
ଅକ୍ଟୋବର ୧୦ରେ ସମ୍ବଲପୁରରେ ଜିଲ୍ଲାବ୍ୟାପୀ ‘ସ୍ୱଚ୍ଛତା ଅଭିଯାନ’ରେ ସାମିଲ ହେବା
ସମ୍ବଲପୁରକୁ ସ୍ୱଚ୍ଛ, ସୁନ୍ଦର, ଆବର୍ଜନାମୁକ୍ତ ଏବଂ ସୁସ୍ଥ ରଖିବା ଆମ ସମସ୍ତଙ୍କର କର୍ତ୍ତବ୍ୟ
ସମ୍ବଲପୁରର ପ୍ରତ୍ୟେକ ନାଗରିକ, ଯୁବବର୍ଗ, ମା' ଓ ଭଉଣୀ, ଜନପ୍ରତିନିଧି ଏବଂ ବିଭିନ୍ନ ଅନୁଷ୍ଠାନର ସଦସ୍ୟମାନଙ୍କୁ ଏହି ଅଭିଯାନରେ ଯୋଗଦେବାକୁ ନିବେଦନ
ପୂଜ୍ୟ ବାବୁ,ସଫେଇ କାର୍ଯ୍ୟରେ ସାମିଲ ହୋଇ ଦେଶକୁ ସ୍ୱଚ୍ଛତାର ଆଦର୍ଶ ଶିଖାଇଥିଲେ
ଭୁବନେଶ୍ୱର, ଅକ୍ଟୋବର ୬(ହି.ସ) - ଆମ ଓଡ଼ିଆ ସଂସ୍କୃତି ଓ ପରମ୍ପରାରେ ସ୍ୱଚ୍ଛତା ଓ ପବିତ୍ରତାକୁ ସବୁବେଳେ ପ୍ରଥମ ସ୍ଥାନ ଦିଆଯାଇଛି। ସ୍ୱଚ୍ଛତା କେବଳ ଘରର ଚାରିକାନ୍ଥ ଭିତରେ ସୀମିତ ନୁହେଁ, ଏହା ଆମ ଜୀବନଶୈଳୀ, ଆମର ସଂସ୍କାର ଏବଂ ଆମର ଚରିତ୍ର। ‘ସେବା ସଂକଳ୍ପ ଅଭିଯାନ’ ଅଧୀନରେ ଆସନ୍ତା ଅକ୍ଟୋବର ୧୦ ତାରିଖ ସକାଳେ ସାରା ସମ୍ବଲପୁର ଜିଲ୍ଲାରେ ଆୟୋଜିତ ହେବାକୁ ଯାଉଥିବା ବ୍ୟାପକ ସ୍ୱଚ୍ଛତା ଅଭିଯାନରେ ଜିଲ୍ଲାର ପ୍ରତ୍ୟେକ ନାଗରିକ ସାମିଲ ହେବା ପାଇଁ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ନିବେଦନ କରିଛନ୍ତି ।
ସମ୍ବଲପୁରବାସୀଙ୍କୁ ସମ୍ବୋଧିତ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ, ଆମର ‘ଲକ୍ଷ୍ମୀ ପୁରାଣ’ରେ ସ୍ପଷ୍ଟ କୁହାଯାଇଛି ଯେଉଁଠି ସ୍ୱଚ୍ଛତା ଥାଏ, ସେହିଠାରେ ହିଁ ମା’ ଲକ୍ଷ୍ମୀ ବାସ କରନ୍ତି। ଆମର ପ୍ରତ୍ୟେକ ପର୍ବପର୍ବାଣୀରେ ଆମେ ପ୍ରଥମେ ନିଜ ଘର ଓ ଆଖପାଖକୁ ସଫା-ସୁତୁରା କରିଥାଉ, କାରଣ ସ୍ୱଚ୍ଛତା ଓ ପବିତ୍ରତା ନଥିଲେ କୌଣସି ପୂଜା ବା ଆରାଧନା ଅସମ୍ପୂର୍ଣ୍ଣ ରହିଯାଏ । ଏହା କେବଳ ଏକ ସାଧାରଣ କାମ ନୁହେଁ, ବରଂ ଆମ ପୂର୍ବପୁରୁଷମାନଙ୍କ ଦ୍ୱାରା ଦିଆଯାଇଥିବା ଏକ ଆଧ୍ୟାତ୍ମିକ ଓ ସାମାଜିକ ଦାୟିତ୍ୱ।
ସେହିପରି, ପୂଜ୍ୟ ବାପୁ (ମହାତ୍ମା ଗାନ୍ଧୀ) ସ୍ୱଚ୍ଛତାକୁ କେବଳ ବ୍ୟକ୍ତିଗତ ଅଭ୍ୟାସ ନୁହେଁ, ବରଂ ସୁସ୍ଥ ସମାଜ ଓ ଉତ୍ତମ ଜୀବନର ମୂଳ ଆଧାର ଭାବେ ଦେଖୁଥିଲେ ଏବଂ ନିଜେ ସଫେଇ କାର୍ଯ୍ୟରେ ସାମିଲ ହୋଇ ସାରା ଦେଶକୁ ସ୍ୱଚ୍ଛତାର ଆଦର୍ଶ ଶିଖାଇଥିଲେ। ଦେଶର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ସବୁବେଳେ କହିଛନ୍ତି - ସ୍ୱଚ୍ଛତା ହିଁ ସେବା। ଯେତେବେଳେ ଆମେ ନିଜ ପରିବେଶକୁ ସ୍ୱଚ୍ଛ ରଖୁ, ସେତେବେଳେ ଆମେ ସମାଜର, ଦେଶର ଏବଂ ଆମ ଭବିଷ୍ୟତ ପିଢ଼ିର ସେବା କରୁ।
ଶ୍ରୀ ପ୍ରଧାନ ଦୋହରାଇଛନ୍ତି ଯେ, ସମ୍ବଲପୁର ହେଉଛି ମା’ ସମଲେଶ୍ୱରୀଙ୍କ ପବିତ୍ର କ୍ଷେତ୍ର, ବୀର ସୁରେନ୍ଦ୍ର ସାଏଙ୍କ ମାଟି ଏବଂ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ସାଧନା ପୀଠ। ଏହା ଆମ ସାହିତ୍ୟ, ସଂସ୍କୃତି, କଳା ଏବଂ ସଂସ୍କାରର ପ୍ରାଣକେନ୍ଦ୍ର। ଏହି ପବିତ୍ର ମାଟିକୁ ସ୍ୱଚ୍ଛ, ସୁନ୍ଦର, ଆବର୍ଜନାମୁକ୍ତ ଏବଂ ସୁସ୍ଥ ରଖିବା ଆମ ସମସ୍ତଙ୍କର ପରମ କର୍ତ୍ତବ୍ୟ।
ଏହି ଆଧ୍ୟାତ୍ମିକ ଓ ସାମାଜିକ ଚିନ୍ତାଧାରାକୁ ଆଗେଇ ନେବା ପାଇଁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି ଯେ, ସମ୍ବଲପୁରର ପ୍ରତ୍ୟେକ ନାଗରିକ, ଯୁବ ସାଥୀ, ମା’ ଓ ଭଉଣୀ, ଜନପ୍ରତିନିଧି ଏବଂ ବିଭିନ୍ନ ଅନୁଷ୍ଠାନର ସଦସ୍ୟମାନେ ନିଜ ଗାଁ, ପଡ଼ା, ୱାର୍ଡ, ଅଞ୍ଚଳ ଓ ସାଧାରଣ ସ୍ଥାନଗୁଡ଼ିକୁ ସଫା କରିବାରେ ନିଜର ଯୋଗଦାନ ଦିଅନ୍ତୁ। ସମସ୍ତେ ମିଶି ସ୍ୱଚ୍ଛତାକୁ ଏକ ଜନ-ଆନ୍ଦୋଳନରେ ପରିଣତ କରି ସମ୍ବଲପୁରକୁ ଏକ ସ୍ୱଚ୍ଛ, ସୁନ୍ଦର ଓ ସୁସ୍ଥ ଜିଲ୍ଲାରେ ପରିଣତ କରିବାକୁ ସେ ଆହ୍ୱାନ ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା