
ଖୋର୍ଦ୍ଧା, ୦୬ ଅକ୍ଟୋବର (ହି.ସ.) - ନୀଳାମ୍ବୁ ଚିଲିକାକୁ ପ୍ରତି ଶୀତ ଦିନେ ଆସୁଥିବା ବିଦେଶୀ ପକ୍ଷୀଙ୍କ ସୁରକ୍ଷା ପାଇଁ ଚିଲିକା ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ପକ୍ଷୀ ସୁରକ୍ଷା ଅଭିଯାନ ଆରମ୍ଭ ହୋଇଛି। ଶୀତ ଋତୁରେ ଚିଲିକାକୁ ଆସୁଥିବା ପ୍ରବାସୀ ପକ୍ଷୀଙ୍କ ସୁରକ୍ଷାକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ଚିଲିକାର ବିଭିନ୍ନ ସ୍ଥାନରେ ଖୋଲାଯାଇଛି ଅସ୍ଥାୟୀ ସୁରକ୍ଷା କ୍ୟାମ୍ପ । ପ୍ରତି କ୍ୟାମ୍ପରେ ବନ୍ୟପ୍ରାଣୀ ବିଭାଗର କର୍ମଚାରୀ ୨୪ ଘଂଟିଆ ନଜର ରଖିବେ ।ପ୍ରତିବର୍ଷ ଶୀତ ଋତୁରେ ଚିଲିକାକୁ ଆସିଥାନ୍ତି ହଜାର ହଜାର ବିଦେଶୀ ପକ୍ଷୀ । ଏହି ପ୍ରବାସୀ ପକ୍ଷୀଙ୍କ ସୁରକ୍ଷା ସହିତ ଅବାଧ ବିଚରଣ ଏବଂ ନିରାପଦ ପରିବେଶ ସୃଷ୍ଟି କରିବାକୁ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ନିଆଯାଇଛି ପଦକ୍ଷେପ । ଚିଲିକାର ବିଭିନ୍ନ ପକ୍ଷୀ ଅଭୟାରଣ୍ୟ ଓ ସମ୍ବେଦନଶୀଳ ଅଂଚଳରେ ଖୋଲାଯାଇଛି ଅସ୍ଥାୟୀ କ୍ୟାମ୍ପ । ଏହି କ୍ୟାମ୍ପ ଗୁଡ଼ିକରେ ବନ୍ୟପ୍ରାଣୀ ବିଭାଗର କର୍ମଚାରୀମାନେ ପାଳି କରି ୨୪ ଘଂଟିଆ ପହରା ଦେବେ । ବେଆଇନ ଶିକାର, ପକ୍ଷୀ ହତ୍ୟା ଏବଂ ଅନ୍ୟାନ୍ୟ ବେଆଇନ କାର୍ଯ୍ୟକଳାପ ଉପରେ ରହିବ କଡ଼ା ନଜର । ଏପରିକି ଚିଲିକାର ବିଭିନ୍ନ ଅଂଚଳରେ ନିୟମିତ ପାଟ୍ରୋଲିଂ କରାଯିବା ସହ ପକ୍ଷୀଙ୍କ ସୁରକ୍ଷା ପାଇଁ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଉଛି । ଚିଲିକା ବନ୍ୟପ୍ରାଣୀ ଡିଭିଜନ ଅଧିନରେ ୫ ରେଞ୍ଜ ଇଲାକା ରହିଛି। ଏହି ୫ ଟି ରେଞ୍ଜ ହେଉଛି ଚିଲିକା , ରମ୍ଭା , ସାତପଡ଼ା , ଟାଙ୍ଗୀ , ବାଲୁଗାଁ । ତେବେ ଚିଲିକାରେ ୨ ଟି , ରମ୍ଭା ୩ ଟି , ସାତପଡ଼ା ରେ ୨ ଟି , ଟାଙ୍ଗୀ ରେ ୧୧ ଟି , ବାଲୁଗାଁରେ ୪ଟି ମୋଟ ୨୨ ଟି ପକ୍ଷୀ ସୁରକ୍ଷା କ୍ୟାମ୍ପ କରାଯାଇଛି । ପକ୍ଷୀ ସୁରକ୍ଷା ଅଭିଯାନ ନେଇ ଚିଲିକା ବନ୍ୟପ୍ରାଣୀ ଡିଭିଜନର ଡିଏଫଓ ଅମ୍ଳାନ ନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
----------------
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ