
ଭୁବନେଶ୍ୱର, ୦୬ ଅକ୍ଟୋବର (ହି.ସ) - ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ଡିଜିପି ଶ୍ରୀ ବିନୟତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ପୂର୍ବାହ୍ନରେ ଜିଲ୍ଲା ଏସ୍ପି ଓ ରେଞ୍ଜ ଆଇଜି/ଡିଆଇଜିଙ୍କ ସହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଭିଡିଓ କନ୍ଫରେନ୍ସିଂ ଜରିଆରେ ଅନୁଷ୍ଠିତ ହୋଇଛି। ବୈଠକରେ ଆସନ୍ତା ୧୫ ତାରିଖରେ ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନ, ପର୍ବପର୍ବାଣୀ ସମୟରେ ଆଇନଶୃଙ୍ଖଳା, ମହିଳା ସୁରକ୍ଷା, ସାଇବର ଅପରାଧ, ଅପରାଧ ନିୟନ୍ତ୍ରଣ ଏବଂ ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଡିଜିପି ବିସ୍ତୃତ ସମୀକ୍ଷା କରିଥିଲେ।
ଛାତ୍ର ସଂସଦ ନିର୍ବାଚନ ସମ୍ପର୍କରେ ଡିଜିପି କହିଥିଲେ ଯେ, ଛାତ୍ରଛାତ୍ରୀମାନେ ଏକ ସମ୍ବେଦନଶୀଳ ସମ୍ପ୍ରଦାୟ ହୋଇଥିବାରୁ ସେମାନଙ୍କ ସହ ପୋଲିସର ନିୟମିତ ଓ ବ୍ୟକ୍ତିଗତ ଯୋଗାଯୋଗ ରହିବା ଆବଶ୍ୟକ। ଥାନା ଭାରପ୍ରାପ୍ତ ଅଧିକାରୀ ଓ ଏସ୍ଡିପିଓମାନେ ଛାତ୍ର ନେତାମାନଙ୍କ ସହ ବୈଠକ କରି ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ସମନ୍ୱୟ ରଖିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।
କଲେଜ ପରିସରକୁ ଅଣଛାତ୍ର ଓ ଅସାମାଜିକ ବ୍ୟକ୍ତିଙ୍କ ପ୍ରବେଶ ରୋକିବା, ଛାତ୍ରାବାସ ଓ ମେସ୍ ଗୁଡ଼ିକ ଉପରେ ନଜର ରଖିବା ଏବଂ ଛାତ୍ରଛାତ୍ରୀଙ୍କ ସହ ନିୟମିତ ସମ୍ପର୍କ ରଖିବାକୁ ସେ କହିଥିଲେ। ହିଂସାର ଆଶଙ୍କା ନଥିଲେ ଅନାବଶ୍ୟକ ଭାବେ ପୋଲିସ ବଳ ମୁତୟନ ନକରିବାକୁ ମଧ୍ୟ ଡିଜିପି ପରାମର୍ଶ ଦେଇଥିଲେ। ଏହା ବ୍ୟତୀତ ଛାତ୍ରଛାତ୍ରୀଙ୍କ ଭୋଜିଭାତ ଓ ଅନ୍ୟାନ୍ୟ ଆୟୋଜନ ଉପରେ ମଧ୍ୟ ନଜର ରଖିବାକୁ ସେ କହିଥିଲେ।
ନିର୍ବାଚନ ସମୟରେ ସମନ୍ୱୟ ବଜାୟ ରଖିବା ପାଇଁ ଜିଲ୍ଲାପାଳ, ଏସ୍ପି, ଉପଜିଲ୍ଲାପାଳ ଓ କଲେଜ ଅଧ୍ୟକ୍ଷଙ୍କ ମଧ୍ୟରେ ବୈଠକ କରିବାକୁ ଡିଜିପି ପରାମର୍ଶ ଦେଇଥିଲେ। ନିର୍ବାଚନ ଫଳାଫଳ ପରେ ହିଂସାର ସମ୍ଭାବନା ଥିବାରୁ ସେ ସମୟରେ ବିଶେଷ ସତର୍କତା ଅବଲମ୍ବନ କରିବାକୁ ମଧ୍ୟ କହିଥିଲେ।
ସେହିପରି ସାଇବର ଅପରାଧ ନିୟନ୍ତ୍ରଣ ପାଇଁ ସାଇବର ପୋଲିସ ଷ୍ଟେସନଗୁଡ଼ିକର କାର୍ଯ୍ୟକଳାପକୁ ଆହୁରି ସୁଦୃଢ଼ କରିବା ଏବଂ ମାମଲାର ତଦନ୍ତ ଓ ଆଇନଗତ ପଦକ୍ଷେପକୁ ଅଧିକ ଫଳପ୍ରଦ କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଥିଲେ।
ଏତଦବ୍ୟତୀତ ମହିଳା ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ସମ୍ବେଦନଶୀଳ ମାମଲାଗୁଡ଼ିକର ତ୍ୱରିତ, ନିରପେକ୍ଷ ଓ ଫଳପ୍ରଦ ତଦନ୍ତ ସୁନିଶ୍ଚିତ କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଥିଲେ। ନିକଟରେ ଭୁବନେଶ୍ୱରରେ ଘଟିଥିବା ଯୁବତୀଙ୍କ ବିରୋଧରେ ଅପରାଧିକ ଘଟଣାକୁ ଗମ୍ଭୀରତାର ସହ ନେଇ ରାଜ୍ୟସାରା ମହିଳା ସୁରକ୍ଷା ବ୍ୟବସ୍ଥା ଉପରେ କଡ଼ା ନଜର ରଖିବା ଏବଂ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ ଆଇନଗତ ପଦକ୍ଷେପ ନେବାକୁ ସେ କହିଥିଲେ।
ଅପରାଧ ନିୟନ୍ତ୍ରଣ ଦିଗରେ ଅଭ୍ୟାସଗତ ଓ ସଂଗଠିତ ଅପରାଧୀଙ୍କ ବିରୋଧରେ କଡ଼ା ପଦକ୍ଷେପ, ଏନଡିପିଏସ୍ ଆଇନର କାର୍ଯ୍ୟାନୁଷ୍ଠାନ ସମେତ ବେଆଇନ କାର୍ଯ୍ୟକଳାପ ବିରୋଧରେ ନିୟମିତ ଚଢ଼ାଉ ଓ ଯାଂଚ ଉପରେ ଡିଜିପି ଗୁରୁତ୍ୱାରୋପ କରିଥିଲେ। ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’କୁ ଆହୁରି ସଶକ୍ତ କରିବା ସହ ନିଶାଦ୍ରବ୍ୟର ଚୋରାଚାଲାଣ ଓ ଅପରାଧିକ ନେଟୱର୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ଡିଜିପି ନିର୍ଦ୍ଦେଶ ଦେଇଥିଲେ। ଏନଡିପିଏସ୍ ଆଇନ ଅଧୀନରେ ବେଆଇନ ଗଞ୍ଜେଇ ଚାଷ ନଷ୍ଟ ପାଇଁ ମଧ୍ୟ ଉପଯୁକ୍ତ ପଦକ୍ଷେପ ନେବାକୁ ସେ କହିଥିଲେ।
ଏଥିସହିତ ନୂତନ ଅପରାଧ ଆଇନର ସଫଳ କାର୍ଯ୍ୟକାରିତା ଓ ପୋଲିସ ଭିତିଭୂମିର ବିକାଶ ଉପରେ ମଧ୍ୟ ଡିଜିପି ଗୁରୁତ୍ୱାରୋପ କରିଥିଲେ।
ଉକ୍ତ ବୈଠକରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନିକୀକରଣ) ସୌମେନ୍ଦ୍ର ପ୍ରିୟଦର୍ଶୀ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ରେଲୱେ ଏବଂ ଉପକୂଳ ସୁରକ୍ଷା) ଅରୁଣ ବୋଥ୍ରା, ପୋଲିସ କମିସନର (ଭୁବନେଶ୍ୱର-କଟକ) ଡଃ ଏସ ଦେବଦତ ସିଂ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଏସଏପି) ରାଜେଶ କୁମାର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ପ୍ରତୀକ ମହାନ୍ତି, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଏଚ୍ଆରପିସି) ୟତୀନ୍ଦ୍ର କୋଏଲ, ଆଇଜିପି (ଏସଟିଫ) ହିମାଂଶୁ ଲାଲ, ଆଇଜିପି (ଗୁଇନ୍ଦା) ସତ୍ୟବ୍ରତ ଭୋଇ, ନିର୍ଦ୍ଦେଶକ (ଏସସିଆରବି) ଅବିନାଶ କୁମାର, ଆଇଜିପି (କ୍ରାଇମବ୍ରାଂଚ) ଡଃ ସାର୍ଥକ ଷଡଙ୍ଗୀ, ଆଇଜିପି (ପ୍ରୋଭିଜନିଂ) ନୀତି ଶେଖର, ଆଇଜିପି (ଟ୍ରେନିଂ) ଅନୁପ ସାହୁ, ଡିଆଇଜିପି (ଏସ୍?ଟିଏଫ୍) ଡଃ କନୱର ବିଶାଳ ସିଂ, ଡିଆଇଜିପି (ଏଚଆରପିସି) ରାଜେଶ ପଣ୍ଡିତ, ଡିଆଇଜିପି (କ୍ରାଇମବ୍ରାଞ୍ଚ) ମଡକର ସନ୍ଦୀପ ସମ୍ପଦ, ଡିଆଇଜିପି (ପର୍ସୋନେଲ) ଯୁଗଳ କିଶୋର କୁମାର ବନୋଥଙ୍କ ସମେତ ରାଜ୍ୟର ସମସ୍ତ ରେଞ୍ଜ ଆଇଜି/ଡିଆଇଜି ଏବଂ ସମସ୍ତ ଜିଲ୍ଲାର ଏସ୍ପିମାନେ ଭିଡିଓ କନ୍ଫରେନ୍ସିଂ ଜରିଆରେ ବୈଠକରେ ଯୋଗଦେଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା