
ଭୁବନେଶ୍ୱର/ପୁରୀ, 5 ଅକ୍ଟୋବର
(ହି.ସ) ଗ୍ରାମୀଣ ଓ ଜନଜାତି ଅଞ୍ଚଳର ଶିଶୁମାନଙ୍କୁ ଭାରତୀୟ ସଂସ୍କୃତି, ପରମ୍ପରା, ଆଧ୍ୟାତ୍ମିକତା
ଓ ତୀର୍ଥସ୍ଥଳୀ ସହିତ ଯୋଡ଼ିବା ଉଦ୍ଦେଶ୍ୟରେ ଫ୍ରେଣ୍ଡସ୍ ଅଫ୍ ଟ୍ରାଇବାଲ୍ ସୋସାଇଟି (ଏଫଟିଏସ), ଭୁବନେଶ୍ୱର
ଚାପ୍ଟର ପକ୍ଷରୁ ଏକ ଅଭିନବ ପ୍ରୟାସ କରାଯାଇଛି। ୫ମ ଜଗନ୍ନାଥ ଦର୍ଶନ ଯାତ୍ରା–୨୦୨୬ ଅଧୀନରେ ଢେଙ୍କାନାଳ
ଜିଲ୍ଲାର ୭ଟି ଏକଲ ବିଦ୍ୟାଳୟର ପ୍ରାୟ ୫୦ ଜଣ ଶିଶୁଙ୍କୁ ଶ୍ରୀକ୍ଷେତ୍ର ପୁରୀ ନେଇ ମହାପ୍ରଭୁ
ଶ୍ରୀଜଗନ୍ନାଥଙ୍କ ଦିବ୍ୟ ଦର୍ଶନ କରାଯାଇଛି।
ଏହି ଯାତ୍ରା କେବଳ ଏକ
ଧାର୍ମିକ ଯାତ୍ରା ନୁହେଁ; ବରଂ ଗାଁ ଓ ସହର,
ଗ୍ରାମୀଣ ଜୀବନ ଓ ଆମ ସମୃଦ୍ଧ ସାଂସ୍କୃତିକ ପରମ୍ପରା ମଧ୍ୟରେ ଏକ
ଆସ୍ଥା, ସଂସ୍କାର
ଓ ସାମାଜିକ ସଂଯୋଗର ସେତୁ ଗଢ଼ିବାର ଏକ ଅଭିନବ ପ୍ରୟାସ।
ବିଶେଷକରି ଏଭଳି
ଶିଶୁମାନଙ୍କୁ ଯାତ୍ରାରେ ସାମିଲ କରାଯାଏ,
ଯାହାଙ୍କ ପରିବାରର କୌଣସି ସଦସ୍ୟ ଏପର୍ଯ୍ୟନ୍ତ ମହାପ୍ରଭୁ
ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିପାରିନାହାନ୍ତି। ପୁରୀରେ ମହାପ୍ରଭୁଙ୍କ ଦର୍ଶନ ସହିତ ଭୁବନେଶ୍ୱରରେ
ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ର ମଧ୍ୟ ବ୍ୟବସ୍ଥା କରାଯାଇଥିଲା।
ମହାପ୍ରଭୁଙ୍କ ଆଶୀର୍ବାଦ
ଗାଁରୁ ଗାଁକୁ ଏହି ପ୍ରକଳ୍ପର ସବୁଠାରୁ ବିଶେଷ ଦିଗ ହେଉଛି—ଶିଶୁମାନଙ୍କ ଦର୍ଶନ ସହିତ ଯାତ୍ରାର
ସମାପ୍ତି ହୁଏ ନାହିଁ।ପୁରୀରୁ ଫେରିବା ପରେ ପ୍ରତ୍ୟେକ ଗାଁର ଘରେ ଘରେ ମହାପ୍ରସାଦ/ନିର୍ମାଲ୍ୟ
ପହଞ୍ଚାଯାଏ। ଏଥିସହ ପ୍ରତ୍ୟେକ ଗାଁକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧ୍ୱଜା ପ୍ରଦାନ କରାଯାଏ।
ଏକଲ ବିଦ୍ୟାଳୟର ଶିଶୁମାନେ
ଢୋଲ ଓ ବାଦ୍ୟଯନ୍ତ୍ର ସହ ଶୋଭାଯାତ୍ରା କରି ଗାଁର ଏକ ପବିତ୍ର ସ୍ଥାନରେ ବିଧିବଦ୍ଧ ଭାବେ
ମହାପ୍ରଭୁଙ୍କ ଧ୍ୱଜା ସ୍ଥାପନ କରନ୍ତି।ଏହା ମାଧ୍ୟମରେ ଶିଶୁମାନେ ନିଜେ ମହାପ୍ରଭୁଙ୍କ ଆଶୀର୍ବାଦ
ଓ ସନ୍ଦେଶର ବାହକ ହୋଇ ନିଜ ଗାଁକୁ ଫେରନ୍ତି। ଏହି ଅଭିନବ ପ୍ରୟାସ ଗ୍ରାମବାସୀଙ୍କ ମନରେ
ମହାପ୍ରଭୁଙ୍କ ପ୍ରତି ଆସ୍ଥା ଓ ଆଧ୍ୟାତ୍ମିକ ସଂଯୋଗକୁ ଆହୁରି ସୁଦୃଢ଼ କରୁଛି।
ଦର୍ଶନ ସହିତ ସଂସ୍କାର ଓ
ସଂସ୍କୃତିର ଶିକ୍ଷା I
ଏଫଟିଏସର ଏହି ପ୍ରୟାସର
ଲକ୍ଷ୍ୟ କେବଳ ଶିଶୁମାନଙ୍କୁ ତୀର୍ଥ ଦର୍ଶନ କରାଇବା ନୁହେଁ। ଏହା ମାଧ୍ୟମରେ ଶିଶୁମାନଙ୍କୁ
ଭାରତୀୟ ସଂସ୍କୃତି, ପରମ୍ପରା, ମୂଲ୍ୟବୋଧ, ଆସ୍ଥା ଓ ସାମାଜିକ ସମରସତା ସହିତ ପରିଚିତ କରାଇବା ମଧ୍ୟ ଉଦ୍ଦେଶ୍ୟ।
ଦୂରଦୂରାନ୍ତର ଗ୍ରାମୀଣ ଓ
ଜନଜାତି ଅଞ୍ଚଳର ଶିଶୁମାନଙ୍କୁ ପୁରୀ ଓ ଭୁବନେଶ୍ୱର ଭଳି ପ୍ରମୁଖ ଧାର୍ମିକ ଓ ସାଂସ୍କୃତିକ
କେନ୍ଦ୍ର ସହିତ ପରିଚିତ କରାଇବା ଦ୍ୱାରା ସେମାନଙ୍କ ଜ୍ଞାନର ପରିସର ବୃଦ୍ଧି ପାଉଛି। ଏହା
ସେମାନଙ୍କ ମନରେ ନିଜ ମାଟି, ସଂସ୍କୃତି ଓ ଭାରତୀୟ ପରମ୍ପରା ପ୍ରତି ଗର୍ବ ଓ ଆତ୍ମୀୟତା ସୃଷ୍ଟି
କରୁଛି।
ଏହି ଦୃଷ୍ଟିରୁ ୫ମ ଜଗନ୍ନାଥ
ଦର୍ଶନ ଯାତ୍ରା–୨୦୨୬ ଭକ୍ତି, ସଂସ୍କାର, ସଂସ୍କୃତି ଓ ସାମାଜିକ ସମରସତାର ଏକ ସୁନ୍ଦର ସଙ୍ଗମ ଭାବେ ପରିଣତ
ହୋଇଛି।
ଏଫଟିଏସନେତୃତ୍ୱ
ଓ ଏଫଟିଏସଯୁବାର ସକ୍ରିୟ ସହଯୋଗ
ଏହି ପ୍ରକଳ୍ପକୁ ସଫଳ
କରିବାରେ ଏଫଟିଏସପ୍ୟାଟ୍ରନ୍ ଅଜୟ ଅଗ୍ରୱାଲ ଓ ମନସୁଖ ସେଠିଆ, ସଭାପତି
ପ୍ରକାଶ ଭୁରା ଏବଂ ସଚିବ ସୁରେଶ ଅଗ୍ରୱାଲ ଙ୍କ ମହତ୍ତ୍ୱପୂର୍ଣ୍ଣ ସହଯୋଗ ରହିଥିଲା। ଏହି ସମଗ୍ର
କାର୍ଯ୍ୟକ୍ରମର ପରିଚାଳନା ଏଫଟିଏସଯୁବା ପକ୍ଷରୁ କରାଯାଇଥିଲା। ଯାତ୍ରାର ସଂଯୋଜକ ଭାବେ ସୌମ୍ୟ ସାହୁ ଓ
ବିକାଶ ବଥୁଆଲ ଦାୟିତ୍ୱ ତୁଲାଇଥିଲେ। ଏଫଟିଏସଯୁବା ସଭାପତି ଶ୍ରୀରାମ
ଅଗ୍ରୱାଲଙ୍କ ନେତୃତ୍ୱରେ ସମଗ୍ର ଟିମ୍ ଯାତ୍ରାକୁ ସୁଚାରୁ ଓ ସଫଳ କରିବା ପାଇଁ ସକ୍ରିୟ ଭୂମିକା
ନେଇଥିଲେ।ଗ୍ରାମୀଣ ଓ ଜନଜାତି ଶିଶୁମାନଙ୍କୁ ଭାରତୀୟ ସଂସ୍କୃତିର ମୁଖ୍ୟଧାରା ସହ ଯୋଡ଼ିବା ସହିତ
ମହାପ୍ରଭୁଙ୍କ ଆଶୀର୍ବାଦକୁ ଗାଁର ଘରେ ଘରେ ପହଞ୍ଚାଇବାର ଏହି ପ୍ରୟାସ ଏଫଟିଏସ ର ସେବା, ସଂସ୍କାର
ଓ ସାମାଜିକ ଦାୟିତ୍ୱର ଏକ ପ୍ରେରଣାଦାୟକ ଉଦାହରଣ ଭାବେ ପରିଚିତ ହୋଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା