ବିପଦସଙ୍କୁଳ ଅବସ୍ଥାରେ ୧୭୫ ଛାତ୍ରଛାତ୍ରୀ,ବାରଣ୍ଡାରେ ଚାଲିଛି ଶିକ୍ଷାଦାନ
ନୂଆପଡ଼ା,୬ ଅକ୍ଟୋବର (ହି.ସ.): ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଭୁଲିଆ ଶିକୁଆଁ ଗ୍ରାମପଞ୍ଚାୟତର ଛତା ଗ୍ରାମସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅବସ୍ଥା ଏବେ ଧ୍ୱଂସାଭିମୁଖୀ। ବିଦ୍ୟାଳୟର ଜରାଜୀର୍ଣ୍ଣ କୋଠାରେ ବିପଦସଙ୍କୁଳ ଅବସ୍ଥାରେ ପାଠପଢ଼ୁଛନ୍ତି ୧୭୫ ଜଣ ଛାତ୍ରଛାତ୍ରୀ। ବିଦ୍ୟାଳୟର ଅବ୍
Bipada sankul Kothari


ନୂଆପଡ଼ା,୬ ଅକ୍ଟୋବର (ହି.ସ.): ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଭୁଲିଆ ଶିକୁଆଁ ଗ୍ରାମପଞ୍ଚାୟତର ଛତା ଗ୍ରାମସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅବସ୍ଥା ଏବେ ଧ୍ୱଂସାଭିମୁଖୀ। ବିଦ୍ୟାଳୟର ଜରାଜୀର୍ଣ୍ଣ କୋଠାରେ ବିପଦସଙ୍କୁଳ ଅବସ୍ଥାରେ ପାଠପଢ଼ୁଛନ୍ତି ୧୭୫ ଜଣ ଛାତ୍ରଛାତ୍ରୀ। ବିଦ୍ୟାଳୟର ଅବ୍ୟବସ୍ଥା ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସହ ସେମାନଙ୍କ ସୁରକ୍ଷା ମଧ୍ୟ ପ୍ରଶ୍ନବାଚୀ ହୋଇଛି। ବାଳବାଟିକା ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏହି ବିଦ୍ୟାଳୟରେ ୧୭୫ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ସେମାନଙ୍କୁ ପାଠ ପଢ଼ାଇବା ପାଇଁ ବାଳବାଟିକା ସହାୟକଙ୍କୁ ମିଶାଇ ମାତ୍ର ୫ ଜଣ ଶିକ୍ଷକ-ଶିକ୍ଷୟିତ୍ରୀ ରହିଛନ୍ତି। ବିଦ୍ୟାଳୟରେ ମାତ୍ର ୪ଟି ଶ୍ରେଣୀ କୋଠରୀ ଥିବାରୁ ଗୋଟିଏ କୋଠରୀରେ ଏକାଧିକ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ବସାଇ ପାଠପଢ଼ାଇବାକୁ ପଡ଼ୁଛି। ଅନେକ ସମୟରେ ବାରଣ୍ଡାରେ ମଧ୍ୟ ଶିକ୍ଷାଦାନ ଚାଲୁଛି। ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ବିଦ୍ୟାଳୟ କୋଠାର ଛାତରୁ କଂକ୍ରିଟ ଖସିପଡ଼ୁଛି। ଅନେକ କୋଠରୀର ଛାତରୁ କଂକ୍ରିଟ ଖସି ଲୁହା ରଡ୍ ବାହାରକୁ ଦେଖାଯାଉଛି। ଏଭଳି ବିପଦସଙ୍କୁଳ ପରିବେଶରେ ପିଲାମାନେ ପାଠ ପଢ଼ୁଥିବାରୁ ଯେକୌଣସି ସମୟରେ ଅଘଟଣ ଘଟିବାର ଆଶଙ୍କା ରହିଛି। ଅନ୍ୟପକ୍ଷରେ ବିଦ୍ୟାଳୟ ନାମରେ ନିଜସ୍ୱ ଜମି ନଥିବା ମଧ୍ୟ ଏକ ବଡ଼ ସମସ୍ୟା ହୋଇ ରହିଛି। ବିଦ୍ୟାଳୟ ପାଇଁ ପ୍ରାୟ ୧୫ ଡିସିମିଲ ସରକାରୀ ଜମି ରହିଥିବା କୁହାଯାଉଥିବା ବେଳେ ବର୍ତ୍ତମାନର ବିଦ୍ୟାଳୟ କୋଠା ପ୍ରାୟ ୬ ଡିସିମିଲ ଜମିରେ ରହିଛି। ବିଦ୍ୟାଳୟର ଏଭଳି ସମସ୍ୟା ସମ୍ପର୍କରେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଜଣାଇବା ସତ୍ତ୍ୱେ ଏପର୍ଯ୍ୟନ୍ତ ଆବଶ୍ୟକ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି। ଛତା ଗ୍ରାମ ଓ ଏହାର ଆଖପାଖ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ଏହି ସରକାରୀ ବିଦ୍ୟାଳୟ ଏକମାତ୍ର ଶିକ୍ଷାନୁଷ୍ଠାନ। ଏଭଳି ସ୍ଥିତିରେ ବିଦ୍ୟାଳୟର ଭିତ୍ତିଭୂମି ସୁଧାର ସହ ନୂତନ ଶ୍ରେଣୀଗୃହ ନିର୍ମାଣ ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଅଭିଭାବକ ଓ ଗ୍ରାମବାସୀ ଦାବି କରିଛନ୍ତି। ପିଲାମାନଙ୍କ ଭବିଷ୍ୟତ ସହ ଖେଳ ନକରି ପ୍ରଶାସନ ତୁରନ୍ତ ଏହି ସମସ୍ୟାର ସମାଧାନ କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି। ଏନେଇ ଏବିଇଓ ପରେଶ କୁମାର ପଣ୍ଡାଙ୍କୁ ଯୋଗାଯୋଗ କରାଯିବାରୁ ନୂତନ ଵିଲ୍ଡିଂ ନିର୍ମାଣ ହୋଇଛି ଅତିଶୀଘ୍ର ସେଠାକୁ ସ୍ଥାନାନ୍ତରିତ ହେବ ବୋଲି ପ୍ରକାଶ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande