ବେଡ୍ ଅଭାବରେ ଚଟାଣରେ ପ୍ରସୂତୀ ମାଆ ଓ ଶିଶୁ
ନୂଆପଡ଼ା,୬ ଅକ୍ଟୋବର (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟର ସ୍ୱାସ୍ଥ୍ୟ ବ୍ୟବସ୍ଥାର ବାସ୍ତବ ଚିତ୍ର ଏବେ ସାମ୍ନାକୁ ଆସିଛି। ହସ୍ପିଟାଲରେ ଜଣେ ପ୍ରସୂତୀ ମାଆ ନିଜ ଶିଶୁକୁ ଜନ୍ମ ଦେବା ପରେ ମଧ୍ୟ ଗୋଟିଏ ବେଡ୍ ନ ପାଇବାରୁ ନବଜାତ ଶିଶୁକୁ କୋଳରେ ଧରି ଚଟାଣରେ ଶୋଇବାକୁ ବାଧ୍ୟ ହୋଇଥି
Bed abhab chatana re maa


ନୂଆପଡ଼ା,୬ ଅକ୍ଟୋବର (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟର ସ୍ୱାସ୍ଥ୍ୟ ବ୍ୟବସ୍ଥାର ବାସ୍ତବ ଚିତ୍ର ଏବେ ସାମ୍ନାକୁ ଆସିଛି। ହସ୍ପିଟାଲରେ ଜଣେ ପ୍ରସୂତୀ ମାଆ ନିଜ ଶିଶୁକୁ ଜନ୍ମ ଦେବା ପରେ ମଧ୍ୟ ଗୋଟିଏ ବେଡ୍ ନ ପାଇବାରୁ ନବଜାତ ଶିଶୁକୁ କୋଳରେ ଧରି ଚଟାଣରେ ଶୋଇବାକୁ ବାଧ୍ୟ ହୋଇଥିବା ଚିତ୍ର ସାମ୍ନାକୁ ଆସିଛି। ଏହି ଦୃଶ୍ୟ ଖଡ଼ିଆଳର ସ୍ୱାସ୍ଥ୍ୟସେବାର ଭିତ୍ତିଭୂମି ଓ ବ୍ୟବସ୍ଥାପନାକୁ ନେଇ ଅନେକ ପ୍ରଶ୍ନ ଉଠାଇଛି। ପ୍ରସବ ପରେ ଜଣେ ମାଆଙ୍କୁ ଯେଉଁଠି ଆରାମ, ଯତ୍ନ ଓ ସୁରକ୍ଷିତ ପରିବେଶ ମିଳିବା କଥା, ସେଠାରେ ତାଙ୍କୁ ଚଟାଣରେ ଶିଶୁକୁ ଧରି ଶୋଇବାକୁ ପଡ଼ିବା ଘଟଣା ସାଧାରଣ ଲୋକଙ୍କୁ ମଧ୍ୟ ଚିନ୍ତିତ କରିଛି। ଏହା କେବଳ ଜଣେ ମାଆଙ୍କ ସମସ୍ୟା ନୁହେଁ, ବରଂ ହସ୍ପିଟାଲରେ ଆବଶ୍ୟକ ବେଡ୍ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଅଭାବକୁ ଏହି ଘଟଣା ପଦାକୁ ଆଣିଛି। ଖଡ଼ିଆଳ ଅଞ୍ଚଳର ବିକାଶ ନେଇ ବିଭିନ୍ନ ସମୟରେ ବଡ଼ ବଡ଼ ଦାବି କରାଯାଉଥିବା ବେଳେ ଜଣେ ପ୍ରସୂତୀ ମାଆଙ୍କୁ ପ୍ରସବ ପରେ ଗୋଟିଏ ବେଡ୍ ନ ମିଳିବା ଘଟଣା ବିକାଶର ବାସ୍ତବ ଚିତ୍ର ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି। ଏହା ସହିତ ଖଡ଼ିଆଳ, ବୋଡ଼େନ ଓ ସିନାପାଲି ଅଞ୍ଚଳର ସରକାରୀ ହସ୍ପିଟାଲଗୁଡ଼ିକରେ ଡାକ୍ତର ଓ ଆବଶ୍ୟକ ଚିକିତ୍ସା ସେବାର ଅଭାବ ନେଇ ମଧ୍ୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ରହିଛି। ସ୍ଥାନୀୟ ଜନ ପ୍ରତିନିଧି ଓ ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ୱରେ ଥିବା ମନ୍ତ୍ରୀଙ୍କ ନିକଟରେ ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି—ଏଭଳି ପରିସ୍ଥିତି ପାଇଁ ଦାୟିତ୍ୱ କାହାର? ଜବାବଦେହୀ କିଏ? ଲୋକଙ୍କ ଭରସା ଓ ଭୋଟରେ ନିର୍ବାଚିତ ଜନପ୍ରତିନିଧିମାନେ ଅଞ୍ଚଳର ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ କେତେଦୂର ପଦକ୍ଷେପ ନେଇଛନ୍ତି, ତାହା ନେଇ ମଧ୍ୟ ପ୍ରଶ୍ନ ଉଠିଛି। ସ୍ୱାସ୍ଥ୍ୟସେବା ପ୍ରତ୍ୟେକ ନାଗରିକଙ୍କ ମୌଳିକ ଆବଶ୍ୟକତା। ବିଶେଷକରି ଜଣେ ପ୍ରସୂତୀ ମାଆ ଓ ନବଜାତ ଶିଶୁଙ୍କୁ ସମ୍ମାନଜନକ, ସୁରକ୍ଷିତ ଓ ଉତ୍ତମ ଚିକିତ୍ସା ସେବା ମିଳିବା ଅତ୍ୟନ୍ତ ଜରୁରୀ। ଏଭଳି ଘଟଣାର ପୁନରାବୃତ୍ତି ଯେପରି ନ ହୁଏ, ସେଥିପାଇଁ ହସ୍ପିଟାଲରେ ଆବଶ୍ୟକ ବେଡ୍, ଡାକ୍ତର ଓ ଅନ୍ୟାନ୍ୟ ଚିକିତ୍ସା ସୁବିଧା ତୁରନ୍ତ ସୁନିଶ୍ଚିତ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏନେଇ ମେଡିକାଲ ଇନଚାର୍ଜ ମନୋଜ ଦୋରାଙ୍କୁ ଯୋଗାଯୋଗ କରାଯିବାରୁ ତୁରନ୍ତ ବେଡ଼ର ବ୍ୟବସ୍ଥା କରିବେ ବୋଲି ସୂଚନା ଦେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande