
ଓଡ଼ିଶାର ବରପୁତ୍ର ଓ
ଶହୀଦମାନଙ୍କୁ ସମ୍ମାନ ପ୍ରଦର୍ଶନ କରିବା ପାଇଁ ଆମ ସରକାର ପ୍ରତିବଦ୍ଧ- ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱରr, 05 ଅକ୍ଟୋବର (ହି.ସ.)- ଦେଶର କନିଷ୍ଠତମ
ଶହୀଦ, ମାତୃଭୂମିର
ଅମର ସନ୍ତାନ ବାଜି ରାଉତଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ ଓଡ଼ିଶା ବିଧାନସଭାଠାରେ ତାଙ୍କ
ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ
କହିଛନ୍ତି ଯେ, ମାତ୍ର ୧୨ ବର୍ଷ ବୟସରେ ବ୍ରିଟିଶ ଶାସକଙ୍କ ଅତ୍ୟାଚାର ଓ ଗୁଳି ଆଗରେ ନଡରି
ମାତୃଭୂମିର ସ୍ୱାଧୀନତା ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ଏହି ବୀର ସନ୍ତାନଙ୍କ ଅଦମ୍ୟ ସାହସ, ନିର୍ଭୀକତା
ଓ ଦେଶପ୍ରେମ ଆମ ସମସ୍ତଙ୍କ ପାଇଁ ଚିର ପ୍ରେରଣାର ଉତ୍ସ। ତାଙ୍କର ଅମର ବଳିଦାନ ଆଗାମୀ ପିଢ଼ିକୁ
ସର୍ବଦା ଦେଶସେବା ପାଇଁ ଉତ୍ସାହିତ କରୁଥିବ।
ମୁଖ୍ୟମନ୍ତ୍ରୀ କହିଛନ୍ତି
ଯେ, ସ୍ୱାଧୀନତା ଆନ୍ଦୋଳନ ସମୟରେ ଯେତେବେଳେ ଅନେକ ଦେଶପ୍ରେମୀ ଆତ୍ମବଳିଦାନ ଦେଉଥିଲେ, ସେତେବେଳେ
ମାତ୍ର ବାର ବର୍ଷ ବୟସରେ ବାଜି ରାଉତ ବ୍ରିଟିଶ ଶାସନ କବଳରୁ ଦେଶ ଓ ମାଟିର ସୁରକ୍ଷା ପାଇଁ
ବ୍ରିଟିଶ ସୈନ୍ୟଙ୍କୁ ସାହସିକତାର ସହ ମୁକାବିଲା କରି ନିଜ ଜୀବନକୁ ବଳିଦାନ ଦେଇଥିଲେ। ବାଜି
ରାଉତଙ୍କ ଆତ୍ମବଳିଦାନ ସମଗ୍ର ଦେଶକୁ ମାତୃଭୂମିର ସେବା ଓ ସ୍ୱାଧୀନତା ପାଇଁ ସଂଗ୍ରାମ କରିବାର
ପ୍ରେରଣା ଦେଇଛି। ତାଙ୍କର ସାହସିକତାପୂର୍ଣ୍ଣ ଜୀବନ ଆଜିର ଯୁବପିଢ଼ି ଓ ଛାତ୍ରଛାତ୍ରୀଙ୍କ ପାଇଁ
ସର୍ବଦା ଏକ ମହାନ ପ୍ରେରଣା ହୋଇ ରହିବ।
ମୁଖ୍ୟମନ୍ତ୍ରୀ କହିଛନ୍ତି
ଯେ, ଆମ ସରକାର ଆସିବା ପରେ ରାଜ୍ୟର ବରପୁତ୍ର ଓ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସମ୍ମାନ
ପ୍ରଦର୍ଶନ କରିବାରେ ଏକ ନୂଆ ଧାରା ଆରମ୍ଭ କରିଛନ୍ତି। ଗତବର୍ଷ ବାଜି ରାଉତଙ୍କ ଜନ୍ମସ୍ଥାନ
ନୀଳକଣ୍ଠପୁର ଗ୍ରାମରେ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଆୟୋଜନ ସହ ତାଙ୍କ ଗ୍ରାମକୁ
ଆଦର୍ଶ ଗ୍ରାମ ଭାବେ ଘୋଷଣା କରାଯାଇଛି। ଏଥିସହ ବାଜି ରାଉତଙ୍କ ସ୍ମୃତିରେ ଢେଙ୍କାନାଳ ର ନୀଳକଣ୍ଠପୁରଠାରେ ୧୨୦ କୋଟି ଟଙ୍କା ବ୍ୟୟରେ ବାଜି
ରାଉତ ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ କରାଯାଉଛି।ଓଡ଼ିଶାର ବରପୁତ୍ର ଓ ଶହୀଦମାନଙ୍କୁ ସମ୍ମାନ
ପ୍ରଦର୍ଶନ କରିବା ପାଇଁ ଆମ ସରକାର ପ୍ରତିବଦ୍ଧ। ମହାନ ଦେଶଭକ୍ତମାନଙ୍କ ସ୍ମୃତିଚାରଣ କରି
ସେମାନଙ୍କ ଅବଦାନକୁ ସ୍ମରଣ କରିବା ଏବଂ ଆଗାମୀ ପିଢ଼ିକୁ ସେମାନଙ୍କ ତ୍ୟାଗ ଓ ବଳିଦାନ ବିଷୟରେ
ଅବଗତ କରାଇବା ପାଇଁ ଆମ ସରକାର ସର୍ବଦା ବିଭିନ୍ନ ପଦକ୍ଷେପ ନେଇଆସୁଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା