
ଝାରସୁଗୁଡ଼ା, ୫ ଅକ୍ଟୋବର (ହି.ସ.) ପଶ୍ଚିମ ଓଡ଼ିଶାରେ ବେଦାନ୍ତ ଗ୍ରୁପ୍ ପକ୍ଷରୁ ପ୍ରସ୍ତାବିତ ୧,୦୦୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ହସ୍ପିଟାଲ ଝାରସୁଗୁଡ଼ା ଜିଲ୍ଲାରେ ସ୍ଥାପନ କରିବାକୁ ଦାବି ହୋଇଛି। ଏ ନେଇ ଆଞ୍ଚଳିକ ବିକାଶ ପରିଷଦ (ଲଇକେରା, କୋଲାବିରା ଓ କିରମିରା) ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ସୂଚନାନୁସାରେ, ପଶ୍ଚିମ ଓଡ଼ିଶାରେ ୧,୦୦୦ ଶଯ୍ୟା ବିଶିଷ୍ଟ ଏକ ବୃହତ୍ ହସ୍ପିଟାଲ ସ୍ଥାପନ ପାଇଁ ବେଦାନ୍ତ ଗ୍ରୁପ୍ ପକ୍ଷରୁ ପ୍ରସ୍ତାବ ରହିଛି। ଗତ ୨୬ ସେପ୍ଟେମ୍ବରରେ ବେଦାନ୍ତ ଗ୍ରୁପ୍ର ଅଧ୍ୟକ୍ଷ ଅନିଲ ଅଗ୍ରୱାଲ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହି ପ୍ରସ୍ତାବ ସମ୍ପର୍କରେ ଆଲୋଚନା କରିବା ସହ ହସ୍ପିଟାଲ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କଠାରୁ ଜମି ଆବଣ୍ଟନ ନେଇ ଅନୁରୋଧ କରିଥିବା ଜଣାପଡ଼ିଛି।
ଏହି ପରିପ୍ରେକ୍ଷୀରେ ହସ୍ପିଟାଲ ପାଇଁ ଝାରସୁଗୁଡ଼ା ଜିଲ୍ଲାକୁ ଚୟନ କରିବାକୁ ପରିଷଦ ପକ୍ଷରୁ ଦାବି କରାଯାଇଛି। ଝାରସୁଗୁଡ଼ା ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ଶିଳ୍ପାଞ୍ଚଳ ହେବା ସହ ରେଳ, ସଡ଼କ ଓ ବିମାନ ଯୋଗାଯୋଗ ଦୃଷ୍ଟିରୁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ। ଏହାଛଡ଼ା ବେଦାନ୍ତ ଗ୍ରୁପ୍ର ଶିଳ୍ପ ପ୍ରତିଷ୍ଠାନ ମଧ୍ୟ ଦୀର୍ଘଦିନ ଧରି ଏଠାରେ ରହିଛି। ତେଣୁ ଏଠାରେ ଏଭଳି ଏକ ବୃହତ୍ ହସ୍ପିଟାଲ ସ୍ଥାପନ କରାଗଲେ ଏହା ଝାରସୁଗୁଡ଼ା ସମେତ ସମଗ୍ର ପଶ୍ଚିମ ଓଡ଼ିଶା ପାଇଁ ଉନ୍ନତ ଓ ବିଶେଷଜ୍ଞ ଚିକିତ୍ସାସେବାର ଏକ ପ୍ରମୁଖ କେନ୍ଦ୍ର ଭାବେ ଗଢ଼ିଉଠିପାରିବ ବୋଲି ପରିଷଦ ଦର୍ଶାଇଛି।
ବର୍ତ୍ତମାନ ଜଟିଳ ଓ ବିଶେଷଜ୍ଞ ଚିକିତ୍ସା ପାଇଁ ପଶ୍ଚିମ ଓଡ଼ିଶାର ଅନେକ ରୋଗୀଙ୍କୁ ଭୁବନେଶ୍ୱର, କଟକ ସମେତ ଅନ୍ୟ ରାଜ୍ୟର ବିଭିନ୍ନ ସହରକୁ ଯିବାକୁ ପଡ଼ୁଛି। ଝାରସୁଗୁଡ଼ାରେ ୧,୦୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ସ୍ଥାପନ ହେଲେ ଏହି ଅଞ୍ଚଳର ରୋଗୀ ଓ ସେମାନଙ୍କ ପରିବାରକୁ ଦୂର ସହର ଉପରେ ନିର୍ଭର କରିବାକୁ ବହୁ ପରିମାଣରେ ହ୍ରାସ ପାଇବ।
ଏହା ସହିତ ହସ୍ପିଟାଲ ନିର୍ମାଣ ହେଲେ ଅଞ୍ଚଳରେ ଡାକ୍ତର, ନର୍ସ, ପାରାମେଡିକାଲ କର୍ମଚାରୀଙ୍କ ସମେତ ବିଭିନ୍ନ କ୍ଷେତ୍ରରେ ପ୍ରତ୍ୟକ୍ଷ ଓ ପରୋକ୍ଷ ରୋଜଗାର ସୁଯୋଗ ସୃଷ୍ଟି ହେବ। ଏହା ଝାରସୁଗୁଡ଼ାର ସାମାଜିକ ଓ ଆର୍ଥିକ ବିକାଶକୁ ମଧ୍ୟ ତ୍ୱରାନ୍ୱିତ କରିବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି।
ତେଣୁ ଝାରସୁଗୁଡ଼ା ଜିଲ୍ଲାରେ ହସ୍ପିଟାଲ ପାଇଁ ଉପଯୁକ୍ତ ଜମି ଚିହ୍ନଟ କରି ବେଦାନ୍ତ ଗ୍ରୁପ୍କୁ ଆବଣ୍ଟନ କରିବା ସହ ପ୍ରସ୍ତାବିତ ୧,୦୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲକୁ ଝାରସୁଗୁଡ଼ାରେ ସ୍ଥାପନ କରିବା ନେଇ ରାଜ୍ୟ ସରକାର ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଆଞ୍ଚଳିକ ବିକାଶ ପରିଷଦ ଦାବି କରିଛି।
ପଶ୍ଚିମ ଓଡ଼ିଶାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏହି ପ୍ରକଳ୍ପ ଏକ ଐତିହାସିକ ପଦକ୍ଷେପ ହେବା ସହ ଲକ୍ଷ ଲକ୍ଷ ଲୋକଙ୍କୁ ଉନ୍ନତ ଚିକିତ୍ସାସେବା ଯୋଗାଇବାରେ ସହାୟକ ହେବ ବୋଲି ପରିଷଦ ଆଶା ପ୍ରକାଶ କରିଛି।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ