ଲଇକେରାରେ ଆମ ଅଙ୍ଗନବାଡ଼ି, ଆମ ଦାୟିତ୍ୱ କାର୍ଯ୍ୟକ୍ରମରେ ଯୋଗଦେଲେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ
Ama anganbadi at Laikera
ଲଇକେରାରେ ‘ଆମ ଅଙ୍ଗନବାଡ଼ି, ଆମ ଦାୟିତ୍ୱ’


ଝାରସୁଗୁଡ଼ା, ୦୬ ଅକ୍ଟୋବର (ହି.ସ.) - ପୋଷଣ ହେଉଛି ଏକ ସୁସ୍ଥ ଓ ସମୃଦ୍ଧ ସମାଜର ମୂଳଦୁଆ। ମା’ ଓ ଶିଶୁଙ୍କ ଉତମ ସ୍ୱାସ୍ଥ୍ୟ ସୁନିଶ୍ଚିତ କରିବା ସହିତ ପ୍ରତ୍ୟେକ ପରିବାରରେ ପୋଷଣ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଆମ ସମସ୍ତଙ୍କ ଏକାନ୍ତ ଦାୟିତ୍ୱ। ଏହି ଉଦ୍ଦେଶ୍ୟରେ ଆଜି ଲଇକେରା ଠାରେ ୯ତମ ରାଷ୍ଟ୍ରୀୟ ପୋଷଣ ମାସ ଅନ୍ତର୍ଗତ ‘ଆମ ଅଙ୍ଗନବାଡ଼ି, ଆମ ଦାୟିତ୍ୱ’ (ଆଙ୍ଗନ କା ଉତ୍ସବ୍) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାନ୍ୟବର ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ ଉପସ୍ଥିତ ସମସ୍ତଙ୍କୁ ଉଦବୋଧନ ଦେଇଥିଲେ। ଏହି ଅବସରରେ ବିଧାୟକ ଶ୍ରୀ ତ୍ରିପାଠୀ ପ୍ରକାଶ କରିଥିଲେ ଯେ ଏହି ଅଭିଯାନ ମାଧ୍ୟମରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଅଧିକ ସଶକ୍ତ ଓ ସୁଦୃଢ଼ କରାଯିବା ସହ ଗ୍ରାମାଂଚଳ ତଥା ତୃଣମୂଳ ସ୍ତରରେ ପୋଷଣ ଓ ସ୍ୱାସ୍ଥ୍ୟ ସେବାକୁ ଲୋକଙ୍କ ନିକଟତର କରିବା ଦିଗରେ ନିରନ୍ତର ପ୍ରୟାସ ଜାରି ରହିବ। ଶିଶୁ ଓ ମହିଳାମାନଙ୍କ ସ୍ୱାସ୍ଥ୍ୟର ଉନ୍ନତି ବିନା ଏକ ଉନ୍ନତ ସମାଜ ଗଠନ ଅସମ୍ଭବ ବୋଲି ସେ ମତବ୍ୟକ୍ତ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୁଷ୍ପଲତା ନାଏକ, ଲଇକେରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜର୍ଜ ଡୁଙ୍ଗ ଡୁଙ୍ଗ, ସମିତି ସଭ୍ୟ ରାମୁ ରଞ୍ଜନ ମିଶ୍ର, କାର୍ତିକ ବେହେରା ଏବଂ ସ୍ଥାନୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଏଥିସହ ସ୍ଥାନୀୟ ଅଂଚଳର ବହୁ ସଂଖ୍ୟାରେ ଅଙ୍ଗନବାଡ଼ି କର୍ମୀ ଓ ଆଶା କର୍ମୀମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। କ୍ଷେତ୍ରସ୍ତରରେ ନିରନ୍ତର ସେବା ଯୋଗାଇ ଆସୁଥିବା ଏହି କର୍ମୀମାନଙ୍କ ନିଷ୍ଠାପର କାର୍ଯ୍ୟକୁ ଉପସ୍ଥିତ ଅତିଥିମାନେ ଉଚ୍ଚ ପ୍ରଶଂସା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande