୮ ବର୍ଷ ପରେ କଲେଜ ନିର୍ବାଚନ : ଝାରସୁଗୁଡ଼ାରେ ଜମିଲା କ୍ୟାମ୍ପସ ରାଜନୀତି, ପ୍ରାର୍ଥୀ ଚୟନକୁ ନେଇ ଚାଲିଛି କସରତ
College-Elections-After-8Years
୮ ବର୍ଷ ପରେ କଲେଜ ନିର୍ବାଚନ : ଝାରସୁଗୁଡ଼ାରେ ଜମିଲା କ୍ୟାମ୍ପସ ରାଜନୀତି, ପ୍ରାର୍ଥୀ ଚୟନକୁ ନେଇ ଚାଲିଛି କସରତ


ଝାରସୁଗୁଡ଼ା, ୬ ଅକ୍ଟୋବର (ହି.ସ.)- ଦୀର୍ଘ ପ୍ରାୟ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ପୁଣି ଥରେ କଲେଜ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାରୁ ଛାତ୍ର ରାଜନୀତିରେ ନୂଆ ଉତ୍ସାହ ସୃଷ୍ଟି ହୋଇଛି। ନିର୍ବାଚନ ଘୋଷଣା ପରେ ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ କଲେଜ କ୍ୟାମ୍ପସରେ ରାଜନୈତିକ ତତ୍ପରତା ବଢ଼ିବା ସହ ଛାତ୍ର ସଂଗଠନଗୁଡ଼ିକ ସକ୍ରିୟ ହୋଇପଡ଼ିଛନ୍ତି। ଦୀର୍ଘ ସମୟ ପରେ ନିର୍ବାଚନ ହେବାକୁ ଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମଧ୍ୟ ଏହାକୁ ନେଇ ଉତ୍ସାହ ଓ ଆଗ୍ରହ ବଢ଼ିଛି। ନିର୍ବାଚନ ଘୋଷଣା ହେବା ପରଠାରୁ ବିଭିନ୍ନ ରାଜନୈତିକ ଦଳ ସମର୍ଥିତ ଛାତ୍ର ସଂଗଠନଗୁଡ଼ିକ ନିଜ ନିଜ ସାଙ୍ଗଠନିକ ଗତିବିଧି ବଢ଼ାଇ ଦେଇଛନ୍ତି। କେଉଁ କଲେଜରୁ କାହାକୁ ପ୍ରାର୍ଥୀ କରାଯିବ, କେଉଁ ଛାତ୍ର ନେତାଙ୍କର କ୍ୟାମ୍ପସରେ ଅଧିକ ପ୍ରଭାବ ରହିଛି ଏବଂ କେଉଁ ପ୍ରାର୍ଥୀ ଅଧିକ ଛାତ୍ର ସମର୍ଥନ ହାସଲ କରିପାରିବେ, ସେନେଇ ଆରମ୍ଭ ହୋଇଛି ମାନସ ମନ୍ଥନ। ଦଳୀୟ ସ୍ତରରେ ମଧ୍ୟ ସମ୍ଭାବ୍ୟ ପ୍ରାର୍ଥୀଙ୍କ ଉପରେ ଆଲୋଚନା ଓ ବିଚାରବିମର୍ଶ ଚାଲିଥିବା ଜଣାପଡ଼ିଛି। ବିଭିନ୍ନ କ୍ୟାମ୍ପସରେ ଛାତ୍ର ସଂଗଠନଗୁଡ଼ିକ ବୈଠକ କରିବା ସହ ସାଙ୍ଗଠନିକ ସ୍ଥିତି ସମୀକ୍ଷା କରୁଛନ୍ତି। ନୂଆ ଛାତ୍ରଛାତ୍ରୀଙ୍କ ସହ ଯୋଗାଯୋଗ ସ୍ଥାପନ, ପୁରୁଣା ସମର୍ଥକଙ୍କୁ ପୁଣି ଥରେ ସକ୍ରିୟ କରିବା ଏବଂ ନିଜ ସପକ୍ଷରେ ଅଧିକ ଛାତ୍ର ସମର୍ଥନ ହାସଲ କରିବା ପାଇଁ ସଂଗଠନଗୁଡ଼ିକ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। କ୍ୟାମ୍ପସରେ ଛାତ୍ର ସମସ୍ୟା, ଶିକ୍ଷା ବ୍ୟବସ୍ଥା, ଭିତ୍ତିଭୂମି, ଛାତ୍ରାବାସ, ପାନୀୟ ଜଳ, କ୍ୟାଣ୍ଟିନ୍ ଓ ଅନ୍ୟାନ୍ୟ ସୁବିଧା ସମ୍ପର୍କିତ ପ୍ରସଙ୍ଗକୁ ନେଇ ମଧ୍ୟ ଛାତ୍ର ନେତାମାନେ ଆଲୋଚନା ଆରମ୍ଭ କରିଛନ୍ତି।

ଦୀର୍ଘ ବ୍ୟବଧାନ ପରେ ନିର୍ବାଚନ ହେଉଥିବାରୁ ବର୍ତ୍ତମାନର ଅନେକ ଛାତ୍ରଛାତ୍ରୀ ପ୍ରଥମ ଥର ପାଇଁ ସିଧାସଳଖ କଲେଜ ନିର୍ବାଚନ ପ୍ରକ୍ରିୟାର ଅଂଶ ହେବେ। ଫଳରେ ପ୍ରାର୍ଥୀ ଚୟନଠାରୁ ଆରମ୍ଭ କରି ପ୍ରଚାର ଓ ଭୋଟ ହାତେଇବା ପର୍ଯ୍ୟନ୍ତ ପ୍ରତ୍ୟେକ ପର୍ଯ୍ୟାୟ ରୋଚକ ହେବାର ଆଶା କରାଯାଉଛି। ବିଭିନ୍ନ ଛାତ୍ର ସଂଗଠନ ମଧ୍ୟରେ ନିଜ ନିଜ ସ୍ଥିତି ମଜବୁତ କରିବା ପାଇଁ ଏବେଠାରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଅନ୍ୟପକ୍ଷରେ, ଦୀର୍ଘ ସମୟ ପରେ କ୍ୟାମ୍ପସ ନିର୍ବାଚନ ଫେରୁଥିବାରୁ ଏହା ଛାତ୍ର ନେତୃତ୍ୱର ନୂଆ ପିଢ଼ି ପାଇଁ ଏକ ବଡ଼ ମଞ୍ଚ ହେବ ବୋଲି ମତ ପ୍ରକାଶ ପାଉଛି। ନିର୍ବାଚନ ମାଧ୍ୟମରେ କ୍ୟାମ୍ପସର ସମସ୍ୟା ଓ ଛାତ୍ରଛାତ୍ରୀଙ୍କ ଦାବି ଉଠାଇବା ସହ ଭବିଷ୍ୟତର ଛାତ୍ର ନେତୃତ୍ୱ ଗଢ଼ି ଉଠିବାର ସୁଯୋଗ ମିଳିବ ବୋଲି ଆଶା ରହିଛି।

ଆଗାମୀ ଦିନରେ ପ୍ରାର୍ଥୀ ଚୟନ, ନାମାଙ୍କନ, ପ୍ରଚାର ଓ ଭୋଟ ଗ୍ରହଣ ପ୍ରକ୍ରିୟା ଆଗକୁ ବଢ଼ିବା ସହ ଝାରସୁଗୁଡ଼ାର କଲେଜ କ୍ୟାମ୍ପସଗୁଡ଼ିକରେ ରାଜନୈତିକ ଉଷ୍ମତା ଆହୁରି ବଢ଼ିବାର ସମ୍ଭାବନା ରହିଛି। କେଉଁ ସଂଗଠନ କେତେ ଛାତ୍ର ସମର୍ଥନ ହାସଲ କରିବ ଏବଂ କାହା ହାତକୁ ଯିବ କ୍ୟାମ୍ପସ ନେତୃତ୍ୱ, ତାହା ଉପରେ ଏବେ ସମସ୍ତଙ୍କ ନଜର।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande