ୍ଷା ସଚେତନତା ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ଶୋଭାଯାତ୍ରାରେ ଛାତ୍ରଛାତ୍ରୀମାନେ ବିଭିନ୍ନ ସଚେତନତାମୂଳକ ବାର୍ତ୍ତା ଦେଇ ଗାଡ଼ି ଚାଳକ ଓ ସାଧାରଣ ଲୋକଙ୍କୁ ଟ୍ରାଫିକ୍ ନିୟମ ପାଳନ ପାଇଁ ଆହ୍ୱାନ କରିଥିଲେ। ଛାତ୍ରଛାତ୍ରୀମାନେ “ଗତି ସୀମା ମାନନ୍ତୁ”, “ଗାଡ଼ି ଚଳାଇବା ସମୟରେ ମୋବାଇଲ୍ ବ୍ୟବହାର କରନ୍ତୁ ନାହିଁ”, “ମଦ୍ୟପାନ କରି ଗାଡ଼ି ଚଳାନ୍ତୁ ନାହିଁ”, “ବାମ ପାର୍ଶ୍ୱରେ ଚାଳନା କରନ୍ତୁ”, “ଟ୍ରାଫିକ୍ ନିୟମ ମାନନ୍ତୁ”, “ପଥଚାରୀଙ୍କୁ ସୁରକ୍ଷା ଦିଅନ୍ତୁ”, “ହେଲମେଟ୍ ଓ ସିଟ୍ ବେଲ୍ଟ ବ୍ୟବହାର କରନ୍ତୁ” ଭଳି ବିଭିନ୍ନ ସଚେତନତାମୂଳକ ବାର୍ତ୍ତା ଦେଇଥିଲେ। ସଡ଼କ ଦୁର୍ଘଟଣା ହ୍ରାସ କରିବା ସହ ପ୍ରତ୍ୟେକ ନାଗରିକଙ୍କ ଜୀବନ ସୁରକ୍ଷା ପାଇଁ ଟ୍ରାଫିକ୍ ନିୟମର କଡ଼ାକଡ଼ି ପାଳନ ଆବଶ୍ୟକ ବୋଲି ଏହି ଅଭିଯାନ ମାଧ୍ୟମରେ ବାର୍ତ୍ତା ଦିଆଯାଇଥିଲା। ଛାତ୍ରଛାତ୍ରୀଙ୍କ ଏଭଳି ସଚେତନତାମୂଳକ ପଦକ୍ଷେପକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ